ଟି୨୦ ବିଶ୍ବକପରୁ ଏଯାଏଁ ବାଦ୍‌ ପଡିନାହାନ୍ତି ବୁମରା: ସୌରଭ ଗାଙ୍ଗୁଲି

author img

By

Published : Oct 1, 2022, 1:22 PM IST

Bumrah is not out of T20 World Cup yet says Sourav Ganguly

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସଭାପତି ସୌରଭ ଗାଙ୍ଗୁଲି ଆହତ ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଟି୨୦ ବିଶ୍ବକପ ସ୍କ୍ବାଡ୍‌ରୁ ବାଦ୍‌ ପଡିବାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସଭାପତି ସୌରଭ ଗାଙ୍ଗୁଲି ଆହତ ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଟି୨୦ ବିଶ୍ବକପ(T20 World Cup 2022) ସ୍କ୍ବାଡ୍‌ରୁ ବାଦ୍‌ ପଡିବାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଗାମୀ ପୁରୁଷ ଟି୨୦ ବିଶ୍ବକପ ପାଇଁ ଭାରତ ସ୍କ୍ବାଡ୍‌ ଘୋଷଣା କରିଛି ଓ ବୁମରା ଏହି ସ୍କ୍ବାଡ୍‌ର ପ୍ରମୁଖ ସଦସ୍ୟ ରହିଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରୁ ବାଦ୍‌ ପଡିବା ପରେ ବୁମରା, ବୁଧବାର ଥୀରୁଅନନ୍ତପୁରମରୁ ବେଙ୍ଗାଲୁରୁ ପହଞ୍ଚିସାରିଛନ୍ତି । ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଜାତୀୟ କ୍ରିକେଟ ଏକାଡେମୀରେ(NCA) ସ୍କାନ ପାଇଁ ପହଞ୍ଚିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ।

ପ୍ରମୁଖ କ୍ରିକେଟ ୱେବସାଇଟ ESPNର ରିପୋର୍ଟ ଅନୁୟାୟୀ, ଗାଙ୍ଗୁଲି କହିଛନ୍ତି ବୁମରା ଏଯାବତ ଟି୨୦ ବିଶ୍ବକପରୁ ବାଦ୍‌ ପଡିନାହାନ୍ତି । ବୁମରା ଆହତ ଓ NCA ମେଡିକାଲ ଟିମ ତାଙ୍କର ସ୍ବାସ୍ଥ୍ୟବସ୍ଥା ନେଇ ନଜର ରଖିଥିବା BCCI ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗାଙ୍ଗୁଲିଙ୍କର ବୟାନ ସାମ୍ନାକୁ ଆସିଛି । ଗାଙ୍ଗୁଲିଙ୍କର ଏହି ବୟାନ ପରେ ଭାରତୀୟ ଫ୍ୟାନ୍ସଙ୍କ ମଧ୍ୟରେ ସାମାନ୍ୟ ବିଶ୍ବାସ ବୃଦ୍ଧିପାଇଛି । ତେବେ ବିଶ୍ବକପକୁ ଆଉ କିଛି ଦିନ ବାକିଥିବାରୁ ବୁମରା ଠିକ୍‌ ସମୟରେ ଫିଟ୍‌ ହୋଇପାରନ୍ତି ବୋଲି ଆକଳନ କରିଥାଇପାରନ୍ତି ବିସିସିଆଇ ବସ୍‌ । ସେପଟେ ଭାରତୀୟ ବିଶ୍ବକପ ସ୍କ୍ବାଡ୍‌ରେ ବୁମରା ବୋଲିଂ ବିଭାଗର ପ୍ରମୁଖ ହୋଇଥିବାରୁ ବୁମରାଙ୍କ ବିନା ଟିମ ଦୁର୍ବଳ ହୋଇଯିବ ଚର୍ଚ୍ଚା ସହ ନିରାଶବ୍ୟକ୍ତ କରିଛନ୍ତି କ୍ରିକେଟ ଫ୍ୟାନ୍ସ । କିଛି ଫ୍ୟାନ୍ସ ରାଗ ଉପରୁ ନିୟନ୍ତ୍ରଣ ହରାଇ ବୁମରାଙ୍କୁ ସମାଲୋଚନା ମଧ୍ୟ ଆରମ୍ଭ କରିଛନ୍ତି । ଆଇପିଏଲ ଖେଳିଲା ବେଳକୁ ଫିଟ୍‌ ବିଶ୍ବକପ ବେଳକୁ ଆହତ କହିବାକୁ ମଧ୍ୟ ପଛାଇ ନାହାନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଅବଶିଷ୍ଟ ଟି୨୦ ସିରିଜ ପାଇଁ ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ବଦଳ ଖେଳାଳି ଭାବେ ଦଳରେ ସାମିଲ କରାଯାଇଛି । ଭାରତ ଏବେ ଦୀପକ ହୁଡ୍ଡା ଓ ଜଶପ୍ରୀତ ବୁମରାଙ୍କ ସ୍ବାସ୍ଥ୍ୟ ଅପଡେଟ୍‌ ଅପେକ୍ଷାରେ ରହିଛି । ଉଭୟ ଟି୨୦ ବିଶ୍ବକପ ସ୍କ୍ବାଡ୍‌ର ସଦସ୍ୟ ରହିଛନ୍ତି ଓ ଉଭୟ ବେଙ୍ଗାଲୁରୁର ଜାତୀୟ କ୍ରିକେଟ ଏକାଡେମୀରେ ଚିକିତ୍ସିତ ହେଉଛନ୍ତି । ଦକ୍ଷିଣ ଆଫ୍ରିକା ସିରିଜ ଖେଳିବା ପାଇଁ ହୁଡ୍ଡା ଅସମର୍ଥ ଘୋଷଣା ହୋଇଥିଲେ, ତେବେ ବୁମରା ପ୍ରଥମ ଟି୨୦ର ଦିନକ ପୂର୍ବରୁ ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବା କହିବା ପରେ ବୁଧବାର ସ୍କ୍ବାଡ୍‌ରୁ ବାଦ୍‌ ପଡିଛନ୍ତି ।

