ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା, ୨୦ରେ ପରବର୍ତ୍ତୀ ଶୁଣାଣି

author img

By

Published : Sep 26, 2022, 1:56 PM IST

Updated : Sep 26, 2022, 2:09 PM IST

high court hearing on elephant death case

ହାଇକୋର୍ଟରେ ହାତୀ ସୁରକ୍ଷା ମାମଲା । ଡିସେମ୍ବର ସୁଦ୍ଧା ହାତୀଙ୍କ ସୁରକ୍ଷା ପାଇଁ ଚୂଡାନ୍ତ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ । ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଅବଗତ କଲେ ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

କଟକ: ହାଇକୋର୍ଟରେ ହାତୀ ସୁରକ୍ଷା ମାମଲା । ହାତୀ ସୁରକ୍ଷାକୁ ନେଇ ଡିସେମ୍ବର ସୁଦ୍ଧା ପ୍ରସ୍ତୁତ ହେବ ଚୂଡାନ୍ତ ଆକ୍ସନ ପ୍ଲାନ । ଏନେଇ ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଅବଗତ କଲେ ରାଜ୍ୟ ସରକାର । ସେପ୍ଟେମ୍ବର ୨୦ ତାରିଖରେ ଜଏଣ୍ଟ ଟାକ୍ସଫୋର୍ସ ବୈଠକ ହୋଇଥିବା ନେଇ କୋର୍ଟଙ୍କୁ ଅବଗତ କଲେ । ତେବେ ଆସନ୍ତା ଅକ୍ଟୋବର ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ପୂର୍ବ ଶୁଣାଣିରେ ରାଜ୍ୟରେ ହାତୀ ମୃତ୍ୟୁ ରୋକିବାକୁ JTF(ଜଏଣ୍ଟ ଟାସ୍କଫୋର୍ସ) ଗଠନ କରାଯିବା ନେଇ ସତ୍ୟପାଠ ମାଧ୍ୟମରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ।

ପୋଲିସ ଓ ବନକର୍ମଚାରୀଙ୍କୁ ନେଇ ଗଠନ ହେବ JTF । ଅସ୍ବାଭାବିକ ହାତୀମୃତ୍ୟୁ ସହ ବିଭିନ୍ନ ବନ୍ୟପ୍ରାଣୀ ଅପରାଧର JTF ତଦନ୍ତ କରିବ । ହାତୀ ଶିକାର ଘଟଣାରେ ସରକାରଙ୍କ ତରଫରୁ ଗ୍ରହଣ କରାଯାଉଥିବା ପଦକ୍ଷେପକୁ ନେଇ ହା‌ଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ମାମଲାରେ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (PCCF Wild Life) ଦାଖଲ କରିଥିବା ସତ୍ୟପାଠରେ ଗତ ୫ ବର୍ଷରେ ହାତୀ ଶିକାର ନେଇ ୧୪ଟି ମାମଲା ରୁଜୁ ହୋଇଥିବା ଦର୍ଶାଯାଇଥିଲା । ଏଥିରୁ ମାତ୍ର ଗୋଟିଏ ମାମଲାରେ ଅଦାଲତରେ ଟ୍ରାଏଲ ଆରମ୍ଭ ହୋଇଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା ।

ଏହି ପ୍ରସଙ୍ଗକୁ ନେଇ ରୁଜୁ ହୋଇଥିବା ମାମଲା ଗୁଡିକର ଅଗ୍ରଗତି ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ ପୂର୍ବରୁ କହିଥିଲେ। ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ଏହି ସବୁ ମାମଲାରେ ଗିରଫ ଅଭିଯୁକ୍ତମାନେ ଏବେ ଜେଲରେ ଅଛନ୍ତି ଅଥବା ଜାମିନ ପାଇଛନ୍ତି ସେନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ । କିନ୍ତୁ ଅଭିଯୁକ୍ତଙ୍କ ଜାମିନ ପ୍ରସଙ୍ଗରେ ରାଜ୍ୟ ସରକାର ଜବାବ ରଖି ପାରିନଥିଲେ।

ଏହା ମଧ୍ୟ ପଢ଼ନ୍ତୁ: World Elephant Day: କେତେ ସଚେତନ ସରକାର, ହାତୀ ଶୂନ୍ୟ ହୋଇ ଯିବକି ଓଡ଼ିଶା ?

