WPL 2023: ମୁମ୍ବାଇ ବିଜୟଧାରାରେ ବ୍ରେକ, 5 ୱିକେଟରେ ଜିତିଲା ୟୁପି

author img

By

Published : Mar 19, 2023, 7:09 AM IST

upwarriorz clinched a win over mumbai

ମହିଳା ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଅପରାଜେୟ ଥିବା ମୁମ୍ବାଇ ଇଣ୍ଡିଆନ୍ସ ତାର ପ୍ରଥମ ମୁକାବିଲା ହାରିଛି । ୟୁପି ୱାରିୟର୍ଜ ବିପକ୍ଷରେ ହୋଇଥିବା ମ୍ୟାଚରେ 5 ୱିକେଟରେ ପରାସ୍ତ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଅଧିକ ପଢନ୍ତୁ

ମୁମ୍ବାଇ: ମହିଳା ପ୍ରିମିୟର ଲିଗ ପ୍ରଥମ ସଂସ୍କରଣରେ ମୁମ୍ବାଇର ପ୍ରଥମ ପରାଜୟ ହୋଇଛି । ମହିଳା ଆଇପିଏଲର 15ତମ ମ୍ୟାଚରେ ୟୁପି ୱାରିୟର୍ଜ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ୟୁପି ୱାରିୟର୍ଜ ମୁମ୍ବାଇ ବିଜୟ ରଥରେ ବ୍ରେକ ଲଗାଇଛି । 5 ୱିକେଟରେ ବାଜି ମାରି ନେଇଛି ୟୁପି । ୱାରିୟର୍ଜର ଦିପ୍ତୀ ଶର୍ମା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ୟୁପି ୱାରିୟର୍ଜ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ପାଳି ଆରମ୍ଭ କରିଥିଲା ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ହେଲି ମାଥ୍ୟୁସ ଓ ୟାସ୍ତିକା ଭାଟିଆ ଓପନିଂ କରିଥିଲେ । 5 ଓଭର ପରେ ମୁମ୍ବାଇକୁ ପ୍ରଥମ ଝଟକା ଲାଗିଥିଲା । ୟାସ୍ତିକା ଭାଟିଆ 7 ରନ କରି ୟୁପିର ଅଞ୍ଜଲି ଶ୍ରାବଣୀଙ୍କ ଶିକାର ହୋଇଥିଲେ । ଏହାପରେ ସାଇବର ବ୍ରଣ୍ଟ 5 ରନ କରି ସଅଳ ପାଭିଲିୟର ଫେରିଥିଲେ । ସୋଫି ଏକ୍ଲେଷ୍ଟୋନ ତାଙ୍କୁ ଆଉଟ କରିଥିଲେ । ଦଳୀୟ ସ୍କୋର 40ରେ ମୁମ୍ବାଇର 2ଟି ୱିକେଟ ପତନ ହୋଇଥିଲା । ମୁମ୍ବାଇର ରନ ଗାଡି ମଧ୍ୟ ଧିମା ହୋଇଥିଲା । ହେଲି ମାଥ୍ୟୁସ ଓ ହର୍ମନପ୍ରୀତ କ୍ରିଜରେ ଉପସ୍ଥିତ ଥିଲେ । 11ତମ ଓଭରରେ ହେଲି 35ରନ କରି ସୋଫି ଏକ୍ଲେଷ୍ଟୋନଙ୍କ ବଲରେ ଆଉଟ ହୋଇଥିଲେ । ପରେ ପରେ ମୁମ୍ବାଇର ଲଗାତାର ୱିକେଟ ପତନ ହୋଇଥିଲା ।

ରାଜେଶ୍ବରୀ ଗାଏକ୍ବାର୍ଡ ଆମେଲିଆଙ୍କୁ (3) ଆଉଟ କରିଥିଲେ । ଦଳୀୟ ସ୍କୋର 77ରେ ମୁମ୍ବାଇ 4ଟି ୱିକେଟ ହରାଇ ସାରିଥିଲା । ଏହାପରେ ଅଧିନାୟିକା ହର୍ମନପ୍ରୀତ କୌରଙ୍କୁ (25) ଦିପ୍ତୀ ଶର୍ମା ଆଉଟ କରିଥିଲେ । ପରେ ପରେ ହୁମାଇରା କାଜି (4) ଆଉଟ ହୋଇଥିଲେ । ୟୁପି ୱାରିୟର୍ଜର ଶୃଙ୍ଖଳିତ ବୋଲିଂ ମୁମ୍ବାଇ ବ୍ୟାଟିଂ ଲାଇନ ଅପ ଉପରେ ରୋକ ଲଗାଇଥିଲା ଫଳରେ ବଡ ସ୍କୋର କରିବାରେ ଦଳ ବିଫଳ ହୋଇଥିଲା । ନିର୍ଦ୍ଧାରିତ 20 ଓଭରରେ ମୁମ୍ବାଇ 127 ରନ କରି ଆଲ ଆଉଟ ହୋଇଥିଲା । ୟୁପି ପାଇଁ 128ରନ ବିଜୟ ଲକ୍ଷ୍ୟ ରହିଥିଲା । ୟୁପି ପକ୍ଷରୁ ଏକ୍ଲେଷ୍ଟୋନ 3ଟି, ଦିପ୍ତୀ ଶର୍ମା ଓ ରାଜେଶ୍ବରୀ ଗାଏକ୍ବାର୍ଡ 2ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଅଞ୍ଜଳି ଗୋଟିଏ ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ....IPL 2023: ଏଯାଏଁ ଚମ୍ପିଆନ୍‌ ହୋଇ ପାରିନାହାନ୍ତି ଏହି 4 ଦଳ, ଏଥର ଚମକିବ କି ଭାଗ୍ୟ ?

128ରନ ବିଜୟ ଲକ୍ଷ୍ୟର ପିଛା କରି 27 ରନରେ ୟୁପି 3ଟି ୱିକେଟ ହରାଇଥିଲା । ଆରମ୍ଭରୁ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏଲିସା ହେଲି ( 8) ଓ କିରଣ ନବଗିରି (11) ରନ କରି ଆଉଟ ହୋଇଥିଲେ । ମଧ୍ୟଭାଗରେ ତାହିଲା ମ୍ୟାଗ୍ରାଥ ଓ ଗ୍ରେସ ହ୍ୟାରିସ ସ୍ଥିତି ସମ୍ଭାଳିଥିଲେ । ଉଭୟ ଯଥାକ୍ରମେ 38 ଓ 39 ରନ କରି ବିଜୟ ମୁଳଦୁଆ ପକାଇଥିଲେ । ଦଳୀୟ ସ୍କୋର 97ରେ ଦଳର 4ଟି ୱିକେଟ ପତନ ହୋଇଥିଲା । ଦୀପ୍ତି ଶର୍ମା 13 ଓ ସୋଫି ଏକ୍ଲେଷ୍ଟୋନ 16 ରନ କରି ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ଦେବିକା ବୈଦ୍ୟ 1 ରନ କରିଥିଲେ । ୟୁପି ୱାରିୟର୍ଜ 19.3 ଓଭରରେ 5 ୱିକେଟ ହରାଇ 129ରନ କରି ବିଜୟୀ ହୋଇଥିଲା । ମୁମ୍ବାଇ ପକ୍ଷରୁ ଆମେଲିଆ କେର 2ଟି, ସ୍କିଭର ବ୍ରଣ୍ଟ, ହେଲି ମ୍ୟାଥ୍ୟୁସ ଓ ଇସି ୱଙ୍ଗ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.