Talcher-Bimlagarh Rail Line; ତାଳଚେର ବରୁଆ ପାହାଡରେ ଶେଷ ହେଲା ସୁଡଙ୍ଗ କାର୍ଯ୍ୟ

author img

By

Published : Dec 1, 2021, 3:17 PM IST

ରେଳ ବିଭାଗ ଦ୍ଵାରା ଶେଷ ହେଲା ତାଳଚେର ବରୁଆ ପାହାଡରେ ସୁଡଙ୍ଗ କାର୍ଯ୍ୟ

ରେଳ ବିଭାଗ ଦ୍ଵାରା ଶେଷ ହେଲା ତାଳଚେର ବରୁଆ ପାହାଡରେ ଦୀର୍ଘ ୮୪୦ ମିଟର ଦୈର୍ଘ୍ୟ ବିଶିଷ୍ଟ ସୁଡଙ୍ଗ କାର୍ଯ୍ୟ (840 Meter Tunnel work) । ଗତ ୨୦୦୩-୦୪ରେ ତାଳଚେର-ବିମଳାଗଡ ରେଳପଥର ପ୍ରାୟ ୧୩୯.୭୮ କିଲୋମିଟର ଦୈର୍ଘ୍ୟ ପାଇଁ ବିଭାଗ ତରଫରୁ ଅର୍ଥ ମଞ୍ଜୁରୀ ହୋଇଥିଲା । ଅଧିକ ପଢନ୍ତୁ

ଅନୁଗୋଳ: ବହୁ ପ୍ରତୀକ୍ଷାର ହେବାକୁ ଯାଉଛି ଅନ୍ତ । ରେଳ ବିଭାଗ ଦ୍ଵାରା ଶେଷ ହେଲା ତାଳଚେର ବରୁଆ ପାହାଡରେ ୮୪୦ ମିଟର ଦୈର୍ଘ୍ୟ ବିଶିଷ୍ଟ ସୁଡଙ୍ଗ କାର୍ଯ୍ୟ । ଏହା ଫଳରେ ବର୍ଷ ବର୍ଷ ଧରି ନିର୍ମାଣ ଚାଲିଥିବା ରେଳପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ବୋଲି ରେଳ ବିଭାଗ ଆଶା ପ୍ରକଟ କରିଛି । ଏନେଇ ଆଜି(ବୁଧବାର) ପୂର୍ବତଟ ରେଳ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ତାଳଚେର-ବିମଳାଗଡ ରେଳପଥ (Talcher-Bimlagarh Rail Line Project) ନିର୍ମାଣ ପାଇଁ ରେଳ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି ।

ରେଳ ବିଭାଗ ଦ୍ଵାରା ଶେଷ ହେଲା ତାଳଚେର ବରୁଆ ପାହାଡରେ ସୁଡଙ୍ଗ କାର୍ଯ୍ୟ

ଗତ ୨୦୦୩-୦୪ରେ ତାଳଚେର-ବିମଳାବେଡା ରେଳପଥର ପ୍ରାୟ ୧୩୯.୭୮ କିଲୋମିଟର ଦୈର୍ଘ୍ୟ ପାଇଁ ବିଭାଗ ତରଫରୁ ଅର୍ଥ ମଞ୍ଜୁର ହୋଇଥିଲା । ଏହି ରେଳପଥର ପ୍ରତିବନ୍ଧକ ସାଜିଥିଲା ବରୁଆ ପାହାଡ଼ । ତେଣୁ ପ୍ରାୟ ୮୪୦ମିଟର ଦୈର୍ଘ୍ୟ ସୁଡଙ୍ଗ ଖୋଳାଯିବାର ଆବଶ୍ୟକତା ରହିଥିଲା । ଏହି ସୁଡଙ୍ଗ ଖୋଦେଇ ହେଲେ ତାଳଚେର ଓ ରାଉରକେଲା ମଧ୍ୟରେ ପ୍ରାୟ ୧୨୬ କିମି ଦୂରତା ହ୍ରାସ ପାଇବ। ଏହି ରେଳପଥ ଦ୍ବାରା ବହୁ ବନ୍ଦର ମାଧ୍ୟମରେ ଲୁହାପଥର ବିଦେଶକୁ ରପ୍ତାନି ହୋଇପାରିବ । ସେଥିପାଇଁ ରେଳ ବିଭାଗ ଦ୍ବାରା ଏହି ସୁଡଙ୍ଗ ଖୋଦେଇ କରିବାକୁ ଗୁରୁତ୍ବ ଦିଆଯାଇଥିଲା। ଏହି ସୁଡଙ୍ଗ ଖୋଦେଇ ପାଇଁ ୫୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ଗତ ଅଗଷ୍ଟ ୨୦୨୦ରେ ସୁଡଙ୍ଗ କାର୍ଯ୍ୟ ନିର୍ମାଣ ଆରମ୍ଭ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: Talcher Bimlagarh Railway Project; ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର

ମାତ୍ର ୧୬ ମାସ ମଧ୍ୟରେ ସୁଡଙ୍ଗ ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଥିବାରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଖୁସି ପ୍ରକଟ କରିଛନ୍ତି । ସୁଡଙ୍ଗ ନିର୍ମାଣ କାର୍ଯ୍ୟ ଶେଷ ହେବା ଫଳରେ ଆଗକୁ ରେଳପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ବୋଲି ରେଳ ବିଭାଗ ଆଶା ପ୍ରକଟ କରିଛି ।

ତେବେ ଗତ ୨୦୧୯ରେ ତାଳଚେର-ବିମଳାଗଡ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ସୁଧା ତାଳଚେର ଷ୍ଟେସନ ଓ ସୁନଖଣି ଷ୍ଟେସନ ମଧ୍ୟରେ ୨୦ କିମି ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି । ଏହି ରେଳପଥର ମୋଟ ୧୪୯.୭୮ କିମି ମଧ୍ୟରୁ ଅନୁଗୋଳ ଜିଲ୍ଲାରେ ୭୯ କିମି, ଦେବଗଡ଼ ଜିଲ୍ଲାରେ ୩୨ କିମି ଏବଂ ସୁନ୍ଦରଗଡ ଜିଲ୍ଲାରେ ୩୯ କିମି ନିର୍ମାଣ କରାଯିବ । କେବଳ ସୁଡଙ୍ଗ ନିର୍ମାଣ ହୋଇପାରି ନଥିବାରୁ ରେଳ ଲାଇନ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିଲା । ଏହାଛଡା ଜମି ଅଧିଗ୍ରହଣ, ଜଙ୍ଗଲ ମଞ୍ଜୁରୀ, ଆଇନଗତ କ୍ଲିୟରାନ୍ସ ଆଦି ସମସ୍ୟା ମଧ୍ୟ ରହିଛି । ତେବେ ସ୍ଥାନୀୟ ପ୍ରଶାସନର ସହାୟତାରେ ଏହି ସବୁ ସମସ୍ୟାର ସମାଧାନ କରାଯାଇ ଖୁବ ଶୀଘ୍ର ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଭାଗ ପଦକ୍ଷେପ ନେଉଛି ବୋଲି ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି ।

ପୂର୍ବତଟ ରେଳପଥର ଖୋର୍ଦ୍ଧା ଡିଭିଜନ ତାଳଚେର-ବିମଳାଗଡ ରେଳଲାଇନର ଏହି ସୁଡଙ୍ଗ ନିର୍ମାଣ ଶେଷ କରି ରେଳ ବିଭାଗ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି । ଏହି ପ୍ରକଳ୍ପ ଖୁବ ଶୀଘ୍ର ଶେଷ କରିବାକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.