କାଲିଫର୍ଣ୍ଣିଆରେ ଆଖିବୁଜା ଗୁଳିମାଡ, ୭ ମୃତ

author img

By

Published : Jan 24, 2023, 10:48 AM IST

Updated : Jan 24, 2023, 11:21 AM IST

seven killed in two shootings in California

କାଲିଫର୍ଣ୍ଣିଆର ସାନ ଫ୍ରାନ୍ସିସ୍କୋର ଦକ୍ଷିଣରେ ଥିବା ହାଫ ମୁନ ବେର ଦୁଇଟି ଫାର୍ମରେ ଗୁଳିକାଣ୍ଡ । ୭ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

ୱାଶିଂଟନ: ଆମେରିକାର ଦୁଇଟି ସ୍ଥାନରେ ଆଖିବୁଜା ଗୁଳିମାଡ । ସୋମବାର କାଲିଫର୍ନିଆର ସାନ ଫ୍ରାନ୍ସିସ୍କୋର ଦକ୍ଷିଣରେ ଥିବା ଛତୁ ଫାର୍ମ ଏବଂ ଟ୍ରକ ଡିପୋରେ ଗୁଳିକାଣ୍ଡ ଘଟି ୭ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୁଳିକାଣ୍ଡ ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ଏନେଇ ସାନ ମ୍ୟାଟେଓ କାଉଣ୍ଟି ବୋର୍ଡର ଅଫ ସୁପରଭାଇଜରର ସଭାପତି ଡାଭେ ପାଇନ ସୂଚନା ଦେଇଛନ୍ତି ।

ଡାଭେ ପାଇନ କହିଛନ୍ତି, "ଫ୍ରାନ୍ସିସ୍କୋଠାରୁ ପ୍ରାୟ ୪୮ କିଲୋମିଟର ଦୂରରେ ଥିବା ଛତୁ ଫାର୍ମରେ ଗୁଳିକାଣ୍ଡ ଯୋଗୁଁ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଟ୍ରକ ଡିପୋରେ ୩ଜଣଙ୍କର ମୃତ୍ୟୁ ହୋଇଛି । କେଉଁ କାରଣ ଯୋଗୁଁ ଗୁଳିକାଣ୍ଡ ଘଟିଲା ତାହା ମଧ୍ୟ ଜଣାପଡିନାହିଁ । ତେବେ ଯେଉଁ ବ୍ୟକ୍ତି ଜଣଙ୍କ ଗୁଳିକାଣ୍ଡ କରିଥିବା ସନ୍ଦେହ କରାଯାଉଛି ସେ ମଧ୍ୟ ଫାର୍ମର ଜଣେ କର୍ମଚାରୀ । ସେ ନିଜ କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ଥିଲେ ।

କାଲିଫର୍ଣ୍ଣିଆ ରାଜ୍ୟ ସେନ୍ ଜୋସ୍ ବେକର କହିଛନ୍ତି ଯେ, ଦୁଇଟି ସ୍ଥାନରେ ଗୁଳିକାଣ୍ଡ ଘଟିଛି । ଫଳରେ ୭ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ସାନ ମ୍ୟାଟେଓ କାଉଣ୍ଟି ସୁପରଭାଇଜର ଡେଭିଡ କାନେପା ଟ୍ୱିଟ କରି କହିଛନ୍ତି ଯେ, ଏକ ଛତୁ ଫାର୍ମରେ ଗୁଳିକାଣ୍ଡ ଘଟିବାରୁ ୪ଜଣଙ୍କର ମୃତ୍ୟୁ ହୋଇଛି ।

ତେବେ ବିଗତ ଦିନରେ ମଧ୍ୟ ଆମେରିକରେ ଅନେକ ଗୁଳିକାଣ୍ଡ ଖବର ସାମ୍ନାକୁ ଆସିଛି । ଗତ ଶନିବାର ରାତିରେ ଦକ୍ଷିଣ କାଲିଫର୍ନିଆର ଏକ ବଲରୁମ ଡ୍ୟାନ୍ସ ବାରର ଗୁଳିକାଣ୍ଡ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ଜାନୁଆରୀ ୧୭ ତାରିଖ ଦିନ ସେଣ୍ଟ୍ରାଲ କାଲିଫର୍ଣ୍ଣିଆର ପୂର୍ବ ବିସାଲିୟା ସ୍ଥିତ ଏକ ଘରେ ସଶସ୍ତ୍ର ଆକ୍ରମଣକାରୀମାନେ ଗୁଳିକାଣ୍ଡ ଘଟାଇଥିଲେ । ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବାବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଗୁଳିକାଣ୍ଡରେ ୬ଜଣଙ୍କର ମୃତ୍ୟୁ ହୋଇଥିଲା । ଭୋର ୩ଟା ୩୦ ମିନିଟ ସମୟରେ ଦୁର୍ବୃତ୍ତ ଘରେ ପସି ଆଖିବୁଜା ଗୁଳିଚାଳନା କରିଥିଲେ । ଯେଉଁଥିରେ ଜଣେ ୧୭ ବର୍ଷୀୟ କିଶୋର, ୬ ମାସର ଶିଶୁ ଏବଂ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଘର ବାହାରେ ଦୁଇ ଜଣଙ୍କ ମୃତଦେହ ପଡ଼ିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ଅବସ୍ଥାରେ ମିଳିଥିଲେ । ଜଣେ ପଡ଼ୋଶୀ ଗୁଳି ଶବ୍ଦ ଶୁଣି ଫୋନ ଯୋଗେ ପୋଲିସକୁ ସୂଚନା ଦେଇଥିଲେ ।

Last Updated :Jan 24, 2023, 11:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.