ବିଶ୍ବକପ୍ ୨୦୨୩ ଫାଇନାଲ୍: ମ୍ୟାଚ୍ ଆରମ୍ଭରୁ ରୋହିତ୍ ଶର୍ମାଙ୍କ ଦମଦାର ରେକର୍ଡ, ଅଧିନାୟକ ଭାବେ ସବୁଠୁ ଆଗରେ

ବିଶ୍ବକପ୍ ୨୦୨୩ ଫାଇନାଲ୍: ମ୍ୟାଚ୍ ଆରମ୍ଭରୁ ରୋହିତ୍ ଶର୍ମାଙ୍କ ଦମଦାର ରେକର୍ଡ, ଅଧିନାୟକ ଭାବେ ସବୁଠୁ ଆଗରେ
ବିଶ୍ବକପ୍ ୨୦୨୩ରେ ଶେଷ ଥର ପାଇଁ ବ୍ୟାଟିଂ କରି ସାରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ଫାଇନାଲ୍ ମ୍ୟାଚ୍ରେ ୪୭ ରନରେ ଆଉଟ୍ ହୋଇ ଅର୍ଦ୍ଧଶତକ କରିବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ସେ ଏକ ନୂଆ ବିଶ୍ବ ରେକର୍ଡ କରିଛନ୍ତି । ବିଶ୍ବକପ୍ ଇତିହାସରେ ଗୋଟିଏ ସଂସ୍କରଣରେ ସର୍ବାଧିକ ରନ ସଂଗ୍ରହକାରୀ ଅଧିନାୟକ ହୋଇଛନ୍ତି ରୋହିତ । ଅଧିକ ପଢ଼ନ୍ତୁ
ଅହମ୍ମଦାବାଦ: ବିଶ୍ବର ସବୁଠାରୁ ବଡ଼ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ୍ ୨୦୨୩ ଫାଇନାଲ୍ ମ୍ୟାଚ୍ ଜାରି ରହିଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆହ୍ବାନ କରିଥିଲା । ଜବାବରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆକ୍ରାମକ ଆରମ୍ଭ କରିଥିଲେ । ତେବେ ଭାରତର ପାଳି ଆରମ୍ଭ ହେବାର ଅଳ୍ପ ସମୟ ମଧ୍ୟରେ ଏକ ନୂଆ ବିଶ୍ବ ରେକର୍ଡ କରିଥିଲେ ଅଧିନାୟକ ରୋହିତ ଶର୍ମା । ଅଧିନାୟକ ଭାବେ ରୋହିତ ଦିନିକିଆ ବିଶ୍ବକପ୍ ଇତିହାସରେ ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି ।
ସବୁ ମ୍ୟାଚ୍ ପରି ଆଜିର ମ୍ୟାଚ୍ରେ ମଧ୍ୟ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ ରୋହିତ ଶର୍ମା । ୩୧ଟି ବଲରୁ ୪ ଚୌକା ଓ ୩ ଛକା ବଳରେ ୪୭ ରନ୍ ସ୍କୋର କରି ରୋହିତ ଚଳିତ ବିଶ୍ବକପ୍ର ଅନ୍ତିମ ମ୍ୟାଚ୍ରେ ଆଉଟ୍ ହୋଇଥିଲେ । ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ରୋହିତ ଏହି ପାଳି ସହିତ ଏକ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି । ଗୋଟିଏ ବିଶ୍ବକପ୍ ସଂସ୍କରଣରେ ସର୍ବାଧିକ ରନ୍ ସଂଗ୍ରହକାରୀ ଅଧିନାୟକ ହୋଇଛନ୍ତି ରୋହିତ । ଏହି ବିଶ୍ବକପ୍ରେ ଫାଇନାଲ୍ ସମେତ ୧୧ ମ୍ୟାଚ୍ ଖେଳି ରୋହିତ ମୋଟ ୫୯୭ ରନ୍ ସଂଗ୍ରହ କରିଛନ୍ତି । ଯାହାକି ବିଶ୍ବକପ୍ ଇତିହାସରେ କୌଣସି ଅଧିନାୟକଙ୍କ ଦ୍ବାରା ସର୍ବାଧିକ । ଏହି ରେକର୍ଡ କରିବା ପାଇଁ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ୍, ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟୱର୍ଦ୍ଧନେ, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଏବଂ ଆରୋନ ଫିଞ୍ଚ୍ଙ୍କୁ ପଛରେ ପକାଇଛନ୍ତି ଭାରତୀୟ ଅଧିନାୟକ ।
ଏହି ରେକର୍ଡ ଉପରେ ନଜର ପକାଇଲେ ଏବେ ଶୀର୍ଷରେ ରହିଛନ୍ତି ରୋହିତ ଶର୍ମା । ଦ୍ବିତୀୟରେ ଥିବା କିୱି ସ୍କିପର ୱିଲିୟମସନ୍ ୨୦୧୯ ବିଶ୍ବକପ୍ରେ ଅଧିନାୟକ ଭାବରେ ୫୭୮ ରନ୍ ସ୍କୋର କରିଥିଲେ । ସେହିଭଳି ୨୦୦୭ ବିଶ୍ବକପ୍ରେ ଅଧିନାୟକ ଭାବରେ ମାହେଲା ଜୟୱର୍ଦ୍ଧନେ ୫୪୮ ରନ୍ ସଂଗ୍ରହ କରି ତୃତୀୟରେ ରହିଥିବାବେଳେ ୨୦୦୩ରେ ଅଧିନାୟକ ଭାବରେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୫୩୯ ରନ୍ ସଂଗ୍ରହ କରି ଚତୁର୍ଥରେ ରହିଛନ୍ତି । ୨୦୧୯ ବିଶ୍ବକପ୍ରେ ଅଷ୍ଟ୍ରେଲିଆ ଅଧିନାୟକ ଭାବରେ ଆରୋନ୍ ଫିଞ୍ଚ୍ ୫୦୭ ରନ୍ ସ୍କୋର କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
