ପ୍ରଥମ ଥର ହାରିସଙ୍କୁ ଭେଟିଲେ ମୋଦି: ଆଲୋଚନାରେ ଆତଙ୍କବାଦ ମୁଖ୍ୟ ପ୍ରସଙ୍ଗ, କୋରୋନା ସାହାଯ୍ୟ ପାଇଁ ଆମେରିକାକୁ ଧନ୍ୟବାଦ

author img

By

Published : Sep 24, 2021, 7:46 AM IST

ମୋଦି-ହାରିସ୍ ଦ୍ବିପାକ୍ଷୀକ ଆଲୋଚନା, ଆତଙ୍କବାଦ ମୁକାବିଲା କୋଭିଡ ସ୍ଥିତି ରହିଲା ମୁଖ୍ୟ ପ୍ରସଙ୍ଗ

5 ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି(ଗୁରୁବାର) ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିଛନ୍ତି । ଉଭୟ ଦେଶ ମଧ୍ୟରେ ଶିକ୍ଷା, ବାଣିଜ୍ୟ, କୋଭିଡ ସ୍ଥିତି ଏବଂ ଆତଙ୍କବାଦ ମୁକାବିଲା ବାବଦରେ କରିଛନ୍ତି ଆଲୋଚନା । ଅଧିକ ପଢନ୍ତୁ...

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି(ଗୁରୁବାର) ୱାଶିଂଟନ୍ ଡିସିରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିଛନ୍ତି । ଆଫଗାନିସ୍ତାନ ସମେତ ସମ୍ପ୍ରତି ବିଶ୍ବର ବିକାଶ ଉପରେ ଉଭୟ ନେତା ମତ ବିନିମୟ କରିଥିଲେ । ଏକ ମୁକ୍ତ, ଖୋଲା ଏବଂ ଅନ୍ତର୍ଭୂକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି ଦୁଇ ଦେଶର ପ୍ରତିନିଧି ।

ଗତ ବର୍ଷ ଆମେରିକାର ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରେ ପିଏମ ମୋଦି ଏବଂ କମଲା ହାରିସଙ୍କ ମଧ୍ୟରେ ଏହା ପ୍ରଥମ ବ୍ୟକ୍ତିଗତ ବୈଠକ ଥିଲା। କୌଣସି ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଉପରାଷ୍ଟ୍ରପତି ଭାବେ ଆମେରିକା ମାଟିରେ ସାକ୍ଷାତ କରିବା ଏହା ହେଉଛି ଇତିହାସରେ ପ୍ରଥମ ।

ଏହି ବୈଠକରେ ମୋଦି ଏବଂ ହାରିସ୍ ଭାରତ ଏବଂ ଆମେରିକାରେ କୋଭିଡ୍ -19 ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି । ସେହିପରି ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଧାନମନ୍ତ୍ରୀ ମୋଦି ଅକ୍ଷୟ ଶକ୍ତି ବୃଦ୍ଧି ପାଇଁ ଭାରତର ପଦକ୍ଷେପ ଏବଂ ନିକଟରେ ଆରମ୍ଭ ହୋଇଥିବା ଜାତୀୟ ହାଇଡ୍ରୋଜେନ ମିଶନ ବିଷୟରେ ଆଲୋଚନା କରିଥିଲେ । ପରିବେଶ ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ଜୀବନଶୈଳୀ ପରିବର୍ତ୍ତନର ଗୁରୁତ୍ୱ ଉପରେ ମଧ୍ୟ ଆଲୋଚନା କରିଥିଲେ ।

ଦୁଇ ନେତା ଭବିଷ୍ୟତରେ ସହଯୋଗର କ୍ଷେତ୍ର, ସ୍ପେସ୍ ସହଯୋଗ, ସୂଚନା ପ୍ରଯୁକ୍ତିବିଦ୍ୟା, ବିଶେଷ ଭାବରେ ଉଦୀୟମାନ ତଥା ଜଟିଳ ପ୍ରଯୁକ୍ତିବିଦ୍ୟା ତଥା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହଯୋଗ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ମୋଦି ଏବଂ କମଲା ହାରିସ୍ ପାରସ୍ପରିକ ଲାଭଦାୟକ ଶିକ୍ଷା ସଂଯୋଗର ମୂଳଦୁଆ, ଦୁଇ ଦେଶ ମଧ୍ୟରେ ଜ୍ଞାନକୌଶଳ, ଉଦ୍ଭାବନ ଏବଂ ପ୍ରତିଭାର ସହଭାଗିତା ହେବାପାଇଁ ଆଲୋଚନା କରିଛନ୍ତି। ବୈଠକ ଶେଷରେ ମୋଦି ହାରିଶଙ୍କୁ ଖୁବଶୀଘ୍ର ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି ।

ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା କହିଛନ୍ତି ଯେ, ଏହି ଦ୍ୱିପାକ୍ଷିକ ଆଲୋଚନା ମହତ୍ବପୂର୍ଣ୍ଣ ଏବଂ ଆନ୍ତରିକ ଅଟେ । ବୈଠକରେ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ, ସାଇବର ସୁରକ୍ଷା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।

ଶ୍ରୀଙ୍ଗଲା କହିଛନ୍ତି, ଯେତେବେଳେ ଆତଙ୍କବାଦ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ହାରିସ ସେତେବେଳେ ପାକିସ୍ତାନର ଭୂମିକା ବିଷୟରେ କହିଥିଲେ । ଆତଙ୍କବାଦୀ ଗୋଷ୍ଠୀକୁ ସମର୍ଥନ କରିବା ବନ୍ଦ କରିବାକୁ ସେ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି । ଏହିପରି ଆତଙ୍କବାଦୀ ଗୋଷ୍ଠୀ ପାଇଁ ପାକିସ୍ତାନର ସମର୍ଥନ ଉପରେ ତୀକ୍ଷ୍ଣ ନଜର ରଖିବା ଆବଶ୍ୟକ ବୋଲି କମଲା ହାରିସ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.