ସନ୍ଦେହ ଘେରରେ ଡ୍ରାଗନ୍: ଆମେରିକା ଆକାଶରେ ଉଡୁଛି ଚୀନର ସନ୍ଦିଗ୍ଧ ବେଲୁନ୍

author img

By

Published : Feb 3, 2023, 6:04 PM IST

Suspicious balloon seen in America

ଆମେରିକା ଆକାଶରେ ଉଡୁଛି ଚୀନର ଗୁପ୍ତଚର ବେଲୁନ୍ । ବାୟୁ ସୀମା ଉଲ୍ଲଂଘନ କରିବାର କୌଣସି ଉଦ୍ଦେଶ୍ୟ ନାହିଁ କହିଲା ଚୀନ । ଅଧିକ ପଢନ୍ତୁ

ୱାଶିଂଟନ: ଆମେରିକା ଆକାଶରେ ଉଡ଼ିଲା ଚୀନର ବେଲୁନ । ଆକାଶରେ ଏଭଳି ଏକ ଦୃଶ୍ୟ ଦେଖି କିଛି ସମୟ ପାଇଁ ଚିନ୍ତାରେ ପଡିଯାଇଛି ବିଶ୍ବର ଶକ୍ତିଶାଳୀ ଦେଶ । ଖବର ଅନୁସାରେ ବୁଧବାର(ଫେବୃଆରୀ 1) ରାତିରେ ଆମେରିକାର ଆକାଶରେ ଏକ ସନ୍ଦିଗ୍ଧ ଗୁପ୍ତଚର ବେଲୁନ୍ ଦେଖିବାକୁ ମିଳିଛି । ପେଣ୍ଟାଗନ୍ କହିଛି ଯେ, ଏହି ବେଲୁନ୍ ଦେଖିବାକୁ ତିନୋଟି ବସ୍ ଆକାର ପରି ବଡ । ଏହା ଚୀନର ବୋଲି ଆମେରିକା ଦାବି କରିଛି ।

ପେଣ୍ଟାଗନ୍ ମୁଖପାତ୍ର ବ୍ରିଗେଡିୟର୍ ଜେନେରାଲ୍ ପ୍ୟାଟ୍ ରାଇଡର୍ କହିଛନ୍ତି ଯେ, ଆମେରିକାର ଉପମହାଦେଶ ଉପରେ ଉଡ଼ୁଥିବା ବିରାଟକାୟ ବେଲୁନ୍ ଚିହ୍ନଟ କରିଛନ୍ତି ସରକାର । ଉତ୍ତର ଆମେରିକୀୟ ଏରୋସ୍ପେସ୍ ଡିଫେନ୍ସ କମାଣ୍ଡ ଏହି ବେଲୁନ୍‌କୁ ଟ୍ରାକ୍‌ କରିବା ସହ ନଜର ରଖିଛି । ପେଣ୍ଟାଗନ୍ କହିଛି ଯେ, ଗୁପ୍ତଚର ବେଲୁନ୍ ବିଷୟରେ ଜାଣିବା ମାତ୍ରେ ସେମାନେ ତୁରନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରିଛନ୍ତି । ତଥାପି, ଏହି ଗୁପ୍ତଚର ବେଲୁନରେ ଏପରି କିଛି ନାହିଁ, ଯାହା ଲୋକମାନଙ୍କୁ କିମ୍ବା ସୈନ୍ୟବାହିନୀ ପାଇଁ କୌଣସି ବିପଦ ସୃଷ୍ଟି କରିପାରିବ ।

ପେଣ୍ଟାଗନ୍ ଆହୁରି ମଧ୍ୟ କହିଛି ଯେ, "ଆମେରିକାରେ ଏପରି ଏକ ସମୟରେ ଚୀନର ଏହି ଗୁପ୍ତଚର ବେଲୁନ୍ ଦେଖାଦେଇଛି, ଯେଉଁ ସମୟରେ କି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍, ବେଜିଂ ଗସ୍ତରେ ଯାଉଛନ୍ତି ।" ଅନ୍ୟପଟେ, ଆମେରିକାର ଯୁଗ୍ମ ମୁଖ୍ୟ ଷ୍ଟାଫ୍ ଜେନେରାଲ ମାର୍କ ମାଇଲି ଏବଂ ଆମେରିକାର ଉତ୍ତର କମାଣ୍ଡ ଜେନେରାଲ ଗ୍ଲେନ ୱାନହର୍କ ଏହି ବେଲୁନକୁ ତଳେ ନପକାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଭାଙ୍ଗିବା ଦ୍ବାରା ଲୋକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ରହିଥିବାରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ଏହି ବେଲୁନ୍ ଉପରେ ନଜର ରଖାଯାଉଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ଚୀନର ଏହି ଗୁପ୍ତଚର ବେଲୁନ୍ ବୁଧବାର ମୋଣ୍ଟାନା ଅଞ୍ଚଳ ଉପରେ ଉଡୁଥିଲା । ଉଲ୍ଲେଖନୀୟ ବିଷୟ ହେଉଛି, ଆମେରିକାର ତିନୋଟି ଆଣବିକ କ୍ଷେପଣାସ୍ତ୍ର ଏହି ଅଞ୍ଚଳରେ ଥିବା ବାୟୁସେନା ବେସ୍‌ରେ ଅବସ୍ଥିତ । ଏହି ଗୁପ୍ତଚର ବେଲୁନ୍ ସିଭିଲ୍ ଏୟାର ବିମାନର ସୀମା ନିକଟରେ ଉଡୁଥିଲେ ମଧ୍ୟ କେତେ ଉଚ୍ଚତାରେ ରହିଛି ଆମେରିକା ସେନେଇ କୌଣସି ସ୍ପଷ୍ଟ କରି ନାହିଁ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏ ବିଷୟରେ ସୂଚନା ଦିଆଯାଇଛି ।

ଅତୀତରେ ତାଇୱାନ ପ୍ରସଙ୍ଗ ନେଇ ଚୀନ୍ ଏବଂ ଆମେରିକା ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଆମେରିକାର ଅଧିକାରୀମାନେ ମଧ୍ୟ ଏହି ପ୍ରସଙ୍ଗରେ ଚୀନ୍ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପକ୍ଷରେ, ଗୁପ୍ତଚର ବେଲୁନ୍ ପ୍ରସଙ୍ଗରେ ଚୀନ୍ କହିଛି ଯେ, "ଆମେରିକା ଉପରେ ଗୁପ୍ତଚର ବେଲୁନ୍ ଖବର ବାବଦରେ ସୂଚନା ପାଇଛୁ । ଆମର ବାୟୁ ସୀମା ଉଲ୍ଲଂଘନ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ଏବଂ ଆମେ ନିୟମ ପାଳନ କରୁଛୁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.