China Covid Tally: ଚୀନରେ ସ୍ଥିତି ଭୟଙ୍କର, ୧ସପ୍ତାହରେ ୧୩ହଜାର କୋଭିଡ ସଂକ୍ରମିତଙ୍କ ମୃତ୍ୟୁ

author img

By

Published : Jan 22, 2023, 6:48 PM IST

Chinese new year 2023

ଚୀନରେ ଭୟଙ୍କର କୋରୋନା ସ୍ଥିତି । ଗତ ୧ ସପ୍ତାହରେ ଚୀନରେ ୧୩,୦୦୦ କୋଭିଡ ରୋଗୀଙ୍କ ଘଟିଛି ମୃତ୍ୟୁ । ସେପଟେ ୩ବର୍ଷର କଟକଣା ପରେ ଚୀନବାସୀଙ୍କୁ ଚଳିତ ବର୍ଷ ଲୁନାର ନ୍ୟୁ ଇଅର ପାଳନ କରିବାକୁ ଅନୁମତି ଦେଇଛନ୍ତି ସରକାର । ଅଧିକ ପଢନ୍ତୁ

ବେଜିଙ୍ଗ: ପୁଣି ଚୀନରେ ଭୟାବହ ହେବାରେ ଲାଗିଛି ମାରାତ୍ମକ କୋଭିଡ ମହାମାରୀ । ଚୀନର ରୋଗ ନିୟନ୍ତ୍ରଣ କେନ୍ଦ୍ରର ରିପୋର୍ଟ ଅନୁସାରେ ରାଷ୍ଟ୍ରରେ ଗତ ୧ ସପ୍ତାହ (ଜାନୁଆରୀ ୧୩ରୁ ୧୯ ତାରିଖ) ମଧ୍ୟରେ ୧୩ ହଜାର କୋଭିଡ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଖାଲି ସେତିକି ନୁହେଁ ଏବେ ଚୀନ ମୋଟ ଜନସଂଖ୍ୟାର ୮୦ ପ୍ରତିଶତ କୋରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ଜାନୁଆରୀ ୧୩ ତାରିଖରୁ ୧୯ ତାରିଖ ମଧ୍ୟରେ ୧୨ ହଜାର ୬୬୦ ଜଣଙ୍କ ମୃତ୍ୟୁ ଘଟିଛି । ତନ୍ମଧ୍ୟରୁ 680 ଜଣଙ୍କ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ଯୋଗୁଁ ମୃତ୍ୟୁ ଓ ୧୧,୯୮୦ ଜଣଙ୍କ ବିଭିନ୍ନ ଅଙ୍ଗ ସଂକ୍ରମିତ ପରେ ମୃତ୍ୟୁ ଘଟିଛି । ଏହାରି ମଧ୍ୟରେ ଚୀନ ପାଳିଛି ନୂଆବର୍ଷ ।

China new year 2023
ନୂଆବର୍ଷ ପାଳିଲା ଚୀନ

ଗତ ଡିସେମ୍ବର ମାସରୁ ଜାନୁଆରୀ ମଧ୍ୟରେ ମୋଟ ୬୦,୦୦୦ କୋଭିଡ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ତେବେ ଏହି ମୃତ୍ୟୁହାର କେବଳ ହସ୍ପିଟାଲରେ ଘଟିଛି । ନିଜ ଘରେ ଅର୍ଥାତ ହସ୍ପିଟାଲକୁ ନ ଆସିଥିବା କୋଭିଡ ସଂକ୍ରମିତ ମୃତକଙ୍କ ସଂଖ୍ୟାକୁ ଏଥିରେ ଯୋଗ କରାଯାଇନାହିଁ । ଏହାର ଅର୍ଥ ହସ୍ପିଟାଲର ମୃତକଙ୍କ ସଂଖ୍ୟା ମିଶିଲେ ମୃତ୍ୟୁହାର ଆହୁରି ବୃଦ୍ଧି ପାଇବ । କୋଭିଡ ମହାମାରୀରେ ସଂକ୍ରମିତ ହେବା ପରେ ଯେଉଁ ରୋଗୀଙ୍କ ନିମୋନିଆ ଓ ଶ୍ବାସରୁଦ୍ଧ ଜନିତ ମୃତ୍ୟୁ ଘଟୁଛି ସେମାନଙ୍କୁ କୋଭିଡ ଜନିତ ମୃତକ ଭାବେ ପରିଗଣିତ କରୁଛି ଚୀନ । ଚୀନର ମୋଟ ଜନସଂଖ୍ୟା ୧.୪ ବିଲିୟନ ଥିବା ବେଳେ ତନ୍ମଧ୍ୟରୁ ୮୦ ପ୍ରତିଶତ କୋରୋନାରେ ସଂକ୍ରମିତ ହୋଇଥିବା ରିପୋର୍ଟରେ କୁହାଯାଇଛି ।

