ଅଭିନେତା ବିକ୍ରମ ଗୋଖଲେ ମୃତ୍ୟୁ ଖବର ଗୁଜବ, ସୂଚନା ଦେଲେ ଝିଅ

author img

By

Published : Nov 24, 2022, 9:58 AM IST

ଭେଟେରାନ ବଲିଉଡ ଅଭିନେତା ବିକ୍ରମ ଗୋଖଲେଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର

ଭେଟେରାନ ବଲିଉଡ ଅଭିନେତା ବିକ୍ରମ ଗୋଖଲେଙ୍କ ମୃତ୍ୟୁ ହୋଇନାହିଁ । ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ଦେଲେ ଅଭିନେତାଙ୍କ ଝିଅ । ଅଧିକ ପଢନ୍ତୁ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ(Veteran actor Vikram Gokhale) ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ତାଙ୍କର ମୃତ୍ୟୁ ହୋଇନାହିଁ । ସୋସିଆଲ ମିଡିଆରେ ଅଭିନେତା ଗୋଖଲେଙ୍କ ମୃତ୍ୟୁ ସମ୍ପର୍କିତ ଖବରକୁ ତାଙ୍କ ପରିବାର ଲୋକେ ଖଣ୍ଡନ କରିଛନ୍ତି । ବିକ୍ରମ ଗୋଖଲେ ପୁଣେ ସ୍ଥିତ ଦିନାନାଥ ମଙ୍ଗେସକର ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଏବେ ସେ କୋମାରେ ଅଛନ୍ତି । ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି । ତେଣୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅଭିନେତାଙ୍କ ଝିଅ ନିବେଦନ କରିଛନ୍ତି ।

ସୂଚନା ମୁତାବକ, ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ ହୋଇଯାଇଥିବା ଗତକାଲି ରାତିରେ ସୋସିଆଲ ମିଡିଆରେ ପ୍ରଚାରିତ ହୋଇଥିଲା । ଏପରିକି ମହାରାଷ୍ଟ୍ର ସରକାରଙ୍କ MAHA INFO CENTRE ଟ୍ବିଟର ହ୍ୟାଣ୍ଡେଲରେ ଅଭିନେତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ହେଲେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଆଜି ସକାଳୁ କିଛି ନ୍ୟୁଜ ଏଜେନ୍ସିରେ ଖବର ପ୍ରକାଶ ପାଇଥିଲା ଏବଂ ତାଙ୍କ ଝିଅ ଏହି ସୂଚନା ଦେଇଥିବା କୁହାଯାଇଥିଲା । ତେବେ ପ୍ରକୃତ ସତ୍ୟାସତ୍ୟ ଯାଞ୍ଚ ନକରି ରାଜ୍ୟ ସରକାରୀଙ୍କ ସରକାରୀ ଟ୍ବିଟର ଆକାଉଣ୍ଟରୁ ଏହି ଭେଟେରାନଙ୍କ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯିବା ଘଟଣାକୁ ସମାଲୋଚନା କରାଯାଇଛି ।

ସୂଚନାଯୋଗ୍ୟ, ଭେଟେରାନ ଅଭିନେତା ବିକ୍ରମ ଗୋଖଲେ ଗତ ୧୫ ଦିନ ହେଲା ଦିନାନାଥ ମଙ୍ଗେସକର ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ବିକ୍ରମ ଗୋଖଲେ ଅନେକ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି । ୧୯୭୧ ମସିହାରେ ମାତ୍ର ୨୬ ବର୍ଷ ବୟସରେ ଗୋଖଲେ ଅମିତାଭ ବଚ୍ଚନଙ୍କ ଫିଲ୍ମ ପରୱାନା ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ୧୯୯୦ରେ ଅମିତା ବଚ୍ଚନଙ୍କ ସହ ଅଗ୍ନିପଥରେ ଅଭିନୟ କରିଥିଲେ ।

୧୯୯୯ ମସିହାରେ ସଞ୍ଜୟ ଲୀଳା ଭନସାଲୀଙ୍କ ଫିଲ୍ମ ହମ୍ ଦିଲ୍ ଦେ ଚୁକେ ସନମ୍‌ରେ ଐଶ୍ବର୍ଯ୍ୟା ରାୟଙ୍କ ବାପା ଭୂମିକାରେ ନଜର ଆସିଥିଲେ । ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ ସେ ଅନେକ ମରାଠୀ ଫିଲ୍ମରେ ଅଭିନୟ କରିଛନ୍ତି । ମରାଠୀ ଫିଲ୍ମ 'ଅନୁମତି' ପାଇଁ ୨୦୧୦ ମସିହାରେ ଶ୍ରେଷ୍ଠ କଳାକାର ଭାବେ ବିକ୍ରମ ଗୋଖଲେ ଜାତୀୟ ପୁରସ୍କାର ପାଇଥିଲେ । ଏହାବ୍ୟତୀତ ସେ ଭୁଲ ଭୁଲେୟା, ମିଶନ ମଙ୍ଗଲ, ଦିଲ୍‌ ସେ, ହିଚକୀ, ଦେ ଦନା ଦନ, କମଲ ହାସନଙ୍କ ଫିଲ୍ମ ହେ ରାମ୍ ଇତ୍ୟାଦିରେ ନିଖୁଣ ଅଭିନୟ କରି ଦର୍ଶନକଙ୍କ ମନ ଜିଣିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.