National Cinema Day: ମାତ୍ର ୭୫ ଟଙ୍କାରେ ସିନେମା ଦେଖିଲେ ରାଜଧାନୀବାସୀ

author img

By

Published : Sep 23, 2022, 5:27 PM IST

ମାତ୍ର ୭୫ ଟଙ୍କାରେ ସିନେମା ଦେଖିଲେ ରାଜଧାନୀବାସୀ

ଆଜି ଜାତୀୟ ସିନେମା ଦିବସ । ଏହି ଅବସରରେ ଆଜି ରାଜଧାନୀ ଭୁବନେଶ୍ୱରର ସବୁ ହଲ ଗୁଡିକ ହାଉସଫୁଲ ଦେଖିବାକୁ ମିଳିଛି । ମଲ୍ଟିପ୍ଲେକ୍ସ ଆସୋସିଏସନ ଇଣ୍ଡିଆ ପକ୍ଷରୁ ଦର୍ଶକଙ୍କ ପାଇଁ ଟିକଟ ଦାମ୍ ରଖାଯାଇଛି ୭୫ ଟଙ୍କା । ଅଧିକ ପଢନ୍ତୁ

ଭୁବନେଶ୍ବର: ଦର୍ଶକ ହେବେ ହଲ ମୁହାଁ, ଆଉ କମ୍‌ ପଇସାରେ ଆସି ଦେଖିବେ ମନ ପସନ୍ଦର ସିନେମା । ଏହି ପ୍ରୟାସକୁ ନେଇ ଆଜି ଜାତୀୟ ସିନେମା ଦିବସ (national cinema day) ରେ ୭୫ ଟଙ୍କାରେ ମିଳୁଛୁ ସିନେମା ଟିକଟ୍‌ । ୧୫୦ କି ୫୦୦ ନୁହେଁ କେବଳ ୭୫ ଟଙ୍କାରେ ବଲିଉଡ଼, ହଲିଉଡ, ଟଲିଉଡ ହେଉ କି ଓଲିଉଡ ସିନେମା ହଲରେ ଦେଖି ପାରିବେ ଦର୍ଶକ । ଆଉ ଏହାକୁ ନେଇ ଆଜି ସବୁ ସିନେମା ହଲରେ ଦେଖିବାକୁ ମିଳିଛି ଦର୍ଶକଙ୍କ ଖଚାଖଚ୍‌ ଭିଡ । ଏହି କ୍ରମରେ ଆଜି ରାଜଧାନୀ ଭୁବନେଶ୍ୱରର ସବୁ ହଲ ଗୁଡିକ ହାଉସଫୁଲ ଦେଖିବାକୁ ମିଳିଛି ।

ମାତ୍ର ୭୫ ଟଙ୍କାରେ ସିନେମା ଦେଖିଲେ ରାଜଧାନୀବାସୀ

ଜାତୀୟ ସିନେମା ଦିବସ ଅବସରରେ ମଲ୍ଟିପ୍ଲେକ୍ସ ଆସୋସିଏସନ ଇଣ୍ଡିଆ ପକ୍ଷରୁ ଦର୍ଶକଙ୍କ ପାଇଁ ଟିକଟ ଦାମ୍ ରଖାଯାଇଛି ୭୫ ଟଙ୍କା । ସେ ମଲ୍ଟିପ୍ଲେକ୍ସ ହେଉ କି ସିଙ୍ଗଲ ସ୍କ୍ରିନ୍ ସବୁଠି ଟିକଟ ଦର ସମାନ ଆଉ ସୁବିଧା ବି ସମାନ ରହିଛି । ପିଭିଆର, ଆଇନକ୍ସ, ସିନେପଲିସ୍ ସମେତ ୪ ହଜାରରୁ ଅଧିକ ବଡ଼ ପରଦାରେ ମଜା ନେଉଛନ୍ତି ଦର୍ଶକ । ସେଥିପାଇଁ କେବଳ ଭୁବନେଶ୍ୱର ନୁହେଁ ସାରା ଦେଶରେ କୌଣସି ହଲ ଫାଙ୍କା ନାହିଁ । ଆଜିର ଦିନରେ ଦର୍ଶକଙ୍କୁ ଭିନ୍ନ ଅନୁଭୂତି ଚଖାଇବା ପାଇଁ ପ୍ରଥମ ଥର ପାଇଁ ମଲ୍ଟିପ୍ଲେକ୍ସ ଆସୋସିଏସନ ଇଣ୍ଡିଆ ପକ୍ଷରୁ ଏଭଳି ନିଆରା ପ୍ରୟାସ କରାଯାଇଛି । ଦର୍ଶକଙ୍କୁ ହଲ ମୁହାଁ କରାଇବା ଏବଂ ଧୀରେ ଧୀରେ ହଲ ଏବଂ ଦର୍ଶକଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଦୂରତାକୁ କମାଇବାକୁ ଅଣ୍ଟା ଭିଡିଛି ଆସୋସିଏସନ୍ । ତେଣୁ ଦର୍ଶକଙ୍କ ପାଇଁ ଥିବା ଏହି ଭେଟିର ମଜା ଉଠାଉଛନ୍ତି ରାଜଧାନୀବାସୀ ।

