ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧି ଦଳ

author img

By

Published : Jan 12, 2023, 9:58 AM IST

Updated : Jan 12, 2023, 2:32 PM IST

ମୃତକ ପରିବାରକୁ ଭେଟିଲେ ବିଜେପି ପ୍ରତିନିଧି ଦଳ

ଅନୁଗୋଳ ଜିଲ୍ଲାରେ ହାତୀ ଆତଙ୍କରେ ଅନେକ ଜୀବନ ଦୀପ ଲିଭି ଯାଉଛି । ଆତ୍ମୀୟଙ୍କୁ ହରାଇ ପରିବାର ଭାଙ୍ଗି ପଡୁଛି । ହାତୀ ଆକ୍ରମଣରେ ମୃତ ସମସ୍ତଙ୍କ ପରିବାରକୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ ( bjp delegation meet deceased family )। ଅଧିକ ପଢନ୍ତୁ

ବିଜେପି ପ୍ରତିନିଧି ଦଳ

ଅନୁଗୋଳ: ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛନ୍ତି ହାତୀ । ଗୋଟିଏ ଦିନରେ ଲିଭିଯାଇଛି 4 ଜୀବନ । ହାତୀ ପଲଙ୍କ ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି । ଆତ୍ମୀୟଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର ଲୋକ । ଗତ ୭ତାରିଖ ଅନୁଗୋଳର ବିଭିନ୍ନ ଗାଁରେ ଗୋଟିଏ ଦିନରେ ହାତୀ ଆକ୍ରମଣରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ବନ ବିଭାଗକୁ ସମ୍ପୂର୍ଣ୍ଣ ଦାୟୀ କରିଛି ବିଜେପି । ବୁଧବାର ରାଜ୍ୟ ବିଜେପିର ଏକ ଟିମ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ସମସ୍ତ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।

ବିଜେପିର ଏହି ପ୍ରତିନିଧି ଦଳ ସକାଳ ୧୧ଟାରେ ପ୍ରଥମେ ଛେଳିଆପଡା ଯାଇ ମୃତକ ସୁବାସ ବିଶ୍ବାଳଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ । ଏହାପରେ ଅଙ୍ଗାରବନ୍ଧ ଗାଁର ମୃତକ ଅନୁଭୂତ ସାହୁ, ବାରସିଙ୍ଗା ଗାଁର ମୃତକ ରମେଶ ସ୍ବାଇଁ ଏବଂ ସନ୍ତ୍ରୀ ଗାଁର ମୃତକ ଅଜୟ ସାମଲଙ୍କ ପରିବାରକୁ ଯାଇ ସମବେଦନା ଜଣାଇବା ସହ ସେମାନଙ୍କର ସୁଖ ଦୁଃଖ ବୁଝିଥିଲେ। ହାତୀ ଆକ୍ରମଣରେ ଜିଲ୍ଲାରେ ବହୁ ଧନ ଜୀବନ କ୍ଷୟକ୍ଷତି ହେଉଛି । ସରକାର ହାତୀ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ମଣିଷ ସୁରକ୍ଷା ପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି । ବନ ବିଭାଗ ହାତୀର ଗତିବିଧି ନେଇ ଲୋକଙ୍କୁ ପୂର୍ବରୁ କୌଣସି ସୂଚନା ଦେଉ ନଥିବାରୁ ଏଭଳି ଦୁର୍ଘଟଣା ଘଟୁଛି । ତେଣୁ ଏଥିପାଇଁ ବନ ବିଭାଗ ସମ୍ପୂର୍ଣ୍ଣ ଦାୟୀ ବୋଲି ଏହି ଟିମ ଅଭିଯୋଗ କରିଛି । ସରକାର ଲୋକଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବା ସହ ମୃତକ ପରିବାରକୁ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପରିବାରର ଜଣକୁ ନିଯୁକ୍ତି ଦେବାକୁ ଦାବି କରିଥିଲେ ବିଜେପି ପ୍ରତିନିଧି ଦଳ ।

ଏହା ବି ପଢନ୍ତୁ...ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ଭେଟିଲେ ପିସିସି ସଭାପତି

ବିଜେପି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବିଧାୟକ ନାଉରି ନାୟକ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ନାୟକ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଅନୁଗୋଳ ଜିଲ୍ଲା ସଭାପତି ଡିଲେଶ୍ବର ପ୍ରଧାନ, ପୂର୍ବତନ ସାଂସଦ ରୁଦ୍ରନାରାୟନ ପାଣି, ଠାକୁର ରଞ୍ଜିତ ଦାସ, ସୀମାଞ୍ଚଳ ଖଟେଇ, ପ୍ରତାପ ପ୍ରଧାନ, ଅଶୋକ ମହାନ୍ତି ଏବଂ ଭାଗିରଥି ପ୍ରଧାନ ପ୍ରମୁଖ ଏହି ଟିମରେ ସାମିଲ ଥିଲେ ।

ଏହା ବି ପଢନ୍ତୁ...ଅନୁଗୋଳରେ ମାତିଛି ମଖାନା ହାତୀ, ନେଲା 4 ଜୀବନ

ପ୍ରକାଶ ଥାଉ କି, ଜାନୁଆରୀ 9 ତାରିଖରେ ହାତୀ ଆକ୍ରମଣରେ ଜୀବନ ହରାଇଥିବା ସମସ୍ତ ମୃତକଙ୍କ ପରିବାରକୁ ଭେଟିଥିଲେ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହି 20 ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି କରିଥିଲା କଂଗ୍ରେସ ଟିମ । ଗତ 7 ତାରିଖରେ ଅନୁଗୋଳ ଜିଲ୍ଲାରେ ବିଭିନ୍ନ ଗାଁରେ ପଶି ହାତୀ ଆତଙ୍କ ଖେଳାଇଥିଲା । ଏଥିରେ 4ଜଣଙ୍କର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ଅନୁଗୋଳ

Last Updated :Jan 12, 2023, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.