ଟି୨୦ ବିଶ୍ବକପ ପାଇଁ ଭାରତୀୟ ଟିମ ଜୋରଦାର ପ୍ରସ୍ତୁତି ଚଳାଇଛି । ଗତ ୩ ମାସ ବ୍ୟବଧାନ ମଧ୍ୟରେ ଆୟରଲାଣ୍ଡ, ଇଂଲଣ୍ଡ, କାରବିୟନ ଓ ୟୁଏଇରେ ଖେଳିଛି ଟିମ ଓ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଟିମ ବିପକ୍ଷରେ ଘରୋଇ ସିରିଜ ମଧ୍ୟ ଖେଳିଛି । ICC ପ୍ରତିଯୋଗୀତାରେ ଭାରତ, ଗ୍ରୁପ ୨ରେ ପାକିସ୍ତାନ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା ଓ ଦୁଇ କ୍ବାଲିଫାୟର୍ସ ସହ ସ୍ଥାନ ପାଇଛି । ଅକ୍ଟୋବର ୨୩ରେ MCGରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଓ ଅକ୍ଟୋବର ୨୭ରେ ସିଡନୀରେ କ୍ବାଲିଫାୟର୍ସ ଟିମ ବିପକ୍ଷରେ ଖେଳିବାର ସୂଚୀ ରହିଛି । ସେହିପରି ଅକ୍ଟୋବର ୩୦ରେ ପର୍ଥରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓ ନଭେମ୍ବର ୨ରେ ବାଂଲାଦେଶକୁ ଆଡିଲେଡ୍‌ରେ ଭେଟିବ ।

ଭାରତୀୟ ଟି୨୦ ବିଶ୍ବକପ ୨୦୨୨ ସ୍କ୍ବାଡ୍‌: ରୋହିତ ଶର୍ମା(କ୍ୟାପଟେନ୍‌), କେଏଲ ରାହୁଲ(ଭାଇସ-କ୍ୟାପଟେନ୍‌), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ୱିକେଟ କିପର), ଦିନେଶ କାର୍ତ୍ତିକ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର.ଅଶ୍ବିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜଶପ୍ରୀତ ବୁମରା*, ଭୁବନେଶ୍ବର କୁମାର, ହର୍ଷଲ ପଟେଲ ଓ ଅର୍ଶଦୀପ ସିଂହ ।

ରିଜର୍ଭ ଖେଳାଳି: ମହମ୍ମଦ ସାମି, ଶ୍ରେୟସ ଆୟର, ରବି ବିଷ୍ଣୋଇ, ଦୀପକ ଚହର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.