ବର୍ଷା-ଅନୁଭବ ପାରିବାରିକ ମାମଲା, ୧୫ରେ ହାଇକୋର୍ଟରେ ଚୂଡାନ୍ତ ଶୁଣାଣି

author img

By

Published : Sep 6, 2022, 7:55 AM IST

ହାଇକୋର୍ଟରେ ବର୍ଷା-ଅନୁଭବ ପାରିବାରିକ ମାମଲା, ଆସନ୍ତା ୧୫ରେ ପୂର୍ଣାଙ୍ଗ ଶୁଣାଣି

ହାଇକୋର୍ଟରେ ବର୍ଷା ଓ ଅନୁଭବ ପାରିବାରିକ ମାମଲା । ଆସନ୍ତା ୧୫ରେ ପୂର୍ଣ୍ଣାଙ୍ଗ ଶୁଣାଣି କରିବେ କୋର୍ଟ । ଅଧିକ ପଢନ୍ତୁ

କଟକ: ବର୍ଷା-ଅନୁଭବ ପାରିବାରିକ ମାମଲାରେ ଆସନ୍ତା ସେପ୍ଟେମ୍ବର ୧୫ରେ ଚୂଡାନ୍ତ ଶୁଣାଣି ହେବ । ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ଭିଡିଓ ଛାଡି ବିଭିନ୍ନ କଥା କହୁଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ଏହି ପ୍ରସଙ୍ଗ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଚଳିତ ବର୍ଷ ମେ' ୨୭ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ବର୍ଷାଙ୍କ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ଅନୁଭବ ମହାନ୍ତି ଆଉ କୌଣସି ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇ ପାରିବେ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହିତ ପରସ୍ପରକୁ ଆକ୍ଷେପ କରି ଆବେଦନକାରୀ ବର୍ଷା ଓ ପ୍ରତିପକ୍ଷ ଅନୁଭବ କୌଣସି ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇ ପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ । ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ଆସନ୍ତା ସେପ୍ଟେମ୍ବର ୧୫ରେ ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ, ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ଓ ଅନ୍ୟ କେତେକ ମାମଲା ଅଦାଲତରେ ବିଚାରାଧୀନ ଥିବାବେଳେ ଏବେ ସୋସିଆଲ ମିଡିଆରେ ନାନା କଥା ଚର୍ଚ୍ଚା କରାଯାଉଛି । ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ବିଭିନ୍ନ କଥା ଚର୍ଚ୍ଚା ଦ୍ବାରା ମାନ ମର୍ଯାଦା ହାନି ହେଉଛି ବୋଲି ଦର୍ଶାଇ ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ନାଳରେ ଭାସୁଛି ନବଜାତ ଶିଶୁର ମୃତଦେହ

ଉଲ୍ଲେଖଯୋଗ୍ୟ, ପୂର୍ବରୁ କଟକ ପରିବାର ଅଦାଲତରେ ସାଂସଦ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡପତ୍ର ଆବେଦନ ଉପରେ ସକ୍ଷ୍ୟ ଦେବା ନିମନ୍ତେ ଅନୁଭବ ନିଜେ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ । ବର୍ଷାଙ୍କୁ ଛାଡପତ୍ର ଦେବା ଲାଗି ପ୍ରଥମେ ନୂଆଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଆବେଦନ କରିଥିଲେ ସାଂସଦ ଅନୁଭବ ମହାନ୍ତି । ଏହି ମାମଲା କଟକକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲା କଟକ ସ୍ଥାନାନ୍ତର ହୋଇଥିଲା । ଅନ୍ୟପଟରେ ସୋସିଆଲ ମିଡିଆରେ ଅନୁଭବଙ୍କ ବିବାଦୀୟ ପୋଷ୍ଟକୁ ନେଇ ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାବେଳେ, ହାଇକୋର୍ଟ କେହି କାହାରି ବିରୋଧରେ ଆପତ୍ତିଜନକ ପୋଷ୍ଟ କରିବାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ଏହି ମାମଲା ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି ହେବାକୁ ଥିବାବେଳେ ମାମଲାଟି ଜଣିକିଆ ଖଣ୍ଡପୀଠରେ ହେବ ବୋଲି ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.