ହାଇଦ୍ରାବାଦ ବଲିଉଡ କୁଇନ କଙ୍ଗନା ରଣାୱତ ସବୁବେଳେ ବିଭିନ୍ନ ପ୍ରସଙ୍ଗ ଉପରେ ନିଜ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥାନ୍ତି । ଏଥିସହ ଅନେକ ଥର ସେ ବିବାଦକୁ ଆସିବା ସହ ଟ୍ରୋଲର ଶିକାର ମଧ୍ୟ ହୋଇଥାନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ପୁଣି କଙ୍ଗନା ନିଜ ପୋଷ୍ଟ ପାଇଁ ଶିରୋନାମାରେ ରହିଛନ୍ତି । ଏଥର କଙ୍ଗନା ଟ୍ୱିଟରରେ ସର୍ଟ ପିନ୍ଧି ମନ୍ଦିରକୁ ଯାଇଥିବା ଝିଅ ଉପରେ ବର୍ଷିଛନ୍ତି । କେବଳ ଏତିକି ନୁହେଁ କଙ୍ଗନା ନିଜର ଏକ ଅନୁଭୂତି ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କୁ ମଧ୍ୟ ସର୍ଟ ଏବଂ ଟିସାର୍ଟରେ ଭାଟିକାନ ସିଟିରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା । ଜଣେ ୟୁଜର୍ସ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ଝିଅମାନେ ହିମାଚଳର ବୈଜନାଥ ଶିବ ମନ୍ଦିରକୁ ସର୍ଟ୍ସରେ ଯାଇଛନ୍ତି । ସେ ଲେଖିଛନ୍ତି ଏହା ହେଉଛି ହିମାଚଳର ପ୍ରସିଦ୍ଧ ଶିବ ମନ୍ଦିର ବୈଜନାଥଙ୍କ ଦୃଶ୍ୟ । ବୈଜନାଥ ମନ୍ଦିରରେ ଏମାନେ ଏମିତି ପହଞ୍ଚିଛନ୍ତି ଯେପରି ଏକ ପବ୍ କିମ୍ବା ନାଇଟ୍ କ୍ଲବ୍କୁ ଯାଇଛନ୍ତି । ଏପରି ଲୋକଙ୍କୁ ମନ୍ଦିର ଭିତରକୁ ଯିବାକୁ ଦିଆଯିବା ଉଚିତ୍ ନୁହେଁ । ମୁଁ ଏହାକୁ ଦୃଢ ବିରୋଧ କରୁଛି । ଏସବୁ ଦେଖି ଯଦି ମୋର ଚିନ୍ତାଧାରାକୁ ଛୋଟ କୁହାଯାଏ ତେବେ ମଧ୍ୟ ଏହା ଗ୍ରହଣୀୟ । କଙ୍ଗନା ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି ଏହା ପାଶ୍ଚାତ୍ୟ ପୋଷାକ ଏହା ହ୍ବାଇଟ ଲୋକମାନଙ୍କ ଦ୍ୱାରା ଉଦ୍ଭାବିତ ଏବଂ ପ୍ରୋତ୍ସାହିତ ହୋଇଥିଲା ମୁଁ ଥରେ ଭାଟିକାନରେ ସର୍ଟ ଏବଂ ଟିସାର୍ଟ ପିନ୍ଧିଥିଲି ମୋତେ ପରିସରରେ ମଧ୍ୟ ଅନୁମତି ଦିଆଯାଇନଥିଲା ମୋତେ ଫେରିବାକୁ ପଡ଼ିଲା ମୋ ହୋଟେଲକୁ । ଯେଉଁମାନେ କାଜୁଆଲ୍ ଭଳି ରାତ୍ରି ପୋଷାକ ପିନ୍ଧନ୍ତି ସେମାନେ ଅଳସୁଆ ଏବଂ ଛୋଟାଲୋକ ଛଡା ଆଉ କିଛି ନୁହଁନ୍ତି । ମୁଁ ଭାବୁ ନାହିଁ ଯେ ସେମାନେ ଅନ୍ୟ କୌଣସି ଉଦ୍ଦେଶ୍ୟ ରଖିବାରେ ସକ୍ଷମ କିନ୍ତୁ ଏହିପରି ମୂର୍ଖମାନଙ୍କ ପାଇଁ କଡା ନିୟମ ରହିବା ଉଚିତ୍ । କଙ୍ଗନା ହିମାଚଳ ପ୍ରଦେଶର ମନାଲିର ବାସିନ୍ଦା ଏବଂ ଇନ୍ଷ୍ଟାଗ୍ରାମରେ ସେ ନିଜ ରାଜ୍ୟର ସଂସ୍କୃତି ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଥାଏ । ନିକଟରେ ଅଭିନେତ୍ରୀଙ୍କୁ ହରିଦ୍ୱାର ଯାତ୍ରା କରିଥିବା ଦେଖିବାକୁ ମିଳିଥିଲା ଯାହାର ଝଲକ ସେୟାର କରିଥିଲେ । ଯେଉଁଠାରେ ତାଙ୍କୁ ଗଙ୍ଗା ନଦୀ କୂଳରେ ଆରାମ କରୁଥିବା ଦେଖିବାକୁ ମିଳିଥିଲା । ସେପଟେ କଙ୍ଗନାଙ୍କ ୱାର୍କ୍ ଫ୍ରଣ୍ଟ କଥା କହିବାକୁ ଗଲେ କଙ୍ଗନା ପରବର୍ତ୍ତୀ ଫିଲ୍ମ ଏମରଜେନ୍ସି ରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ସେ ନିଜେ ଅଭିନୟ କରିବା ସହ ନିର୍ଦ୍ଦେଶନା ଦେଉଛନ୍ତି । ଏହି ଚଳଚ୍ଚିତ୍ରରେ ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମରୁ ତାଙ୍କର ଲୁକ୍ ପୋଷ୍ଟର ମଧ୍ୟ ସାମ୍ନାକୁ ଆସିଛି ।