Indonesia Earthquake: ଭୟଙ୍କର ଭୂମିକମ୍ପରେ ୧୬୨ ମୃତ, ଶତାଧିକ ଆହତ

author img

By

Published : Nov 22, 2022, 8:36 AM IST

Indonesia Earthquake: ଭୟଙ୍କର ଭୂମିକମ୍ପରେ ୧୬୨ ମୃତ, ଶତାଧିକ ଆହତ

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୬୨କୁ ବୃଦ୍ଧି । ଆହୁରି ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା । ଅଧିକ ପଢନ୍ତୁ

ଜାକର୍ତ୍ତା: ଇଣ୍ଡୋନେସିଆରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ୧୬୨ ଜଣଙ୍କ ମୃତ୍ୟୁ ହୋଇଛି(Earthquake hits Indonesia) । ଏଥିରେ ଶତାଧିକ ଲୋକେ ଆହତ ହୋଇଛନ୍ତି । ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭୂକମ୍ପରେ ଶହ ଶହ ଘରଦ୍ବାର ଭାଙ୍ଗି ନଷ୍ଟ ହୋଇଯାଇଥିବାବେଳେ, ଅନେକ ଲୋକ ଏବେ ବି ଭଗ୍ନସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ତେଣୁ ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ଫସି ରହିଥିବା ଲୋକମାନଙ୍କୁ ବାହାର କରିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୋମବାର ଅପରାହ୍ନରେ ଇଣ୍ଡୋନେସିଆର ଜାଭା ଦ୍ବୀପରେ ଏହି ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀର୍ବତା ୫.୬ ରହିଥିଲା ।

ସୂଚନା ମୁତାବକ, ଜାକର୍ତ୍ତାର ଦକ୍ଷିଣପୂର୍ବ ଦିଗରେ ୭୫ କିମି ଦୂର ସିଆଞ୍ଜୁରରେ ଏହି ବଡ ଧରଣର ଭୂମିକମ୍ପ ସୃଷ୍ଟି ହୋଇଥିଲା । ଏହର ଗଭୀରତା ୧୦ କିମି ରହିଥିଲା । ଭୂମିକମ୍ପ ଯୋଗୁଁ ଘରଦ୍ବାର ସବୁ ଜୋରରେ ଥିରିବାକୁ ଲାଗିଥିଲା । ଏହାଦେଖି ଲୋକମାନେ ବାହାରକୁ ଦୌଡି ପଳାଇଥିଲେ । ଭୂମିକମ୍ପରେ ସିଆଞ୍ଜୁରରେ ଥିବା ସ୍କୁଲ, ହସ୍ପିଟାଲ ସମେତ ଶତାଧିକ ବିଲ୍ଡିଂ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ମୃତକଙ୍କ ମଧ୍ୟରେ ଅନେକ ସ୍କୁଲ ଛାତ୍ରଛାତ୍ରୀ ରହିଛନ୍ତି । ବିଭିନ୍ନ ସ୍ଥାନରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ରହିଛି । ଭୂକମ୍ପରେ ବାସହରା ହୋଇଥିବା ପ୍ରାୟ ୧୩ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଏବେ ବି ଭଙ୍ଗା ଘର ତଳେ ଅନେକ ଲୋକ ଚାପି ହୋଇଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ।

ଏହାମଧ୍ୟ ପଢନ୍ତୁ: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ: ୪୪ ମୃତ, ଅନେକ ଆହତ

ପ୍ରକାଶଥାଉ କି, ଚଳିତ ବର୍ଷ ଫେବୃୟାରୀରେ ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରାରେ ୬.୨ ତୀବ୍ରତାର ବଡ ଧରଣର ଭୂକମ୍ପ ସଂଘଠିତ ହୋଇଥିଲା । ଏଥିରେ ଅତିକମରେ ୨୫ ଜଣଙ୍କ ପ୍ରାଣ ଯାଇଥିବା ବେଳେ ୪୬୦ରୁ ଅଧିକ ଲୋକେ ଆହତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.