ଅବ୍ୟବସ୍ଥାରେ ମେଡିକାଲ ସେବା, ଆନ୍ଦୋଳନ ଚେତାବନୀ ଦେଲା ଆପ୍

author img

By

Published : Sep 23, 2022, 2:01 PM IST

ଅବ୍ୟବସ୍ଥାରେ ମେଡିକାଲ ସେବା, ଆନ୍ଦୋଳନ ଚେତାବନୀ ଦେଲା ଆପ୍

ବଲାଙ୍ଗୀରରେ ବିପର୍ଯ୍ୟସ୍ତ ହୋଇଛି ସ୍ବାସ୍ଥ୍ୟସେବା । ଡାକ୍ତରଖାନା ଅବ୍ୟବସ୍ଥା ଦୂର କରିବା ଦାବି କରି ଧାରଣାକୁ ଓହ୍ଲାଇଛି ଆପ୍ । ଅଧିକ ପଢନ୍ତୁ

ବଲାଙ୍ଗୀର: ଅବ୍ୟବସ୍ଥାରେ ବଲାଙ୍ଗୀର ସ୍ବାସ୍ଥ୍ୟ ବ୍ୟବସ୍ଥା । ଜିଲ୍ଲା ଡାକ୍ତରଖାନା ସମତେ ବିଭିନ୍ନ ଚିକିତ୍ସାଳୟରେ ଡାକ୍ତର ଅଭାବ ରହିଛି । ରାଜ୍ୟରେ ସ୍ବାସ୍ଥ୍ୟ ସେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ । ବଲାଙ୍ଗୀରରେ ଭଗବାନଙ୍କ ଭରସାରେ ଚାଲିଛି ସ୍ବାସ୍ଥ୍ୟସେବା । ଡାକ୍ତରଖାନା ଅବ୍ୟବସ୍ଥା ଦୂର କରିବା ଦାବି କରି ଅନିଶ୍ଚିତକାଳ ପାଇଁ ଧାରଣା ଦେଇଛି ଆପ୍ ।

ଅବ୍ୟବସ୍ଥାରେ ମେଡିକାଲ ସେବା, ଆନ୍ଦୋଳନ ଚେତାବନୀ ଦେଲା ଆପ୍

ଜିଲ୍ଲାରେ ଛୋଟ ବଡ଼ ମିଶି ମୋଟ 60ଟି ଚିକିତ୍ସାଳୟ ରହିଛି । ଯେଉଁଥିରେ ନର୍ସ ଓ ଡାକ୍ତରଙ୍କ ପଦ ଖାଲି ପଡିଛି । ଚିକିତ୍ସା ପାଇଁ ବାହାର ଜିଲ୍ଲା ଓ ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ରୋଗୀ । ପୂର୍ବରୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଡ଼ାକ୍ତର ସମସ୍ୟା ନେଇ ସରକାରଙ୍କୁ ଘେରିବା ସହ ଆଗକୁ ତୀବ୍ର ଆନ୍ଦୋଳନ ହେବ ବୋଲି ଧମକ ଦେଇଥିଲେ । ସେହିପରି ଏବେ ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ଏହାକୁ ଗୁରୁତର ସହ ନେଇ ସାମନାକୁ ଆସିଛନ୍ତି । ଯେଉଁଥିରେ ବଲାଙ୍ଗୀର ଆମ ଆଦମୀ ଦଳ ପକ୍ଷରୁ ବିଗତ ଚାରି ଦିନ ହେବ ଧାରଣା ଓ ଆନ୍ଦୋଳନ କରାଯାଉଛି । ଦଳର ଶତାଧିକ କର୍ମୀ ଚାରି ଦିନ ହେବ ଟିଟିଲାଗଡ ଡାକ୍ତରଖାନା ସମ୍ମୁଖରେ ଧାରଣା ଦେବା ସହ ଡ଼ାକ୍ତର ନିଯୁକ୍ତି ଦାବି କରିଛନ୍ତି ।

ଏହା ବି ପଢନ୍ତୁ...ଦୁର୍ଗା ପୂଜା ପାଇଁ ଭୁବନେଶ୍ବରରେ ଧରପଗଡ, ବସ୍ତି ଓ ଖଟିରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ

ସୂଚନା ଅନୁସାରେ ଜିଲ୍ଲାର 60ଟି ଚିକିତ୍ସାଳୟ ପାଇଁ ମୋଟ 338 ଡ଼ାକ୍ତର ଆବଶ୍ୟକ । ହେଲେ ମାତ୍ର 193 ଜଣ ଡାକ୍ତର ଅଛନ୍ତି । 145 ଡ଼ାକ୍ତର ପଦବୀ ଏବେ ବି ଖାଲି ରହିଛି । ଏହାଛଡା ମୋଟ ନର୍ସ ସଂଖ୍ୟା 411 ଆବଶ୍ୟକ ଥିବା ବେଳେ ମାତ୍ର 305 ଜଣ ନର୍ସ ଅଛନ୍ତି । ଡ଼ାକ୍ତର ନର୍ସ ଅଭାବ ଯୋଗୁଁ ଏଠିକାର ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇଛି । ଯେଉଁଥିରେ ଜିଲ୍ଲାର ଗ୍ରାମାଞ୍ଚଳରେ ଏହି ଅବସ୍ଥା ଆହୁରି ଶୋଚନୀୟ ରହିଛି । ଏପରିକି ବଲାଙ୍ଗୀର ମେଡିକାଲ୍ କଲେଜରେ ମଧ୍ୟ ଡ଼ାକ୍ତର ଅଭାବ ଥିବା ଦେଖିବାକୁ ମିଳିଛି । ତିନି ଭାଗରୁ ଦୁଇ ଭାଗ ଡ଼ାକ୍ତର କାର୍ଯ୍ୟରେ ଯୋଗ ଦେଉନଥିବା ମଧ୍ୟ ଅଭିଯୋଗ ହୋଇଛି । ଜିଲ୍ଲାରେ ବଡ ବଡ ନେତା ଥାଇ ବି ମେଡିକାଲରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏପରି ଅବହେଳା ଲୋକଙ୍କୁ ସମସ୍ୟାରେ ପକାଇଛି । ତେବେ ଏହି ବ୍ୟବସ୍ଥାର ଶୀଘ୍ର ସମାଧାନ ନ ହେଲେ ଆଗକୁ ତୀବ୍ର ଆନ୍ଦୋଳନ ହେବ ବୋଲି ଆପ୍ ଚେତାବନୀ ଦେଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.