ସିନେ ଜଗତକୁ ଝଟ୍‌କା, ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟଙ୍କ ପରଲୋକ

author img

By

Published : Jul 21, 2022, 8:11 AM IST

Updated : Jul 21, 2022, 8:56 AM IST

ପରଲୋକରେ ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ

ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ଦେହାନ୍ତ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ପରଲୋକ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ବରୀ ରାୟ ମହାପାତ୍ରଙ୍କ ଦେହାନ୍ତ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ଧରି କ୍ୟାନ୍ସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ରାଜେଶ୍ବରୀ । ଏକାଧିକ ଓଡିଆ ସିରିଏଲ ଓ ଫିଲ୍ମରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ ସେ । ବିଶେଷ କରି ଖଳନାୟିକା ଭୂମିକାରେ ଲୋକଙ୍କ ମନ ଜିଣିଥିଲେ ଅଭିନେତ୍ରୀ ରାଜେଶ୍ବରୀ । ଧାରାବାହିକ ଉଆଁସି କନ୍ୟାରେ ଅଳକା ଚରିତ୍ରରେ ଅଭିନୟ କରି ଘରେ ଘରେ ବେଶ ପରିଚୟ ହାସଲ କରିଥିଲେ ।

ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ’ ଏହାପରେ ‘ଆରେ ସାଥୀ ଆ’, ‘ବ୍ଲାକ୍‌ମେଲ୍‌’ରେ ଜବରଦସ୍ତ ଅଭିନୟ କରିଥିଲେ ରାଜେଶ୍ବରୀ । ଧାରାବାହିକ ‘ଉଆଁସି କନ୍ୟା’, 'ତୋ ପାଇଁ ମୁଁ,' ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ବାଭିମାନ’, ‘ଦେବୀ’, ‘କୁମ୍‌କୁମ୍‌’ ଇତ୍ୟାଦିରେ ରାଜେଶ୍ବରୀଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ବିଶେଷତଃ ନେଗେଟିଭ ରୋଲ ପାଇଁ ରାଜେଶ୍ବରୀ ଖୁବ୍‌ ଲୋକପ୍ରିୟତା ସାଉଣ୍ଟି ଥିଲେ। ଲେଡି ଭିଲେନ୍‌ ଭାବେ ଧାରାବାହିକରେ ଲୋକପ୍ରିୟତା ହାସଲ କରିଥିଲେ । ଖୁବ ଶୀଘ୍ର ଜୀବନ ରଙ୍ଗ ମଞ୍ଚରେ ହାରିଯାଇଛନ୍ତି ରାଜେଶ୍ବରୀ । ଆଉ ତାଙ୍କର ଦମଦାର ଅଭିନୟ ଦେଖିବାକୁ ପାଇବେ ନାହିଁ ଦର୍ଶକ ।

ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ରାଜେଶ୍ୱରୀ ପ୍ରଥମେ ଆଙ୍କରିଂରୁ କ୍ୟାରିୟର ଆରମ୍ଭ କରିଥିଲେ । ଧୀରେ ଧୀରେ ଅଭିନୟ ପ୍ରତି ଆକୃଷ୍ଟ ହୋଇଥିଲେ । ଦୀର୍ଘ ଦିନ ଧରି ସେ ବ୍ରେନ ଓ ଲଙ୍ଗସ କ୍ୟାନସରରେ ପୀଡିତ ଥିଲେ । ହେଲେ ତାଙ୍କର ମନୋବଳ ବହୁତ ଦୃଢ ଥିଲା । ଅନେକ କ୍ୟାନ୍ସର ପୀଡିତଙ୍କୁ ଉତ୍ସାହିତ କରନ୍ତି ରାଜେଶ୍ବରୀ । କ୍ୟାନ୍ସରକୁ ହରାଇ ଜିତିବାକୁ ଦୃଢ ଆଶା ରଖିଥିଲେ ହେଲେ ହାରିଗଲେ ରାଜେଶ୍ବରୀ । ଗତକାଲି (ବୁଧବାର) ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ତାଙ୍କୁ ତୁରନ୍ତ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ରାଜେଶ୍ବରୀ ।

ଇଟିିଭି ଭାରତ, ଭୁବନେଶ୍ବର

Last Updated :Jul 21, 2022, 8:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.