ତାଳଚେରରେ MCLର ଦାଦାଗିରି, ବିନା ନୋଟିସ ଓ କ୍ଷତିପୂରଣରେ ଭାଙ୍ଗିଲା ଲୋକଙ୍କ ଘର

author img

By

Published : Nov 29, 2021, 7:59 AM IST

ତାଳଚେରରେ MCLର ଦାଦାଗିରି, ବିନା ନୋଟିସ ଓ କ୍ଷତିପୂରଣରେ ଭାଙ୍ଗିଲା ଲୋକଙ୍କ ଘର

କ୍ଷତିପୂରଣ ଓ ଥଇଥାନ ନକରି ରାତି ଅଧରେ MCL କୋଇଲା ଖଣି କର୍ତ୍ତୃପକ୍ଷ ବୁଲ୍‌ଡୋଜର ଲଗାଇ ଲୋକଙ୍କ ଘର ଭାଙ୍ଗିଛନ୍ତି । ଘର ଭାଙ୍ଗିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଅନୁଗୋଳ: ଜିଲ୍ଲା ତାଳଚେରରେ ଥିବା MCL କୋଇଲା ଖଣିରେ କର୍ତ୍ତୃପକ୍ଷ ଦାଦାଗିରି କରୁଥିବା ଅଭିଯୋଗ ହୋଇଛି । କ୍ଷତିପୂରଣ ଓ ଥଇଥାନ ନକରି ରାତି ଅଧରେ MCL କୋଇଲା ଖଣି କର୍ତ୍ତୃପକ୍ଷ ବୁଲ୍‌ଡୋଜର ଲଗାଇ ଲୋକଙ୍କ ଘର ଭାଙ୍ଗିଛନ୍ତି । ଘର ଭାଙ୍ଗିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଏହାକୁ ନେଇ ତାଳଚେରରେ ଥିବା ସମସ୍ତ ଖଣି ଖାଦାନକୁ ବନ୍ଦ କରିଛନ୍ତି ଗ୍ରାମବାସୀ ।

ତାଳଚେରରେ MCLର ଦାଦାଗିରି, ବିନା ନୋଟିସ ଓ କ୍ଷତିପୂରଣରେ ଭାଙ୍ଗିଲା ଲୋକଙ୍କ ଘର

ରାତିଅଧରେ ଘର ଉପରେ ବୁଲଡୋଜର ବୁଲିବା ପରେ ମାଟିରେ ମିଶି ଯାଇଛି ଲୋକଙ୍କ ସମସ୍ତ ଜରୁରୀ ଆସବାଵପତ୍ର । ତାଳଚେରରେ ଥିବା ଜଗନ୍ନାଥ କୋଇଲା ଖଣି ପାଖରେ ଥିବା ହିଲୋଇ ଗ୍ରାମରେ ୧୨୦ଟି ପରିବାର ଖଣି ଯୋଗୁଁ ଜମି ହରାଇଛନ୍ତି । କିନ୍ତୁ ତାଙ୍କୁ କ୍ଷତିପୂରଣ ଦିଆନଯାଇ MCL ପକ୍ଷରୁ ରାତିଅଧରେ ଲୋକଙ୍କୁ ଘରୁ ବାହାର କରି ଜୋର୍‌ ଜବରଦସ୍ତ ବୁଲ୍‌ଡୋଜର ଚଢ଼ାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଖଣି ଖାଦାନକୁ ବନ୍ଦ କରି ଧାରଣାରେ ବସିଥିଲେ ଗ୍ରାମବାସୀ ।

ହିଲୋଇ ଗାଁ ନିକଟରେ ଥିବା ଘର ଭାଙ୍ଗିବା ପୂର୍ବରୁ MCL ପକ୍ଷରୁ କୌଣସି ସୂଚନା କିମ୍ବା କ୍ଷତିପୂରଣ ଦିଆଯାଇନଥିବା ଅଭିଯୋଗ ହୋଇଛି । ଆଗାମୀ ଦିନରେ MCL ତାର ନୀତି ନ ବଦଳାଇଲେ ଗ୍ରାମବାସୀମାନେ କୋଇଲା ଖଣି ଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।

ସ୍ଥାନୀୟ ସରପଞ୍ଚ ଓ MCLର ଏଭଳି ରାତି ଅଧିଆ କାର୍ଯ୍ୟକୁ ଦୃଢ଼ ନିନ୍ଦା କରିବା ସହ ରାଜ୍ୟ ସରକାରଙ୍କ ଥଇଥାନ ଓ କ୍ଷତିପୂରଣ ନୀତିକୁ ଅଣଦେଖା କରୁଥିବାରୁ MCL ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି । ଅନ୍ୟପଟେ ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରିଛି ପ୍ରଶାସନ । ଏହାକୁ ନେଇ MCLକୁ ଯୋଗାଯୋଗ କରା ଯାଇଥିଲେ ସୁଦ୍ଧା କ୍ୟାମେରା ଆଗରେ କୋଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.