ଟିମ୍ ଇଣ୍ଡିଆକୁ ପ୍ରଶଂସା କଲେ ଶୋଏବ ଅଖତର, କହିଲେ ଭାଗ୍ୟ ସାଥ୍ ନଦେବାରୁ ହାରିଲା ଭାରତ
ଟିମ୍ ଇଣ୍ଡିଆକୁ ପ୍ରଶଂସା କଲେ ଶୋଏବ ଅଖତର, କହିଲେ ଭାଗ୍ୟ ସାଥ୍ ନଦେବାରୁ ହାରିଲା ଭାରତ
ବିଶ୍ବକପ୍ ୨୦୨୩ ଫାଇନାଲ୍ରେ ଭାରତୀୟ ଦଳ ହାରିବା ପରେ ପାକିସ୍ତାନରେ ଖୁସିର ଉତ୍ସବ ପାଳନ କରାଯାଉଛି । ହେଲେ ପୂର୍ବତନ ପାକିସ୍ତାନ କ୍ରିକେଟର ଶୋଏବ ଅଖତାର କିନ୍ତୁ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ଖୁବ ପ୍ରଶଂସା କରିଛନ୍ତି । ହେଲେ ଭାଗ୍ୟ ସାଥ ନଦେବାରୁ ଭାରତ ଏହି ବିଶ୍ବକପ୍ ହାରିଥିବା ସେ କହିଛନ୍ତି । ଅଧିକ ପଢ଼ନ୍ତୁ
ହାଇଦ୍ରାବାଦ: ବିଶ୍ବକପ୍ ୨୦୨୩ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଦମଦାର ପ୍ରଦର୍ଶନ ଜାରି ରଖି ଫାଇନାଲ୍ରେ ସମସ୍ତଙ୍କ ପ୍ରଥମ ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ହେଲେ ପୂର୍ବପରି ଫାଇନାଲ୍ରେ ଦଳ ଲୟରେ ନଥିବା ଭଳି ମନେ ହୋଇଥିଲା । ରୋହିତ ଶର୍ମା ଓ ବିରାଟ କୋହଲି ବ୍ୟାଟିଂ କରୁଥିବାବେଳେ ଲାଗୁଥିଲା ଭାରତ ଏକ ବଡ଼ ସ୍କୋର କରିବ ଓ ଭଲ ସ୍ଥିତିରେ ରହିବ । ରୋହିତଙ୍କ ୱିକେଟ୍ ପରେ ଦଳକୁ କୋହଲି ତ ସମ୍ଭାଳି ନେଲେ, ହେଲେ କୋହଲିଙ୍କ ୱିକେଟ୍ ପରେ କିନ୍ତୁ ରୋହିତ ବାହିନୀର ବିଜୟ ଆଶା କମି ଯାଇଥିଲା । ଶେଷରେ ଅଷ୍ଟ୍ରେଲିଆ ୬ ୱିକେଟ୍ରେ ବିଜୟୀ ହୋଇ ସମସ୍ତ ଆଶା ଓ ଆକଳନକୁ ଭୁଲ୍ ପ୍ରମାଣିତ କରିଥିଲା । ହେଲେ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅଖତର ।
-
India has lost the World Cup. If there was anyone who could have stopped them, has stopped them. pic.twitter.com/WMIMbcmEaO
— Shoaib Akhtar (@shoaib100mph) November 19, 2023
ଭାରତ ହାରିବା ପରେ ପାକିସ୍ତାନରେ ବେଶ ଉତ୍ସବ ପାଳନ କରାଯାଇଥିବାର ଭିଡିଓ ଭାଇରାଲ ହୋଇଥିଲା । ହେଲେ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅଖତର କିନ୍ତୁ ବିଶ୍ବକପ୍ ୨୦୨୩ରେ ଭାରତର ଯାତ୍ରାକୁ ନେଇ ଦଳକୁ ବେଶ ପ୍ରଶଂସା କରିଛନ୍ତି । ଶୋଏବ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, "ଭାରତ ଫାଇନାଲ ଖେଳିବାର ସୁଯୋଗ ପାଇଲା, ଏହା ଏତେ ସହଜ ନୁହେଁ । ଅନ୍ୟ ସବୁ ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଟିମ୍ ଇଣ୍ଡିଆ । ହେଲେ ଫାଇନାଲରେ ସେମାନେ ନିଜର ଭଲ ପ୍ରଦର୍ଶନକୁ ଦୋହରାଇ ପାରିଲେନାହିଁ । ଗତ ୧୨ ବର୍ଷ ମଧ୍ୟରେ ସେମାନେ ଅନେକ ଥର ଆଇସିସି ଟ୍ରଫିର ନିକଟତର ହୋଇଛନ୍ତି । ହେଲେ ଏହାକୁ ଜିତି ପାରିନାହାନ୍ତି । ଭାରତ ପାଖରେ ବିରାଟ କୋହଲିଙ୍କ ଭଳି ବ୍ୟାଟର ଓ ମହମ୍ମଦ ଶାମିଙ୍କ ଭଳି ୱିକେଟ ନେଇପାରୁଥିବା ବୋଲର ଅଛନ୍ତି । ହେଲେ ଭାଗ୍ୟ ସେମାନଙ୍କ ସାଥ୍ ଦେଲା ନାହିଁ ।" ଏହି ଭିଡିଓକୁ ନିଜ ଏକ୍ସ ହ୍ୟାଣ୍ଡେଲ୍ରେ ମଧ୍ୟ ପୋଷ୍ଟ କରିଛନ୍ତି ଶୋଏବ ଅଖତର ।
ପ୍ରକାଶଯୋଗ୍ୟ, ଚଳିତ ବିଶ୍ବକପ୍ରେ ଭାରତ ଏକମାତ୍ର ଦଳ ଭାବେ ଲିଗ୍ ପର୍ଯ୍ୟାୟ ଆରମ୍ଭରୁ ସେମିଫାଇନାଲ୍ ପର୍ଯ୍ୟନ୍ତ ସମସ୍ତ ୧୦ ମ୍ୟାଚ୍ ଜିତି ଅଭିଯାନ ଶେଷ କରିଥିଲା । ହେଲେ ଦୁର୍ଭାଗ୍ୟବଶତଃ ଫାଇନାଲ୍ରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଅନ୍ୟପଟେ ପାକିସ୍ତାନ ଅତି ଶୋଚନୀୟ ପ୍ରଦର୍ଶନ କରି ବିଶ୍ବକପ୍ରୁ ବିଦାୟ ନେଇଥିଲା । ୯ ଲିଗ୍ ମ୍ୟାଚ୍ରୁ କେବଳ ୪ ମ୍ୟାଚ୍ରେ ବିଜୟ ପାଇଥିବାବେଳେ ୫ ମ୍ୟାଚ୍ ହାରି ଭାରତରୁ ବିଦାୟ ନେଇଥିଲା ବାବର ଆଜମଙ୍କ ନେତୃତ୍ବାଧିନ ପାକିସ୍ତାନ । ଏଭଳି ପ୍ରଦର୍ଶନ ପରେ ପ୍ରଥମେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଚୟନ କମିଟି ମୁଖ୍ୟ ଇଞ୍ଜାମାମ୍ ଉଲ୍ ହକ୍ ଓ ପରେ ଦଳର ବୋଲିଂ କୋଚ୍ ମର୍ଣ୍ଣି ମୋର୍କେଲ୍ ନିଜ ପଦରୁ ଇସ୍ତାଫା ଦେଇଥିଲେ । ପରେ ନିଜେ ବାବର ଆଜମ ମଧ୍ୟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
