ଅନୁଗୋଳରେ ଘନ କୁହୁଡି ଆସ୍ତରଣ: ଦିଶୁନି ରାସ୍ତାଘାଟ, ବିନା ବର୍ଷାରେ ଓଦା ହେଉଛନ୍ତି ଲୋକେ

author img

By

Published : Jan 13, 2023, 1:50 PM IST

ଅନୁଗୋଳରେ ଘନ କୁହୁଡି ଆସ୍ତରଣ

ଅନୁଗୋଳବାସୀଙ୍କୁ କଲବଲ କରୁଛି ଘନ କୁହୁଡି । ରାସ୍ତାଘାଟ ଦିଶୁନଥିବାରୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଛି । ଅଧିକ ପଢନ୍ତୁ

ଅନୁଗୋଳରେ ଘନ କୁହୁଡି ଆସ୍ତରଣ

ଅନୁଗୋଳ: ଘନ କୁହୁଡିରେ ଢାଙ୍କି ହୋଇଛି ଅନୁଗୋଳ । କୁହୁଡି ଆସ୍ତାରଣରେ ଦିଶୁନି ରାସ୍ତାଘାଟ । ମୁହଁକୁ ମୁହଁ ଦେଖାଯାଉନି । ଆଜି(ଶୁକ୍ରବାର) ଅନୁଗୋଳ ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ଘନ କୁହୁଡି ଦେଖିବାକୁ ମିଳିଛି । ଗୁରୁବାର ବିଳମ୍ବିତ ରାତିରୁ ଆରମ୍ଭ କୁହୁଡି ସକାଳ ସାଢେ ୯ଟା ଯାଏଁ ବିଭିନ୍ନ ଅଞ୍ଚଳକୁ ଢାଙ୍କି ରହିଛି । ଗଛଲତା, ରାସ୍ତାଘାଟ ସବୁକିଛି କୁହୁଡି ଚାଦର ତଳେ ଲୁଚି ଯାଇଛି । ଦୃଶ୍ୟମାନ ଦୂରତା ୨୦ ମିଟରକୁ କମ୍ ରହିଛି । ଏହାଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ରାସ୍ତାଘାଟ ଦେଖା ନଯିବାରୁ ଯାତାୟତରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଜିଲ୍ଲାବାସୀ ।

ଆଜି ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ଘନ କୁହୁଡି ଦେଖିବାକୁ ମିଳିଛି । ଗତ ଡିସେମ୍ବର ଦ୍ଵିତୀୟ ସପ୍ତାହରେ ଏଭଳି କୁହୁଡି ପରିଲକ୍ଷିତ ହୋଇଥିଲା । ଆଜିର କୁହୁଡ଼ିର ଏତେ ଘନତା ରହିଛି ଯେ, ୨୦ ମିଟର ଦୂରଣ କଣ ଅଛି ଦେଖାଯାଉନି । ଗଛ ଗୁଡିକ କୁହୁଡ଼ିର ଆସ୍ତରଣ ଭିତରେ ଦୃଶ୍ୟମାନ ହେଉ ନାହାନ୍ତି । ଉପରୁ ଟପ୍ ଟପ୍ ହୋଇ ପାଣି ପଡ଼ୁଛି । ରାସ୍ତାଘାଟ ଓଦା ହୋଇଯାଇଛି । ରାସ୍ତାରେ ଯାଉଥିବା ବେଳେ ମୁଣ୍ଡ ଓ ପୋଷାକ ମଧ୍ୟ ଓଦା ହୋଇଯାଉଛି । ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ସକାଳୁ କୁହୁଡି ଆରମ୍ଭ ହୋଇଥିଲେ ମଧ୍ୟ ସମୟ ଯେତିକି ବଢୁଛି କୁହୁଡ଼ିର ଘନତା ସେତିକି ବଢୁଛି ।

ସକାଳୁ ସ୍କୁଲ କଲେଜକୁ ପିଲାମାନେ ଯିବାପାଇଁ ଅସୁବିଧା ଭୋଗୁଛନ୍ତି । ଦିନ ମଜୁରିଆ କାମ କରିବାକୁ ବାହାରକୁ ଯାଇ ପାରୁନାହାନ୍ତି । ଦେଖିବାକୁ ଗଲେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଯାଇଛି । ସକାଳ ୯ଟା ୩୦ ପର୍ଯ୍ୟନ୍ତ କୌଣସି ଦୋକାନ ବଜାର ଖୋଲି ପାରିନାହିଁ । କେବଳ ସାଧାରଣ ଲୋକ ନୁହେଁ, କୁହୁଡ଼ିର ପ୍ରଭାବ ପନିପରିବା ଚାଷ ଉପରେ ପଡୁଛି । ବିଭିନ୍ନ ପନିପରିବା ନଷ୍ଟ ହେବାର ଆଶଙ୍କା କରି ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । ଆମ୍ବ ଗଛ ଗୁଡିକରେ ବଉଳ ନଷ୍ଟ ହେବାର ଆଶଙ୍କା ମଧ୍ୟ ରହିଛି ।

ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଥିବାବେଳେ ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡିକରେ ଘନ କୁହୁଡି ଦେଖିବାକୁ ମିଳୁଛି । ତେବେ ଉଷ୍ମ-ଜଳୀୟବାଷ୍ପ ପୂର୍ଣ୍ଣ ସାମୁଦ୍ରିକ ବାୟୁର ପ୍ରଭାବ ବୃଦ୍ଧି ସହ ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବା ସହ ଶୀତର ପ୍ରକୋପ କମିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.