ଭାରତକୁ ଆସିଥିଲେ ପୂଜା ପାଇଥାନ୍ତା, ଏବେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଗୋଡ଼ ତଳେ ଟ୍ରଫି
ଭାରତକୁ ଆସିଥିଲେ ପୂଜା ପାଇଥାନ୍ତା, ଏବେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଗୋଡ଼ ତଳେ ଟ୍ରଫି
ବିଶ୍ବ ଚମ୍ପିଆନ୍ ହେବାପରେ ବିଶ୍ବକପ୍ ଟ୍ରଫି ଉପରେ ଗୋଡ଼ ରଖି ଫଟୋ ଉଠାଇଲେ ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ୍ ମାର୍ଶ । ଫଟୋ ସେୟାର କଲେ ଅଧିନାୟକ ପ୍ୟାଟ୍ କମିନ୍ସ । କଡ଼ା ସମାଲୋଚନା କଲେ କ୍ରିକେଟ୍ପ୍ରେମୀ । ଅଧିକ ପଢ଼ନ୍ତୁ
ହାଇଦ୍ରାବାଦ: ଭାରତରେ କ୍ରିକେଟ୍ର କ୍ରେଜ୍ ସବୁଠାରୁ ଊର୍ଦ୍ଧ୍ବରେ । ଏପରିକି ଆମ ଦେଶରେ କ୍ରିକେଟ୍କୁ ଏକ ଧର୍ମ ଓ କ୍ରିକେଟରଙ୍କୁ ଭଗବାନ ବୋଲି ମନେ କରନ୍ତି ସେମାନଙ୍କ ପ୍ରଶଂସକ । କୌଣସି ବଡ଼ ଟ୍ରଫି ଜିତିବା ପରେ ଭାରତରେ ଏହାକୁ ପୂଜାର୍ଚ୍ଚନା କରାଯାଉଥିବା ମଧ୍ୟ ଆଗରୁ ଦେଖିବାକୁ ମିଳିଛି । ଏପରିକି ଟିମ୍ ଇଣ୍ଡିଆ ଚଳିତ ଥର ବିଶ୍ବ ବିଜେତା ହେଉ ବୋଲି କୋଟି କୋଟି ଭାରତୀୟ ପୂଜାର୍ଚ୍ଚନା କରିଥିଲେ । ହେଲେ ସବୁ ଆଶା ଭାଙ୍ଗିଗଲା । ଅଧାରେ ରହିଗଲା ଭାରତର ଆଇସିସି ଟ୍ରଫି ସ୍ବପ୍ନ । ଅହମ୍ମଦାବାଦରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ବିଜୟୀ ହୋଇଛି ସତ, ହେଲେ ବିଶ୍ବ ବିଜୟର ପ୍ରତୀକ ଟ୍ରଫିକୁ ସମ୍ମାନ ଦେଇନାହାନ୍ତି ଦଳର ଖେଳାଳି । ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବାପରେ ଟ୍ରୋଲ ହେଉଛନ୍ତି ଅଷ୍ଟ୍ରେଲିଆ ଖେଳାଳି ।
-
Mitchell Marsh with the World Cup. pic.twitter.com/n2oViCDgna
— Mufaddal Vohra (@mufaddal_vohra) November 20, 2023
ଅହମ୍ମଦାବାଦରେ ବିଶ୍ବକପ୍ ୨୦୨୩ ଫାଇନାଲ୍ ମ୍ୟାଚ୍ରେ ଚଳିତ ସଂସ୍କରଣର ସର୍ବଶ୍ରେଷ୍ଠ ଦଳ ଭାରତଠାରୁ ଟ୍ରଫି ଛଡ଼ାଇ ନେଇଛି ଅଷ୍ଟ୍ରେଲିଆ । ହେଲେ ବିଜୟ ଉତ୍ସବ ପରେ ଅଷ୍ଟ୍ରେଲିଆ ଖେଳାଳି ବିଶ୍ବକପ ଟ୍ରଫିକୁ ଗୋଡ ତଳେ ରଖିଥିବା ଫୋଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ୍ ହୋଇଛି । ଚମ୍ପିଆନ୍ ହେବାପରେ ଅଷ୍ଟ୍ରେଲୀୟ ଖେଳାଳି ମିଚେଲ୍ ମାର୍ଶଙ୍କ ଏପରି ବ୍ୟବହାରକୁ ସାମାଜିକ ଗଣମାଧ୍ୟମରେ ଖୁବ୍ ଟ୍ରୋଲ୍ କରାଯାଉଛି । ମାର୍ଶଙ୍କ ଏଭଳି ଫଟୋକୁ ପ୍ରଥମେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ନିଜ ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରିଥିଲେ । ପରେ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଫଟୋ ଭାଇରାଲ୍ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ସମସ୍ତଙ୍କ ଆଖିରେ ଲୁହ, ମନରେ କୋହ: ଏମିତି ଥିଲା ଭାରତୀୟ ଡ୍ରେସିଂ ରୁମ୍ରେ ଶେଷ ମେଡାଲ ସେରିମନି
କମ୍ମିନ୍ସ ପୋଷ୍ଟ କରିଥିବା ଏହି ଫଟୋରେ ମାର୍ଶ ଏକ ସୋଫା ଉପରେ ବସିଥିବାବେଳେ ଦୁଇ ଗୋଡ଼ ଟ୍ରଫି ଉପରେ ରଖିଛନ୍ତି । ମାର୍ଶଙ୍କ ଏପରି ବ୍ୟବହାରକୁ ନାପସନ୍ଦ କରିଛନ୍ତି କ୍ରିକେଟ୍ପ୍ରେମୀ । ଏହା କ୍ରିକେଟ୍ର ସବୁଠାରୁ ବଡ଼ ଟ୍ରଫି ପ୍ରତି ଅସମ୍ମାନ ବୋଲି କହିବା ସହ ମାର୍ଶଙ୍କୁ ଟ୍ରୋଲ୍ କରିଛନ୍ତି ନେଟିଜେନ୍ସ । ପ୍ରକାଶ ଥାଉ, ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ବକପ୍ ଫାଇନାଲ୍ ମ୍ୟାଚ୍ରେ ଭାରତକୁ ୭ ୱିକେଟ୍ରେ ହରାଇ ଚମ୍ପିଆନ୍ ହୋଇଥିଲା ଅଷ୍ଟ୍ରେଲିଆ । ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ସତ୍ତ୍ବେ ଫାଇନାଲ୍ ଜିତି ରେକର୍ଡ ଷଷ୍ଠ ଥର ପାଇଁ ଟାଇଟଲ୍ ହାତେଇଛି କଙ୍ଗାରୁ ଦଳ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
