Hockey World Cup: ଦ୍ବିତୀୟ ଦିନ କ୍ରସଓଭର ମୁକାବିଲା, କ୍ବାର୍ଟର ପାଇଁ ଲଢିବେ 4 ଦଳ

author img

By

Published : Jan 23, 2023, 9:02 AM IST

Hockey World Cup crossover match

ଏଫଆଇଏଚ ପୁରୁଷ ହକି ବିଶ୍ବକପ ଆଜି 11 ଦିନରେ ପହଞ୍ଚିଛି । ଆଜି ଦ୍ବିତୀୟ ଦିନ କ୍ରସଓଭର ମ୍ୟାଚ ଖେଳାଯିବ । ମୋଟ 4ଟି ଟିମ କ୍ବାର୍ଟରରେ ସ୍ଥାନ ପକ୍କା କରିବାକୁ ପରସ୍ପର ସହ କ୍ରସଓଭର ମ୍ୟାଚ ଖେଳିବେ । ଅଧିକ ପଢନ୍ତୁ

ଭୁବନେଶ୍ବର: ହକି ବିଶ୍ବକପ କ୍ରସଓଭର ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଆଜି ଦ୍ବିତୀୟ ଦିନରେ ତୃତୀୟ ଓ ଚତୁର୍ଥ କ୍ରସଓଭର ମ୍ୟାଚ ଖେଳାଯିବ । ଏଥିରେ ଜର୍ମାନୀ ବନାମ ଫ୍ରାନ୍ସ ଓ ଆର୍ଜେଣ୍ଟିନା ବନାମ କୋରିଆ ମଧ୍ୟରେ କ୍ରସଓଭର ମୁକାବିଲା ଅନୁଷ୍ଠିତ ହେବ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଜର୍ମାନୀ ବନାମ ଫ୍ରାନ୍ସ ମଧ୍ୟରେ ଅପରାହ୍ନ 4ଟା 30 ଓ ଆର୍ଜେଣ୍ଟିନା ଓ କୋରିଆ ମଧ୍ୟରେ ରାତି 7 ଟା ମ୍ୟାଚ ଆରମ୍ଭ ହେବ । ଷ୍ଟାର୍‌ ସ୍ପୋର୍ଟ୍ସ ନେଟୱାର୍କ, ଡିଜନୀ ହଟଷ୍ଟାର ଓ ୱାଚ ହକି.କମରେ ମ୍ୟାଚ ଦେଖିପାରିବେ ହକିପ୍ରେମୀ ।

ଜର୍ମାନୀ-ଫ୍ରାନ୍ସ କ୍ରସଓଭର ମ୍ୟାଚ: କଳିଙ୍ଗ ଷ୍ଟାଡିୟମରେ ତୃତୀୟ କ୍ରସଓଭର ମ୍ୟାଚରେ ଜର୍ମାନୀ ଓ ଫ୍ରାନ୍ସ ପରସ୍ପରକୁ ଭେଟିବେ । ବିଶ୍ବ ରାକିଂରେ ଜର୍ମାନୀ ଦଳ ଚତୁର୍ଥ ସ୍ଥାନରେ ରହିଛି । ସେହିପରି ଫ୍ରାନ୍ସ 12 ନମ୍ବରରେ ରହିଛି । ଜର୍ମାନୀ ପୁଲ ପର୍ଯ୍ୟାୟରେ 3ଟି ମ୍ୟାଚରୁ 2ଟିରେ ବିଜୟ ହାସଲ କରିଥିବାବେଳେ ଗୋଟିଏ ଡ୍ର ହୋଇଥିଲା । ଫ୍ରାନ୍ସ ପୁଲ ପର୍ଯ୍ୟାୟରେ 3ଟି ମ୍ୟାଚରୁ ଗୋଟିଏ ଜିତିଛି । ଗୋଟିଏ ଡ୍ର ହୋଇଥିବାବେଳେ ଗୋଟିଏରେ ପରାସ୍ତ ହୋଇଥିଲା ।

ଜର୍ମାନୀ ବିପକ୍ଷରେ ଫ୍ରାନ୍ସ ଆଜି ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ଜିତିନାହିଁ । ଆଜି ଫ୍ରାନ୍ସ ଏ ଧାରାକୁ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି । ଜର୍ମାନୀ ଓ ଫ୍ରାନ୍ସ ମଧ୍ୟରେ 12ଟି ମୁକାବିଲା ଖେଳାଯାଇଛି । ଏଥିରେ ଜର୍ମାନୀର ପଲ୍ଲା ଭାରି ରହିଛି । ସମସ୍ତ ମୁକାବିଲାରେ ଜର୍ମାନୀ ବାଜି ମାରିଛି । ଅଲମ୍ପିକ୍ସରେ ଫ୍ରାନ୍ସକୁ 3 ଥର ପରାସ୍ତ କରିଛି ଜର୍ମାନୀ । ବିଶ୍ବକପରେ ପରସ୍ପର ପ୍ରଥମ ଥର ପାଇଁ ମହାଁମୁହିଁ ହେବେ । ବିଜେତା ଦଳ କ୍ବାର୍ଟରରେ ପ୍ରବେଶ କରି ଇଂଲଣ୍ଡକୁ ଭେଟିବ ।

