IPL 2023: କୋହଲିଙ୍କ ଆଘାତ ନେଇ ବଡ଼ ସୂଚନା ଦେଲେ ସଞ୍ଜୟ ବାଙ୍ଗର

author img

By

Published : May 23, 2023, 2:28 PM IST

କୋହଲିଙ୍କ ଆଘାତ ନେଇ ବଡ଼ ସୂଚନା ଦେଲେ ସଞ୍ଜୟ ବାଙ୍ଗର

ଆଇପିଏଲ ୨୦୨୩ର ଶେଷ ଲିଗ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଚାଲିଥିବା ମ୍ୟାଚ୍ ସମୟରେ ବିରାଟ କୋହଲିଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ତେବେ ବିରାଟଙ୍କ ଆଘାତ ଚିନ୍ତାଜନକ ନୁହେଁ ବୋଲି ସୂଚନା ଦେଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁଖ୍ୟ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି । ଶେଷ ଲିଗ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଚାଲିଥିବା ମ୍ୟାଚ୍ ସମୟରେ ବିରାଟ କୋହଲିଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ବିଜୟ ଶଙ୍କରଙ୍କୁ ଆଉଟ୍‌ କରିବା ପାଇଁ ଏକ ଚମତ୍କାର କ୍ୟାଚ୍‌ ଧରିବାକୁ ଯାଇ ଆହତ ହୋଇଥିଲେ କୋହଲି । ତେବେ ବିରାଟଙ୍କ ଆଘାତ ଚିନ୍ତାଜନକ ନୁହେଁ ବୋଲି ସୂଚନା ଦେଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁଖ୍ୟ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର । ଯାହା ବିସିସିଆଇ ଓ ଭାରତୀୟ ପ୍ରଶଂସକଙ୍କୁ ଆଶ୍ବସ୍ତ କରିଛି ।

ଗତକାଲିର ମ୍ୟାଚ୍‌ରେ ବିରାଟ ଦମଦାର ବ୍ୟାଟିଂ ପ୍ରଦର୍ଶନ କରି ଚଳିତ ଆଇପିଏଲ ସଂସ୍କରଣରେ କ୍ରମାଗତ ଦ୍ବିତୀୟ ଶତକ ହାସଲ କରିଥିଲେ । ଏହାପରେ ଗୁଜରାଟ ବ୍ୟାଟିଂ କରୁଥିବା ସମୟରେ ଏକ ଚମତ୍କାର କ୍ୟାଚ୍ ନେଇ ବିଜୟ ଶଙ୍କରଙ୍କୁ ଆଉଟ୍‌ କରିଥିଲେ କୋହଲି । କିନ୍ତୁ ଏହି ସମୟରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । କୋହଲି ଛୋଟେଇ ଛୋଟେଇ ଚାଲୁଥିବା ଦେଖିବାକୁ ମିଳିଥିଲା । ଏହାପରେ ଫିଜିଓଥେରାଫିଷ୍ଟ୍‌ କୋହଲିଙ୍କୁ ନିକଟକୁ ଆସିଥିଲେ ଓ ସେ ପଡ଼ିଆ ଛାଡି ଯାଇ ଡଗ୍ଆଉଟରେ ବସିଥିଲେ । ଆଗକୁ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଆସୁଥିବାରୁ ଏହା ବିସିସିଆଇ ଓ ଭାରତୀୟ ପ୍ରଶଂସକଙ୍କ ଚିନ୍ତା ବଢ଼ାଇଦେଇଥିଲା ।

ବିରାଟ କୋହଲିଙ୍କ ଆହତ ହେବା ନେଇ ବାଙ୍ଗର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "କୋହଲିଙ୍କ ଆଣ୍ଠୁରେ ସାମାନ୍ୟ ଆଘାତ ଲାଗିଛି । ତେବେ ଏହା ବିଶେଷ ଗୁରୁତର ନୁହେଁ । ସେ ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି । ସେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ କ୍ରମାଗତ ଦୁଇଟି ଶତକ ହାସଲ କରିଥିଲେ । ସେ ଏପରି ଜଣେ ଖେଳାଳୀ, ଯିଏ କେବଳ ବ୍ୟାଟିଂରେ ନୁହେଁ, ବରଂ ଫିଲ୍ଡିଂରେ ମଧ୍ୟ ପାରଙ୍ଗମ ।"

ପ୍ରକାଶ ଥାଉ କି, ଚଳିତ ଆଇପିଏଲ୍‌ର ଲିଗ୍‌ ପର୍ଯ୍ୟାୟ ରବିବାର ଶେଷ ହୋଇଛି । ବିରାଟ କୋହଲିଙ୍କ ଟ୍ରଫି ସ୍ବପ୍ନ ପୁଣି ଅଧୁରା ରହିଛି । ବ୍ୟକ୍ତିଗତ ଭାବେ କୋହଲି ଶତକ ହାସଲ କରିଥିଲେ ମଧ୍ୟ ଆରସିବି ବୋଲରଙ୍କ ଖରାପ ପ୍ରଦର୍ଶନ କାରଣରୁ ବେଙ୍ଗାଲୁରୁରେ ହିଁ ଆର୍‌ସିବିକୁ ୬ ୱିକେଟ୍‌ରେ ହରାଇ ଦେଇଥିଲା ଗୁଜରାଟ ଟାଇଟନ୍ସ । ଏହି ପରାଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ୍‌ରେ ପ୍ରବେଶ କରିଥିଲା । ମଙ୍ଗଳବାର କ୍ବାଲିଫାୟାର-୧ରେ ଗୁଜରାଟ ଟାଇ‌ଟନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବ । ଏବଂ ବୁଧବାର ଏଲିମିନେଟରରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ମୁକାବିଲା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.