'ଟେଷ୍ଟ ଟାର୍ଗେଟ ୩୫୦+': ଓଭାଲରେ ବଦଳିଯିବ ଇଂଲଣ୍ଡ ଇତିହାସ !

author img

By

Published : Sep 6, 2021, 5:30 PM IST

Chasing history: England have a history of making history

୧୪୧ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ଇଂଲଣ୍ଡ ମାଟିରେ ଦୁଇ ଥରରୁ ଅଧିକ ସଫଳ ହୋଇନି ୩୫୦ରୁ ଅଧିକ ରନର ସଫଳ ପିଛା । ଅଧିକ ପଢନ୍ତୁ...

ଲଣ୍ଡନ: ରୋମାଞ୍ଚକର ସ୍ଥିତିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଓଭାଲରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ । ମ୍ୟାଚ୍‌ର ଫଳାଫଳ ଶେଷ ତଥା ପଞ୍ଚମ ଦିନରେ ନିର୍ଣ୍ଣୟ ହେବାକୁ ଥିବାବେଳେ ସମସ୍ତ ୩ଟି ବିକଳ୍ପ- ଡ୍ର, ଭାରତ ବିଜୟ, ଇଂଲଣ୍ଡ ବିଜୟ ଉନ୍ମୁକ୍ତ ରହିଛି । ଶେଷ ଦିନରେ ଭାରତ ବିଜୟ ପାଇଁ ୧୦ ୱିକେଟ ଆବଶ୍ୟକ କରୁଥିବାବେଳେ, ଇଂଲଣ୍ଡ ସାମ୍ନାରେ ବିଜୟ ଲକ୍ଷ୍ୟ ୩୬୮ ରହିଛି । ଶେଷ ଦିନ ହୋଇଥିବାରୁ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହେବା ସମ୍ଭାବନା ମଧ୍ୟ ରହିଛି ।

ତେବେ ଇଂଲଣ୍ଡ ବିଜୟ ଲକ୍ଷ୍ୟ ହାସଲ କରିବାନେଇ ଆଶାବାଦୀ ରହିଛି । ଇତିହାସର ପୁନରାବୃତ୍ତି ସହ ନୂଆ କିର୍ତ୍ତୀମାନର ଅଧିକାରୀ ହେବାର ଇତିହାସ ଇଂଲଣ୍ଡ ସପକ୍ଷରେ ରହିଛି । ତେବେ ଭାରତୀୟ ଘାତକ ବୋଲରଙ୍କ ସାମ୍ନା କରି ଓଭାଲ ଟେଷ୍ଟ ବିଜୟ ଘରୋଇ ଟିମ ପାଇଁ ସହଜସାଧ୍ୟ ବ୍ୟାପାର ନଥିବା ବେଳେ କିଛି ସ୍ବତନ୍ତ୍ର କରିବା ଲକ୍ଷ୍ୟରେ ରହିଛି ଜୋଶ୍‌ରେ ଥିବା ଜୋ ରୁଟ୍‌ଙ୍କ ଟିମ ।

ନଜର ପକାନ୍ତୁ ଇଂଲଣ୍ଡ ମାଟିରେ ଚେଜିଂ ଇତିହାସ ଉପରେ...

ଇଂଲଣ୍ଡ ମାଟିରେ ୧୪୧ ବର୍ଷଧରି ଖେଳାଯାଇଆସୁଛି ଟେଷ୍ଟ କ୍ରିକେଟ, ମାତ୍ର କେବଳ ଦୁଇଥର କୌଣସି ଟିମ ୩୫୦ରୁ ଅଧିକ ସ୍କୋର୍‌କୁ ସଫଳତାର ସହ ପିଛା କରି ହାସଲ କରିପାରିଛି । ସୋମବାର ଓଭାଲରେ ଜୋ ରୁଟ୍‌ଙ୍କ ଟିମ ତୃତୀୟ ଟିମ ପାଇଁ ଏହି କରିସ୍ମା କରିବା ଲକ୍ଷ୍ୟରେ ରହିଛି ଓ ଭାରତ ବିପକ୍ଷରେ ୨-୧ରେ ଆଗୁଆ ହେବାକୁ ଯୋଜନା କରିଛି ।

୩୬୮ ରନ୍‌ର ବିଜୟ ଲକ୍ଷ୍ୟ ଭାରତ ଇଂଲଣ୍ଡ ସାମ୍ନାରେ ରଖିଛି । ଏହି ବିଶାଳ ସ୍କୋର୍‌କୁ ପିଛା କରୁଥିବା ଇଂଲଣ୍ଡ ଚତୁର୍ଥ ଦିନ ଖେଳ ଶେଷରେ ବିନା କୌଣସି ୱିକେଟ ହରାଇ ୭୭ ରନ ସଂଗ୍ରହ କରିନେଇଛି । ଯଦି ଏହି ବିଜୟ ଲକ୍ଷ୍ୟ ହାସଲ କରିବାରେ ଇଂଲଣ୍ଡ ସଫଳ ହୁଏ, ଏହା ସର୍ବଶ୍ରେଷ୍ଠ ସଫଳ ଟେଷ୍ଟ ଚେଜ୍‌ ହେବ ।

ଦୁଇବର୍ଷ ତଳେ ଐତିହାସିକ ଆସେସ ସିରିଜରେ ଇଂଲଣ୍ଡ ହେଡିଙ୍ଗଲେ ଗ୍ରାଉଣ୍ଡରେ ୩୬୨ ରନର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା । ଫଳରେ ଏହି ଆତ୍ମବିଶ୍ବାସ ସହ ଇଂଲଣ୍ଡ ଓଭାଲ ବିଜୟ ଲକ୍ଷ୍ୟ ରଖିଛି । ତେବେ ଇଂଲଣ୍ଡ ମାଟିରେ ବର୍ଷ ୧୯୪୮ରେ ଅଷ୍ଟ୍ରେଲିଆ ୪୦୪/୩ ରନର ପିଛା କରି ସଫଳ ହୋଇଥିଲା । ଏହା ସବୁଠୁ ସଫଳ ରନ୍‌ର ପିଛା କରିବା ରେକର୍ଡ ରହିଛି ।

ଓଭାଲ ଟେଷ୍ଟରେ ଭାରତ ପ୍ରଥମ ଇଂନିସରେ ୧୯୧ ରନ୍‌ରେ ଅଲଆଉଟ ହେବାପରେ ଦ୍ବିତୀୟ ଇଂନିସରେ ରୋହିତ ଶର୍ମାଙ୍କ ଦମଦାର ଶତକ, ପୂଜାରା, ପନ୍ତ ଓ ଶାର୍ଦ୍ଦୁଳ ଠାକୁରଙ୍କ ଅର୍ଦ୍ଧଶତକ ବଳରେ ୪୬୬ ରନର ବିଶାଳ ସ୍କୋର କରିଛି । ଜବାବରେ ଇଂଲଣ୍ଡ ପ୍ରଥମ ଇଂନିସରେ ୨୯୦ ରନ କରିପାରିଥିଲା । ଫଳରେ ଘରୋଇ ଦଳ ସାମ୍ନାରେ ୩୬୮ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.