ରାଜଧାନୀରେ ଥିବା ବିଭିନ୍ନ ସିନେମା ହଲଗୁଡିକରେ ୭୫ ଟଙ୍କା ଟିକେଟ ମୂଲ୍ୟ ରହିଥିବା ବେଳେ ପରିବାର ଓ ପ୍ରିୟ ଜନକଙ୍କ ସହ ଆସି ସିନେମାର ମଜା ଉଠାଇଛନ୍ତି ରାଜଧାନୀବାସୀ । ଆଉ କମ୍‌ ଦାମରେ ବ୍ରହ୍ମାସ୍ତ୍ର, ଚୁପ ଆଉ ଅବତାର ଭଳି ବିଗ ବଜେଟର ସିନେମା ଦେଖି ବେଶ ଖୁସି ହୋଇଛନ୍ତି ଦର୍ଶକ । ଅନ୍ୟପଟେ ମଲ୍ଟିପ୍ଲେସ୍ ଆସୋସିଏସନ ଇଣ୍ଡିଆ ପକ୍ଷରୁ ନିଆ ଯାଇଥିବା ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି ହଲ ମାଲିକ । କାରଣ କ୍ଷତିରେ ଚାଲୁଥିବା ହଲଗୁଡିକ ଆଜି ହାଉସଫୁଲକୁ ନେଇ ଭଲ ବ୍ୟବସାୟ କରିଛନ୍ତି । କେବଳ ବଲିଉଡ କି ହଲିଉଡ ମୁଭି ନୁହଁ ଭାରତର ବିଭିନ୍ନ ଭାଷାରେ ନିର୍ମିତ ସିନେମା ଗୁଡ଼ିକୁ ଦେଖିବା ନିମନ୍ତେ ମାତ୍ର ୭୫ ଟଙ୍କା ଦେଇ ଟିକେଟ କିଣିଛନ୍ତି ସିନେପ୍ରେମୀ । କମ ଦାମରେ ତାପୁଣି ମଲ୍ଟିପ୍ଲେକ୍ସରେ ବସି ସିନେମା ଦେଖିବାକୁ ମିଳୁଥିବାରୁ ହଲ ଗୁଡ଼ିକରେ ଦର୍ଶକଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଛି ।

ଅନ୍ୟପଟେ କିନ୍ତୁ ଆଜି ଦିନର ଏହି ବିଶେଷତାର ଫାଇଦା ନେଇ ପାରିନାହିଁ ଓଡ଼ିଆ ସିନେମା । ହଲ ଗୁଡିକରେ ଓଡ଼ିଆ ସିନେମା ନଥିବାରୁ ଓଡ଼ିଆ ସିନେ ପ୍ରେମୀ ଏହି ସୁବିଧାରୁ ବାଦ୍‌ ପଡିଛନ୍ତି । ଆଉ ହଲ ଗୁଡିକରେ ଓଡ଼ିଆ ସିନେମା ନଥିବାରୁ ମନ ଉଣା କରିଛନ୍ତି ଉଭୟ ହଲ ମାଲିକ ଓ ଦର୍ଶକ । ଏଥିପାଇଁ ଓଡ଼ିଆ ସିନେମାର କଣ୍ଟେଣ୍ଟ ଭଲ କରିବା, ସିନେମାର ମାନ ପ୍ରତି ଦୃଷ୍ଟି ଦେବା ସହ ଓଡିଆ ସିନେମା ଗୁଡ଼ିକର ପ୍ରମୋଶନ କରାଯିବା ଉପରେ ଗୁରୁତ୍ବ ଦେଇଛନ୍ତି ଉଭୟ ହଲ ମାଲିକ ଓ ଦର୍ଶକ ।

ଗୋଟେ ପଟେ ସିନେମା ଦିବସରେ ଦର୍ଶକଙ୍କୁ ଖୁସି କରିବା ପାଇଁ ମଲ୍ଟିପ୍ଲେକ୍ସ ଆସୋସିଏସନ ଇଣ୍ଡିଆ ପକ୍ଷରୁ ୭୫ ଟଙ୍କା ଟିକେଟ ଦାମ କରାଯାଇଥିବା ବେଳେ ଅନ୍ୟପଟେ ସାମିଲ ହୋଇନି ଓଡ଼ିଆ ସିନେମା । ଏହା ଆମ ସମସ୍ତଙ୍କ ପାଇଁ ଅବଶୋଷର କାରଣ ହୋଇଛି । ଓଡ଼ିଆ ସିନେମା ଶିଳ୍ପ ବିକାଶ କରୁ ଓ ପୁଣି ଥରେ ପୂର୍ବ ଭଳି ସବୁ ପ୍ରତିଯୋଗୀତା ଓ ସୁବିଧାରେ ସାମିଲ ହେଉ ବୋଲି ହଲ ମାଲିକ ଓ ଦର୍ଶକ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.