WPL 2023: ପଞ୍ଚମ ବିଜୟ ସହ ପ୍ଲେ ଅଫରେ ମୁମ୍ବାଇ, 55 ରନରେ ହାରିଲା ଗୁଜରାଟ

author img

By

Published : Mar 15, 2023, 7:37 AM IST

ପଞ୍ଚମ ବିଜୟ ସହ ପ୍ଲେ ଅଫରେ ମୁମ୍ବାଇ

ମହିଳା ପ୍ରିମିୟର ଲିଗରେ ଛାଇ ଯାଇଛି ମୁମ୍ବାଇ ଇଣ୍ଡିଆନ୍ସ । ଲଗାତାର ପଞ୍ଚମ ବିଜୟ ସହ ପ୍ଲେ ଅଫରେ ପ୍ରବେଶ କରିଛି ଦଳ । ଅଧିକ ପଢନ୍ତୁ

ମୁମ୍ବାଇ: ସାନଦାର ଜବରଦସ୍ତ... ମହିଳା ଆଇପିଏଲରେ ପ୍ରଧାନ୍ୟ ବିସ୍ତାର କରିଛି ନୀଳ ଜର୍ସି । ଗୋଟିଏ ପରେ ଗୋଟିଏ ଲଗାତାର ପଞ୍ଚମ ବିଜୟ ହାସଲ କରିଛି ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ମହିଳା ପ୍ରମିୟର ଲିଗର 12ତମ ମ୍ୟାଚରେ ଗୁଜରାଟ ଜିଆଣ୍ଟ୍ସକୁ 55ରନରେ ପରାସ୍ତ କରି ପ୍ଲେ ଅଫରେ ପ୍ରବେଶ କରିଛି ମୁମ୍ବାଇ । ହର୍ମନପ୍ରୀତଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । 30 ବଲରେ 51 ରନ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ହର୍ମନପ୍ରୀତ କୌର । ଯଦି ଦଳର ଏହିପରି ବିଜୟ ଜାରି ରୁହେ ତେବେ ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବ ।

ଟସ ଜିତି ଗୁଜରାଟ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ମୁମ୍ବାଇ 1 ରନରେ ପ୍ରଥମ ୱିକେଟ ହରାଇଥିଲା । ହେଲି ମାଥ୍ୟୁସ ଶୂନରେ ଆଉଟ ହୋଇଥିଲେ । ଏହାପରେ ନୀତାଲି ସ୍କିଭର ପ୍ରଣ୍ଟ ଅନ୍ୟ ଓପନର ୟାସ୍ତିକା ଭାଟିଆଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ଉଭୟ ଭଲ ପ୍ରଦର୍ଶନ କରି ଦଳୀୟ ସ୍କୋରକୁ 75ରେ ପହଞ୍ଚାଇଥିଲେ । ନୀତାଲି 36 ରନ କରି ଆଉଟ ହୋଇଥିଲେ । ପରେ ପରେ ୟାସ୍ତିକା 37 ବଲରେ 44 ରନ କରି ପାଭିଲୟନ ଫେରିବା ପରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କ୍ରିଜରେ ହର୍ମନପ୍ରୀତ ଉପସ୍ଥିତ ଥିଲେ । ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଏକ ମଜବୁତ ସ୍ଥିତିକୁ ଆଣିଥିଲେ । 30 ବଲର ସାମ୍ନା କରି 51 ରନ (7 ଚୌକା, 2 ଛକା) କରିଥିଲେ ହର୍ମନପ୍ରୀତ । ଅନ୍ୟମାନଙ୍କ ମଧ୍ୟରେ ଆମେଲିଆ 19 ରନ କରିଥିଲେ । ନିର୍ଦ୍ଧାରିତ 20 ଓଭରରେ ମୁମ୍ବାଇ 8 ୱିକେଟ ହରାଇ 162 ରନ କରିଥିଲା । ଗୁଜରାଟ ପକ୍ଷରୁ ଆସଲି ଗାର୍ଡନର ସର୍ବାଧିକ 3ଟି ୱିକେଟ ନେଇଥିଲେ । କିମ ଗାର୍ଥ, ସ୍ନେହ ରଣା ଓ ତନୁଜା କୱଁର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ...ସତ ହେଲା ଦିନେଶ କାର୍ତ୍ତିକଙ୍କ ଭବିଷ୍ୟବାଣୀ: ଓସ୍କାର ପାଇଲା RRR, WTC ଫାଇନାଲରେ ଭାରତ

163 ରନ ବିଜୟ ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ଗୁଜରାଟ । ମୁମ୍ବାଇ ଇଣ୍ଡିଆନ୍ସ ବୋଲରଙ୍କ ସାମ୍ନା କରି ପାରି ନଥିଲେ ଗୁଜରାଟ ବ୍ୟାଟର । ଓପନର ଶୋଫିଆ ଡଙ୍କଲି ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ । ହର୍ଲିନ ଦେଓଲ ଓ ମେଘନା ଲଢୁଆ ବ୍ୟାଟିଂ କରି ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ । ମେଘନା 16 ରନ କରି ଆଉଟ ହୋଇଥିଲେ । ହର୍ଲିନ 22ରନ କରି ଆଉଟ ହୋଇଥିଲେ । ଏହା ପରେ ଗୋଟିଏ ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା ।

ଦଳୀୟ ସ୍କୋର 56ରେ ଦଳର 6ଟି ୱିକେଟ ପତନ ହୋଇଥିଲା । ରନ ତିନି ଅଙ୍କ ଛୁଇଁବା କଷ୍ଟକର ହୋଇଥିଲା । ସ୍ନେହ ରଣା କିଛି ଦର୍ଶନୀୟ ସଟ ଖେଳିଥିଲେ ହେଁ 20 ରନ କରି ଆଉଟ ହୋଇଥିଲେ । ସୁଷମା ବର୍ମା ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ 107ରେ ପହଞ୍ଚାଇଥିଲେ । ବିଜୟ ଲକ୍ଷ୍ୟ ପିଛା କରୁଥିବା ଗୁଜରାଟ 9 ୱିକେଟ ହରାଇ 107 କରିବାକୁ ସକ୍ଷମ ହୋଇଥିଲା । ମୁମ୍ବାଇ ପକ୍ଷରୁ ନୀତାଲି ଓ ହେଲି ମାଥ୍ୟୁସ 3ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଆମେଲିଆ 2ଟି ୱିକେଟ ହାସଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.