ପ୍ରଧାନ ଶିକ୍ଷକଙ୍କୁ ବଦଳି ଦାବିରେ ସ୍କୁଲ ଗେଟରେ ତାଲା ପକାଇଲେ ଗ୍ରାମବାସୀ

author img

By

Published : Jan 27, 2023, 12:32 PM IST

villagers locked the school gate

ଶିକ୍ଷକଙ୍କ ମାନମାନି ବିରୋଧରେ ତାତିଳଲେ ଗ୍ରାମବାସୀ । ଜାମୁନାଲି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କୁ ବିରୋଧ କରି ଗେଟରେ ତାଲା ପକାଇଲେ ଗ୍ରାମବାସୀ । ପ୍ରଧାନଶିକ୍ଷକଙ୍କୁ ତୁରନ୍ତ ବଦଳି କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ସ୍କୁଲ ଗେଟରେ ତାଲା ପକାଇଲେ ଗ୍ରାମବାସୀ

ଅନୁଗୋଳ: ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଗର୍ଜିଲେ ଅଭିଭାବକ । ସ୍କୁଲ୍‌ ଗେଟରେ ତାଲା ପକାଇ ପ୍ରଧାନଶିକ୍ଷକଙ୍କୁ ବଦଳି ପାଇଁ ଦାବି କଲେ ଗ୍ରାମବାସୀ । ଅନୁଗୋଳ ଜିଲ୍ଲାର କିଶୋରନଗର ବ୍ଲକ ଜାମୁନାଲି ପ୍ରାଥମିକ ବିଦ୍ୟାଳୟରେ ଗ୍ରାମବାସୀ ଏଭଳି ଭାବରେ ପ୍ରତିବାଦ କରିଛନ୍ତି । ପ୍ରଧାନଶିକ୍ଷାକଙ୍କୁ ସ୍କୁଲରେ ପୁରାଇ ନଦେବାକୁ ଗ୍ରାମବାସୀ ତାଲା ପକାଇ ବା ସହ ଗେଟ ସମ୍ମୁଖରେ କଣ୍ଟା ଗଛ ପକାଇ ଦେଇଥିବା ଜଣାପଡିଛି । ଏହାକୁ ନେଇ ଗାଁରେ ଅସନ୍ତୋଷ ଦେଖା ଦେଇଛି ।

ଜାମୁନାଲି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୮୮ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ସେମାନଙ୍କ ପାଇଁ ପ୍ରଧାନ ଶିକ୍ଷାକଙ୍କ ସମେତ ୩ଜଣ ଶିକ୍ଷକ ଅଛନ୍ତି। କିନ୍ତୁ ଅନେକ ସମୟରେ ପ୍ରଧାନ ଶିକ୍ଷକ ସ୍କୁଲକୁ ଆସୁ ନାହାନ୍ତି। ଏହାକୁ ନେଇ ଆଜି ସ୍କୁଲ ଗେଟରେ ତାଲା ପକାଇଥିଲେ ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, "ପ୍ରଧାନ ଶିକ୍ଷକ ସ୍କୁଲକୁ ଆସିଲେ ମଧ୍ୟ ଘଣ୍ଟାଏ ରହି ପଳାଇ ଯାଉଛନ୍ତି । ସବୁ ବେଳେ ସ୍କୁଲରେ ମୋବାଇଲ ଦେଖିବାରେ ବ୍ୟସ୍ତ ରହୁଛନ୍ତି। ଅନେକ ସମୟରେ ମଦ୍ୟପାନ କରି ସ୍କୁଲକୁ ଆସୁଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରୁଛନ୍ତି । ଯାହାର ପ୍ରଭାବ ପିଲାମାନଙ୍କ ଉପରେ ପଡୁଛି ।"

ଏନେଇ ବହୁବାର ଗ୍ରାମବାସୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି । କିନ୍ତୁ କୌଣସି ପଦକ୍ଷେପ ନିଆ ଯାଇ ନାହିଁ । ତେଣୁ ବାଧ୍ୟ ହୋଇ ସେମାନେ ସ୍କୁଲରେ ତାଲା ପକାଇଥିବା କହିଛନ୍ତି । ସ୍ଥାନୀୟ ସରପଞ୍ଚ ଏହାର ସମାଧାନ କରିବାକୁ ପ୍ରଧାନଶିକ୍ଷକଙ୍କ ପାଖକୁ ଯାଇଥିଲେ ମଧ୍ୟ ସେ ଆଦୌ ସହଯୋଗ କରୁନାହାନ୍ତି । ପ୍ରଧାନଶିକ୍ଷାକଙ୍କ ଏଭଳି ଆଚରଣ ଯୋଗୁ କୁନିକୁନି ପିଲାଙ୍କ ଭବିଷ୍ୟତ ଗଠନରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ତେଣୁ ତୁରନ୍ତ ଏଠାରୁ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ତାଙ୍କ ସ୍ଥାନରେ ନୂତନ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ନଚେତ ସ୍କୁଲରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ତାଲା ପକାଇ ରଖିବାକୁ ଚେତାବନୀ ଦେଇଥିଲେ ଗ୍ରାମବାସୀ। ।

ଘଟଣାର ସମାଧାନ ପାଇଁ ସ୍ଥାନୀୟ ସିଆରସିସି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଗ୍ରାମବାସୀ ସ୍କୁଲ ତାଲା ଖୋଲି ପିଲାଙ୍କୁ ଭିତରକୁ ଛାଡିଥିଲେ ମଧ୍ୟ ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ ଭିତରକୁ ଯିବାକୁ ଦେଇ ନଥିଲେ । ଏହାକୁ ନେଇ ଗାଁରେ ଅସନ୍ତୋଷ ଦେଖା ଦେଇଛି । ଅନ୍ୟ ପକ୍ଷରେ ପ୍ରଧାନଶିକ୍ଷକ ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ମିଛ ବୋଲି ସଫେଇ ଦେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.