ଏହା ବି ପଢନ୍ତୁ...Hockey World Cup 2023 : ଭାରତର ବିଶ୍ବକପ ସୂପ୍ନ ଧୂଳିସାତ୍, ପେନାଲ୍ଟି ସୁଟ ଆଉଟରେ ନ୍ୟୁଜିଲାଣ୍ଡ ବିଜୟୀ

ଆର୍ଜେଣ୍ଟିନା-କୋରିଆ କ୍ରସଓଭର ମ୍ୟାଚ: ଚତୁର୍ଥ କ୍ରସଓଭରରେ ଆର୍ଜେଣ୍ଟିନା ଓ କୋରିଆ ମଧ୍ୟରେ ମୁକାବିଲା ହେବ । ଏଥିରେ ଆର୍ଜେଣ୍ଟିନା ପଲ୍ଲା ଭାରି ରହିବ । ଦୁଇଦଳ ପରସ୍ପରକୁ 10 ଥର ଭେଟିଛନ୍ତି । ଏଥରେ ଆର୍ଜେଣ୍ଟିନା 7ଥର ବିଜୟ ହାସଲ କରିଥିବାବେଳେ କୋରିଆ ଗୋଟିଏ ମ୍ୟାଚ ଜିତିଛି । ଅନ୍ୟ 2ଟି ମ୍ୟାଚ ଡ୍ର ହୋଇଛି । ଶେଷ ଥର ପାଇଁ 2017ରେ ହୋଇଥିବା ଏକ ମୁକାବିଲାରେ ଆର୍ଜେଣ୍ଟିନା 2-1ରେ ବାଜି ମାରି ନେଇଥିଲା । ବିଶ୍ବକପରେ ଚତୁର୍ଥ ଥର ପାଇଁ ଦୁଇ ଦଳ ପରସ୍ପରକୁ ଭେଟିବେ । ଏହି କ୍ରସଓଭର ବିଜୟ ଦଳ କ୍ବାର୍ଟରରେ ନେଦରଲାଣ୍ଡସକୁ ଭେଟିବ ।


ଏହା ବି ପଢନ୍ତୁ...Hockey World Cup 2023 :କ୍ବାର୍ଟରରେ ସ୍ପେନ୍, ପେନାଲ୍ଟି ସୁଟ୍ ଆଉଟରେ ମାଲେସିଆ ପରାସ୍ତ

ପ୍ରକାଶ ଥାଉକି, ଗତକାଲି (ରବିବାର) ଦୁଇଟି କ୍ରସଓଭର ମ୍ୟାଚ ଖେଳାଯାଇଥିଲା । ପ୍ରଥମଟି ସ୍ପେନ ଓ ମାଲେସିଆ ମଧ୍ୟରେ ମୁକାବିଲା ହୋଇଥିଲା । ଦ୍ବିତୀୟଟି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିଲା । କ୍ବାର୍ଟର ସମୟରେ ମାଲେସିଆ ଓ ସ୍ପେନ ମଧ୍ୟରେ 2-2ରେ ଗୋଲ ବରାବର ହୋଇଥିବାରୁ ଉଭୟ ମ୍ୟାଚରେ ପେନାଲ୍ଟି ସୁଟଆଉଟ ହୋଇଥିଲା । ପେନାଲ୍ଟି ସୁଟଆଉଟରେ ମାଲେସିଆକୁ ମାତ ଦେଇ କ୍ବାର୍ଟରରେ ପ୍ରବେଶ କରିଥିଲା ସ୍ପେନ ।

କ୍ବାର୍ଟରରେ ଅଷ୍ଟ୍ରେଲିଆକୁ ଭେଟିବ ଦଳ । ସେହିପରି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ 3-3ରେ ଗୋଲ ବରାବର ହୋଇଥିଲା ତେଣୁ ପେନାଲ୍ଟି ସୁଟଆଉଟ ହୋଇଥିଲା । ଏଥିରେ ନ୍ୟୁଜିଲାଣ୍ଡ 5-4ରେ ବାଜି ମାରି ନେଇଥିଲା । ଫଳରେ ଭାରତର ବିଶ୍ବକପ ଅଭିଯାନ ଶେଷ ହୋଇଛି । କ୍ବାର୍ଟରରେ ବେଲଜିୟମକୁ ଭେଟିବ ନ୍ୟୁଜିଲାଣ୍ଡ । ଆସନ୍ତା 26 ତାରିଖରେ ଭାରତ ଜାପାନ ସହ ପୋଜିସନ ମ୍ୟାଚ ଖେଳିବ। ଏହି ମ୍ୟାଚ ରାଉରକେଲାରେ ଖେଳାଯିବ । ଭାରତ ପରାସ୍ତ ହେବା ପରେ କଳିଙ୍ଗରେ ନିରାଶ ହୋଇଥିଲେ ହଜାର ହଜାର ଦର୍ଶକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.