ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ଭେଟିଲେ ପିସିସି ସଭାପତି

author img

By

Published : Jan 9, 2023, 12:24 PM IST

PCC President Sarat Patnaik meet victims family

ପିସିସି ସଭାପତି ଶରତ ପଟ୍ଟନାୟକଙ୍କର ଅନୁଗୋଳ ଗସ୍ତ । ଗତକାଲି ପିସିସି ସଭାପତି ଅନୁଗୋଳରେ ପହଞ୍ଚି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ଭେଟିଥିଲେ । ଏହାସହ ମୃତକଙ୍କ ପରିବାରକୁ ସାହାଯ୍ୟ ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି । ଅଧିକ ପଢ଼ନ୍ତୁ

ମୃତକଙ୍କ ପରିବାରକୁ ଭେଟିଲେ ପିସିସି

ଅନୁଗୋଳ: ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ଭେଟିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ । ସେଠାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ଏହାସହ ଦାୟିତ୍ୱରେ ଅବହେଳା କରିଥିବା ବନବିଭାଗର ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଅନୁଗୋଳ ଗସ୍ତରେ ଆସି ଗତ ଶନିବାର ହାତୀ ଆକ୍ରମଣରେ ୪ ମୃତକଙ୍କ ପରିବାରକୁ ଭେଟିଥିଲେ । ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଟ୍ଟନାୟକ ଏହି ଘଟଣାକୁ ନେଇ ଅତ୍ୟନ୍ତ ମର୍ମାହତ ବୋଲି କହିଥିଲେ । ଗୋଟିଏ ହାତୀ ଗାଁକୁ ଗାଁ ଯାଇ ଚାରୋଟି ଗାଁରେ ଅନାୟସରେ କାଣ୍ଡ ଘଟାଇଗଲା, ଅଥଚ ବନବିଭାଗ କୌଣସି ପଦକ୍ଷେପ ନେଇ ନପାରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଥିଲେ । ଏହାସମ୍ପୂର୍ଣ୍ଣ ରୂପେ ବନବିଭାଗର ଅପାରଗତାକୁ ନିର୍ଦ୍ଦେଶ କରୁଥିବା କହିଛନ୍ତି ।

ତେଣୁ ପ୍ରକୃତ ଦୋଷୀ ଅଧିକାରୀମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ପ୍ରଦାନ କରିବା ଉଚିତ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ମୃତକଙ୍କ ପାଇଁ ଯେଉଁ କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି ତାହା ଅତ୍ୟନ୍ତ ନଗଣ୍ୟ । ତେଣୁ ସରକାର ସର୍ବନିମ୍ନ ଅନ୍ୟୁନ ୨୦ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି । ଏହାସହ ମୃତକଙ୍କ ପରିବାରର ଥଇଥାନ ପାଇଁ ପରିବାରରୁ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଉଚିତ ହେବ ବୋଲି ସେ କହିଛନ୍ତି । ଏହାବ୍ୟତୀତ ଶେଷକୃତ୍ୟ ଓ ଅନ୍ୟାନ୍ୟ ନୀତି କାର୍ଯ୍ୟ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ମଧ୍ୟ ଦାବି ହୋଇଛି ।

ଏହାମଧ୍ୟ ପଢ଼ନ୍ତୁ. ଅନୁଗୋଳରେ ମାତିଛି ମଖାନା ହାତୀ, ନେଲା 4 ଜୀବନ

ମୃତକଙ୍କ ପରିବାରକୁ ଭେଟିବା ପରେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରି ଜାଣିବାକୁ ପାଇଲେ ଯେ ସ୍ଥାନୀୟ ଲୋକେ କେତେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଚାଷ ସମ୍ପୂର୍ଣ୍ଣ ପ୍ରଭାବିତ ହେଉଥିବା ସେ ଉପଲବ୍ଧି କରିଛନ୍ତି । ଏଣୁ ଚାଷୀମାନଙ୍କୁ ଚାଷ କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ହେଲେ ସେମାନଙ୍କ ଚାଷ କ୍ଷେତକୁ ବନ୍ୟଜନ୍ତୁଙ୍କ କବଳରୁ ବଞ୍ଚାଇବା ପାଇଁ ପଦକ୍ଷେପ ନେବା ଅତି ଆବଶ୍ୟକ ହୋଇପଡ଼ିଛି ।

ଧନ ଜୀବନକୁ ସୁରକ୍ଷା ଦେବା ସରକାରଙ୍କ ପ୍ରମୁଖ କର୍ତ୍ତବ୍ୟ ତା ଯଦି ନହେଲା ଜନତା ବରଦାସ୍ତ କରିବେ ନାହିଁ । ଏଣୁ ସରକାର ବେଳ ଥାଉ ସଜାଗ ହେବାକୁ ତାଗିଦ କରିଛନ୍ତି ଶରତ ପଟ୍ଟନାୟକ । ମୃତକମାନଙ୍କ ପରିବାରକୁ ଭେଟିବାକୁ ପ୍ରଦେଶ କଂଗ୍ରେସ କମିଟିର ସଭାପତିଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନା, ଜାତୀୟ ମହିଳା କଂଗ୍ରେସ ସଂପାଦିକା ସସ୍ମିତା ବେହେରାଙ୍କ ସହ, ଜିଲ୍ଲା କଂଗ୍ରେସ ବହୁ ସଦସ୍ୟ ସାମିଲ ହୋଇଥିଲେ ।

ଅନୁଗୋଳ ଜିଲ୍ଲାରେ ଥମୁନି ହାତୀ ଆତଙ୍କ । ଗୋଟିଏ ଦିନରେ ଚାରି ଜଣଙ୍କୁ ମାରିଦେଲା ହାତୀ । ଗତ ଶନିବାର ସକାଳେ ଅନୁଗୋଳରେ ହାତୀ ବିଭିନ୍ନ ଗାଁରେ ପଶି ୪ ଜଣଙ୍କୁ ମାରିବା ସହ ବ୍ୟାପକ ଫସଲ କ୍ଷୟକ୍ଷତି କରିଛି । ସେହିପରି ରେଞ୍ଜର ଅଙ୍ଗାରବନ୍ଧ, ଛେଳିଆପଡ଼ା ଓ ବାରସିଂହା ଗ୍ରାମରେ ତିନି ଜଣଙ୍କୁ ହାତୀ ଦଳି ଦେଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.