ଆଉ ଶୁଭିବନି ଏଇ ଅନାନି, ଦମଦାର ସଂଳାପକୁ ଝୁରିବେ ସିନେପ୍ରେମୀ

author img

By

Published : Jun 24, 2022, 3:11 PM IST

ସଂଳାପରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ଅଭିନେତା ରାଇମୋହନ

ଲୋକପ୍ରିୟ ଓଡିଆ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା । ଭୁବନେଶ୍ବର ସ୍ଥିତ ପ୍ରାଚୀ ବିହାର ଘରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି । ସେ ୫୮ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପାରିବାରିକ ଅସନ୍ତୋଷରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଏଇ ଅନାନି... ମୁଁ ନାଗିନା..., ହଜାରେ ବନ୍ଧୁକକୁ ଶହେ କମାଣ ଏକା ଲଢିବ ରାଇମୋହନ...ତୁ ଗଙ୍ଗା ହଅ କି ତୁଳସୀ ହଅ ମୋର କିଛି ଯାଏ ଆସେ ନାହିଁ ମୁଁ ଚଣ୍ଡାଳ...ଦିନେ ଏମିତି ସଂଳାପ କହି ମଞ୍ଚ ଉଠାଉଥିଲେ ପକାଉଥିଲେ । ଆଉ କେତେବେଳେ ହସାଉଥିଲେ ତ ପୁଣି କେତେବେଳେ କନ୍ଦାଉଥିଲେ । ହେଲେ ଆଜି ସତରେ ସମସ୍ତଙ୍କୁ କନ୍ଦାଇ ଆରପାରିକୁ ଚାଲିଯିବେ ଏହା ସହଜରେ କାହାକୁ ବିଶ୍ବାସ ହେଉନି । ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଖବର ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ଚାରିଆଡେ ଖେଳିଯାଇଛି ଶୋକର ଛାୟା ।

ଭୁବନେଶ୍ବର ସ୍ଥିତ ପ୍ରାଚୀ ବିହାର ଘରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି । ସେ ୫୮ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପାରିବାରିକ ଅସନ୍ତୋଷରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖଳନାୟକ ଭୂମିକାରେ ପ୍ରତିଟି ଓଡିଆର ହୃଦୟ ଜିତିଥିଲେ ରାଇମୋହନ ପରିଡା । ନିଜର ଦମଦାର ଅଭିନୟ ପାଇଁ ସେ ଘରେ ଘରେ ପରିଚିତ ଥିଲେ।

ରାଇମୋହନ ପରିଡ଼ାଙ୍କ ସମ୍ପର୍କରେ କିଛି..

ରାଇମୋହନ ପରିଡ଼ା ୧୯୬୩, ଜୁଲାଇ ୧୦ରେ କେନ୍ଦୁଝର ଜିଲ୍ଲାର ଉଦୟପୁର ଗ୍ରାମରେ ଜନ୍ମ ହୋଇଥିଲେ । ପିଲାବେଳୁ ହିଁ ତାଙ୍କର ଅଭିନୟ ପ୍ରତି ଦୁର୍ବଳତା ରହିଥିଲା । ତା’ପରେ ସ୍କୁଲ ଓ କଲେଜରେ ପଢ଼ିବା ବେଳେ ନାଟକରେ ଭାଗ ନେଉଥିଲେ । ତାଙ୍କର ଅଭିନୟ ପ୍ରତି ଭଲ ପାଇବା ଦେଖି ତାଙ୍କ ବାପା ତାଙ୍କୁ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟକୁ ପଠାଇଥିଲେ । ଏହାପରେ ରାଇମୋହନଙ୍କର ବିଧିବଦ୍ଧ ଭାବେ ଅଭିନୟ ଜୀବନ ଆରମ୍ଭ ହୋଇଥିଲା । ଫିଲ୍ମ, ସିରିଏଲ, ଡ୍ରାମା, ମେଗା ସିରିଏଲ ଆଦିରେ ଅଭିନୟ କରି ଆଜି ଏକ ଭିନ୍ନ ଛାପ ଛାଡ଼ିଛନ୍ତି ସେ । ସେ ଓଡିଆ ଯାତ୍ରା ଓ ଫିଲ୍ମ ସହ କିଛି ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।

ଏହା ବି ପଢନ୍ତୁ: ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା, ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର

ରାଇମୋହନ 100ରୁ ଅଧିକ ଓଡିଆ ଚଳଚ୍ଚିତ୍ର ଓ ୧୫ଟି ବଙ୍ଗାଳି ଫିଲ୍ମ ଏବଂ ୪୦ରୁ ଅଧିକ ଯାତ୍ରା ସହିତ ସେ ଦର୍ଶକଙ୍କୁ ଦେଇଛନ୍ତି ଅନେକ ହାଇ ଭୋଲଟେଜ୍ ଡ୍ରାମା । ସେ ୧୯୮୪ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଗଙ୍ଗଶିଉଳି ଥିଲା । ଏହାପରେ ୧୯୯୧-୯୨ରେ ସେ ପ୍ରଥମେ ଅଭିନେତା ଅଶ୍ରୁମୋଚନଙ୍କ ସହ ମିଶି ତାରିଣୀ ଗଣନାଟ୍ୟର ନାଟକ ଭଙ୍ଗା ଆଇନାରେ ନିର୍ଦ୍ଦେଶନା ଦେଇଥିଲେ। ୧୯୯୮ ସିଂହବାହିନୀ, ସୁନାଭାଉଜରେ ତାଙ୍କ ଅଭିନୟ ଥିଲା ବେଶ ଜୀବନ୍ତ । ତାଙ୍କ ଅଭିନୟରେ ମତୁଆଲା ହୋଇଥିଲେ ଦର୍ଶକ । ଏହାପରେ ତାଙ୍କୁ ଓଲିଉଡର ସୋ’ ମ୍ୟାନ୍‌ ପ୍ରଶାନ୍ତ ନନ୍ଦଙ୍କ ଫିଲ୍ମ ‘ପକା କମ୍ବଳ ପୋତ ଛତା’ରେ ସେ ଅଫର ପାଇଥିଲେ।

ରାଇମୋହନ ‘ରଣଭୂମି’, ‘ସିଂହବାହିନୀ’, ‘ସରପଞ୍ଚ ବାବୁ’, ‘କୁଳ ନନ୍ଦନ’, ‘ବିଧାତା’, ‘ଆସିବୁ କେବେ ସାଜି ମୋ ରାଣୀ’ ଭଳି ଅନେକ ଫିଲ୍ମରେ ସେ କାମ କରିଛନ୍ତି। 'ଆସୁଛି ମୋ କାଳିଆ ସୁନା', 'ଉଦଣ୍ଡି ସୀତା', 'ଦାଦାଗିରି', 'ସିଂହ ବାହିନୀ', 'ରକତ ଚିହ୍ନିଛି ନିଜର କିଏ' ଆଦି ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ସଭିଁଙ୍କ ମନ ଜିଣିଛନ୍ତି ରାଇମୋହନ ପରିଡା । ରାଇମୋହନ ତାଙ୍କ ଜୀବନ କାଳ ମଧ୍ୟରେ ଅନେକ କୃତିତ୍ୱ ଲାଭ କରିଛନ୍ତି । ସେ ୭୦ ରୁ ୮୦ ଟା ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କର ‘ହେଇ ଅନାନି’, ‘ମୁଁ ନାଗିନା’ ଭଳି କିଛି ଡାଇଲଗ ଦର୍ଶକଙ୍କ ମନରେ ଘର କରି ରହଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.