Chinese new year 2023
ନୂଆବର୍ଷ ପାଳିଲା ଚୀନ

ଏହା ବି ପଢନ୍ତୁ- ଆମେରିକାରେ ଗୁଳିମାଡ, 9 ମୃତ ସୂଚନା

ଚୀନ ରୋଗ ନିୟନ୍ତ୍ରଣ କେନ୍ଦ୍ରର ମୁଖ୍ୟ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଗତ ୨ରୁ ୩ ମାସ ମଧ୍ୟରେ ସଂକ୍ରମଣ କ୍ଷୀପ୍ର ଗତିରେ ବୃଦ୍ଧି ପାଇଛି । ଫଳରେ ମୋଟ ଜନସଂଖ୍ୟାର ୮୦ ପ୍ରତିଶତ ସଂକ୍ରମିତ ହୋଇଛନ୍ତି । ଏବେ ଚୀନରେ ଲୁନାର ନ୍ୟୁ ଇଅର ପାଳନ କରୁଥିବା ବେଳେ ମନ୍ଦିରରେ ରବିବାର ବହୁ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି । ଚୀନ ସରକାର 'Zero-COVID' ନୀତି ଲାଗୁ କରିବା ପରେ ଦୀର୍ଘ ୩ବର୍ଷ ପରେ ଏଭଳି ବଡ଼ ସେଲିବ୍ରେସନ କରୁଛନ୍ତି ଚୀନବାସୀ । ଫଳରେ ସଂକ୍ରମଣ ଅଧିକ ବ୍ୟାପିବାର ସମ୍ଭାବନା ମଧ୍ୟ ରହିଛି । ଚୀନରେ ଲୁନାର ନ୍ୟୁ ଇଅର ପ୍ରମୁଖ ବାର୍ଷିକ ପର୍ବ । ଚୀନର ୧୨ଟି ରାଶିର ନାମକରଣ ଅନୁସାରେ ପ୍ରତି ବର୍ଷର ନାମ ପରିବର୍ତ୍ତନ ହୋଇଥାଏ । ଚଳିତ ବର୍ଷର ନାମ ରହିଛି ରାବିଟ (Rabbit) ।

ମହାମାରୀ ଯୋଗୁଁ ଗତ ୩ବର୍ଷ ଧରି ଚୀନରେ ଏହି ପର୍ବ ପାଳନ କରିବାରୁ ବଞ୍ଚିତ ହୋଇଥିଲେ ଦେଶବାସୀ । ଚଳିତ ବର୍ଷ ସରକାର ଏହି ପର୍ବ ପାଳନ କରିବାକୁ ଅନୁମତି ଦେଇଛନ୍ତି, ଯେତେବେଳେ କି ସଂକ୍ରମଣ ପିକ୍‌ରେ ରହିଛି । ଏହାସହିତ ସରକାର କୋଭିଡ ନିୟମକୁ କଡ଼ାକଡି ଭାବେ ପାଳନ କରିବା ପାଇଁ ଦେଶବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ୍ବାରେଣ୍ଟାଇନ, ଲକଡାଉନ ଉଠିବା ପରେ ଲୋକମାନେ ୩ବର୍ଷ ପରେ ପ୍ରଥମ ଥର ଲାଗି ପରିବାର ସହିତ ନିଜ ହୋମଟାଉନ ବାହାରକୁ ଗସ୍ତ କରିଛନ୍ତି । ଏନେଇ ଚୀନ ବାସିନ୍ଦା ସି ଜିଆ କହିଛନ୍ତି, "ମୋ ପୁଅକୁ ଏବେ ୭ବର୍ଷ । ଗତ ୩ ବର୍ଷ ଧରି ପାରମ୍ପରିକ ନୂଆବର୍ଷ ସେଲିବ୍ରେସନ ବନ୍ଦ ଥିବାରୁ ଏହା କିପରି ପାଳନ ହୁଏ ସେ ନେଇ ମୋ ପୁଅ ଅବଗତ ନାହିଁ । ଚଳିତ ବର୍ଷ ସେ ପ୍ରଥମ ଥର ପାଇଁ ଏହି ପର୍ବକୁ ପାଳନ କରୁଛି ।"

ଏହି ପର୍ବ ଅବସରରେ ବେଜିଂର ଲାମା ମନ୍ଦିରରେ ପ୍ରାୟ ୫୩ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ସେପଟେ ତିବ୍ଦତୀୟ ବୌଦ୍ଧ ଧାର୍ମିକ ପୀଠରେ ଗୋଟିଏ ଦିନରେ ୬୦ ହଜାର ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ଅନୁମତି ମିଳିଛି । ଚୀନବାସୀ ଖୁସିର ସହ ବାର୍ବିକ୍ୟୁ ସ୍ନାକ୍ସ, ରାଇସ କେକ ଖାଇ ପର୍ବକୁ ପାଳନ କରୁଥିବା ବେଳେ ଛୋଟଛୋଟ ପିଲାମାନେ ପାରମ୍ପରିକ ପୋଷାକ ସହିତ ରାବିଟ ଟୋପି ପିନ୍ଧିଛନ୍ତି । ସମସ୍ତେ ଖୁସିର ସହିତ ଏହି ପାରମ୍ପରିକ ପର୍ବକୁ ପାଳନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.