ଅନୁଗୋଳ ମୁଖ୍ୟ ଡାକ୍ତରଖାନାରେ ଖତ ଖାଉଛି ଗଦାଗଦା ସରକାରୀ ଔଷଧ, ଦାୟୀ କିଏ...

author img

By

Published : Sep 20, 2021, 7:02 PM IST

Updated : Sep 20, 2021, 7:20 PM IST

ମୁଖ୍ୟ ଡାକ୍ତରଖାନାରେ ଖତ ଖାଉଛି ସରକାରୀ ଔଷଧ

ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଥିବା ଏକ କ୍ୱାଟରରୁ ବାହାରିଲା ଗଦାଗଦା ଦାମୀ ଔଷଧ। ଘରଟି ଦୀର୍ଘ ଦିନ ହେଲା ଅବ୍ୟବହୃତ ହୋଇ ରହିଥିଲା । ଗତକାଲି ସେହି ଘର ଭଙ୍ଗା ଯାଉଥିବା ସମୟରେ ଭିତରୁ ବିଭିନ୍ନ କିସମର ବହୁ ପରିମାଣର ଔଷଧ ଗଚ୍ଛିତ ଥିବା ଦେଖିବାକୁ ମିଳିଥିଲା । ଅଧିକ ପଢ଼ନ୍ତୁ...

ଅନୁଗୋଳ: ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଥିବା ଏକ କ୍ୱାଟରରୁ ବାହାରିଲା ଗଦାଗଦା ଦାମୀ ଔଷଧ। ଘରଟି ଦୀର୍ଘ ଦିନ ହେଲା ଅବ୍ୟବହୃତ ହୋଇ ରହିଥିଲା । ଗତକାଲି(ରବିବାର) ସେହି ଘର ଭଙ୍ଗା ଯାଉଥିବା ସମୟରେ ଭିତରୁ ବିଭିନ୍ନ କିସମର ବହୁ ପରିମାଣର ଔଷଧ ଗଚ୍ଛିତ ଥିବା ଦେଖିବାକୁ ମିଳିଥିଲା । ବିପୁଳ ପରିମାଣରେ ନଷ୍ଟ ହୋଇଯାଇଥିବା ଔଷଧ ଉଦ୍ଧାର ହେବାପରେ କର୍ତ୍ତୃପକ୍ଷ ବିଳମ୍ବିତ ରାତିରେ ତରବରିଆ ଭାବେ ଟ୍ରକ ଯୋଗେ ଔଷଧ ଗୁଡ଼ିକୁ ଅନ୍ୟତ୍ର ନେଇ ଯିବାକୁ ଚେଷ୍ଟା କରିଥିଲେ ।

ଅନୁଗୋଳ ମୁଖ୍ୟ ଡାକ୍ତରଖାନାରେ ଖତ ଖାଉଛି ଗଦାଗଦା ସରକାରୀ ଔଷଧ, ଦାୟୀ କିଏ...


କିନ୍ତୁ ଏଥିରେ ବିଫଳ ହେବାରୁ ବାଧ୍ୟ ହୋଇ ପୁଣି ଟ୍ରକରେ ଲୋଡ୍‌ କରିଥିବା ଔଷଧ ସବୁକୁ ସେଠାରେ ଫିଙ୍ଗି ଚାଲି ଯାଇଥିଲା ଟ୍ରକ । ଏ ସମସ୍ତ ଘଟଣା ଘଟିଛି ଖୋଦ୍‌ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ । ସରକାର ରୋଗୀମାନଙ୍କୁ ମାଗଣା ଔଷଧ ଯୋଗାଇ ଦେବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପ୍ରତ୍ୟକ ସରକାରୀ ଡାକ୍ତରଖାନାରେ ବିପୁଳ ପରିମାଣର ଔଷଧ ମହଜୁଦ ରଖିବାକୁ କଡ଼ା ତାଗିଦ ମଧ୍ୟ କରୁଛନ୍ତି । ଲୋକଙ୍କ ହିତ ପାଇଁ ସରକାରୀ ଡାକ୍ତରଖାନା ଗୁଡ଼ିକରେ ବିପୁଳ ପରିମାଣର ଔଷଧ ରଖାଯାଉଛି ।

କିନ୍ତୁ ଅନୁଗୋଳ ମୁଖ୍ୟ ଡାକ୍ତରଖାନାରେ ସରକାର ଔଷଧଗୁଡ଼ିକ ନଷ୍ଟ କରାଯାଉଥିବା ଚିତ୍ର ଦେଖିବାକୁ ମିଳିଛି । ଏଠାକୁ ଆସୁଥିବା ରୋଗୀଙ୍କୁ ଠିକ୍‌ ଭାବରେ ଔଷଧ ମିଳୁନଥିବା ଅଭିଯୋଗ ହୋଇଛି । ଗାଁ ଗହଳିରୁ ଆସୁଥିବା ଅନେକ ରୋଗୀ ଏଠାରେ ଔଷଧ ନପାଇ ବାଧ୍ୟ ହୋଇ ବାହାରୁ କିଣୁଛନ୍ତି । ସେପଟେ ଖତ ଖାଉଛି ବହୁ ପରିମାଣର ନାମୀଦାମୀ ଔଷଧ ।

ଏହାକୁ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବେପରୁଆ ଏବଂ ଦାୟିତ୍ବହୀନତାକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ । ତେବେ ଘଟଣାକୁ ଗୁରୁତ୍ବର ସହ ନିଆ ଯାଇଛି ଓ ଏହାର ତଦନ୍ତ କରାଯିବ ବୋଲି ଅନୁଗୋଳ ଜିଲ୍ଲାପାଳ କହିଛନ୍ତି । ରୋଗୀଙ୍କ ଜୀବନ ରକ୍ଷା ପାଇଁ ଆସୁଥିବା ବିଭିନ୍ନ କିସମର ଔଷଧ ଯେଉଁଭଳି ଭାବେ ରୋଗୀଙ୍କୁ ନଦେଇ ମହଜୁଦ ରଖା ଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେଗୁଡିକ ନଷ୍ଟ କରାଯାଇଛି ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated :Sep 20, 2021, 7:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.