ଏଥି ସହିତ ଗୁଳିମାଡରେ ହାତୀ ମୃତ୍ୟୁ ମାମଲାରେ ବେଆଇନ ବନ୍ଧୁକ ବ୍ୟବହାର ହେଉଥିଲେ ମଧ୍ୟ ଆର୍ମସ୍ ଆକ୍ଟରେ କାହିଁକି ଗୋଟିଏ ବି ମାମଲା ରୁଜୁ ହୋଇ ନାହିଁ ସେନେଇ ମଧ୍ୟ ବନ ବିଭାଗ ତରଫରୁ କୌଣସି ସନ୍ତୋଷଜନକ ଜବାବ ମିଳିନଥିଲା । ଏଭଳି ସ୍ଥିତିରେ ହାଇକୋର୍ଟ କହିଥିଲେ ଯେ, ରାଜ୍ୟରେ ବିଗତ କିଛି ଦିନରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାଜନକ ବିଷୟ । ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନିଆଯିବା ଉଚିତ୍‌ । ବହୁ କ୍ଷେତ୍ରରେ ବନ୍ଧୁକ ଗୁଳିରେ ହାତୀ ମୃତାହତ ହେଉଥିବା ଦେଖା ଯାଉଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଆର୍ମସ୍ ଆକ୍ଟ ମାମଲାରେ ପ୍ରୟୋଗ କରାଯାଉ ନାହିଁ ବୋଲି ହାଇକୋର୍ଟ କହିଥିଲେ । ବନ୍ୟପ୍ରାଣୀ ସୁରକ୍ଷା ଆଇନ ଏବଂ ଆର୍ମସ୍ ଆକ୍ଟ ସମେତ ଅନ୍ୟ ଆଇନ କଡ଼ାକଡ଼ି କାର୍ଯ୍ୟକାରୀ ପାଇଁ ଆଇନ କାର୍ଯ୍ୟକାରୀ ବ୍ୟବସ୍ଥାକୁ ସକ୍ରିୟ କରିବାକୁ ଉଦ୍ୟମ କରାଯିବା ଆବଶ୍ୟକ। ଏହି ସମସ୍ୟାର କେମିତି ମୁକାବିଲା କରାଯିବା ସେନେଇ ପୋଲିସ ଡିଜିଙ୍କୁ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଉଲ୍ଲେଖ ଯୋଗ୍ୟ ଯେ, ଅଗଷ୍ଟ ୬ରେ ପିସିସିଏଫଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଗତ ୫ ବର୍ଷରେ ଆଠଗଡ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବୌଦ୍ଧ, ଘୁମୁସର (ଉତ୍ତର) ଡିଭିଜନରେ ବେଆଇନ ହାତୀ ଶିକାର କରାଯାଇଥିବା ଦର୍ଶାଯାଇଥିଲା । ୨୦୧୮ରୁ ୨୦୨୨ ମଧ୍ୟରେ ୧୪ଟି ମାମଲା ରୁଜୁ କରାଯାଇ ୨୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଉଲ୍ଲେଖ କରାଯାଇଥିଲା । ଜୁଲାଇ ୨୫ରେ ହାଇକୋର୍ଟ ଏ ସମ୍ପର୍କିତ ମାମଲାର ଶୁଣାଣି କରି ପିସିସିଏଫଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତ ୫ ବର୍ଷରେ ପ୍ରତ୍ୟେକ ହାତୀ ଶିକାର ଘଟଣାର ବିସ୍ତୃତ ବିବରଣୀ ସତ୍ୟପାଠରେ ଦେବା ପାଇଁ କୋର୍ଟ କହିଥିଲେ । ହାତୀ ଶିକାର ଘଟଣାର ସ୍ଥାନ/ଅଞ୍ଚଳ, ଗ୍ରହଣ କରାଯାଇଥିବା ପଦକ୍ଷେପ ଯଥା ଏତଲା ପଞ୍ଜୀକରଣ, ସନ୍ଦିଗ୍ଧଙ୍କ ତାଲିକା, ଗିରଫ ଅଭିଯୁକ୍ତଙ୍କ ବିବରଣୀ, ଦାଖଲ କରାଯାଇଥିବା ଚାର୍ଜସିଟ, କେଉଁ ଅଦାଲତରେ ମାମଲା ବିଚାରାଧୀନ ରହିଛି, ଟ୍ରାଏଲର ଷ୍ଟାଟସ୍, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ମାମଲା ସଂକ୍ରାନ୍ତରେ ଏବଂ ୱାଇଲ୍ଡ ଲାଇଫ କ୍ରାଇମ ସେଲ୍ ପ୍ରସଙ୍ଗରେ ମଧ୍ୟ ଦେବାକୁ ହାଇକୋର୍ଟ କହିଥିଲେ।

ଇଟିଭି ଭାରତ, କଟକ

Last Updated :Sep 26, 2022, 2:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.