ଜଙ୍ଗଲ ସୃଷ୍ଟି କରିବ ସିଡବଲ: ବୃକ୍ଷରୋପଣର ନୂତନ ଜ୍ଞାନକୌଶଳ, ମଞ୍ଜିଗୋଳା ଫିଙ୍ଗା ଯାଇ ଲଗାଯାଉଛି ଗଛ

author img

By

Published : Sep 13, 2022, 9:08 PM IST

ବୃକ୍ଷରୋପଣର ନୂତନ ଜ୍ଞାନକୌଶଳ, ସିଡବଲ୍‌ ଫିଙ୍ଗାଯାଇ ଲଗାଯାଉଛି ଗଛ

ବିଶ୍ବ ଆଧୁନିକତା ଆପଣାଇଥିବା ବେଳେ ଅପରପକ୍ଷରେ ପରିବେଶର କ୍ଷତି ଘଟୁଛି । ଅଧିକାଂଶ ବିକାଶମୂଳକ କାର୍ଯ୍ୟ ଲାଗି ଗଛ କଟାଯାଇ ଜଙ୍ଗଲ କ୍ଷୟ ହେଉଛି । ଫଳରେ ପରିବେଶ ବିପଦ ଆଡ଼କୁ ଗତି କରୁଛି । ତେବେ ଏଥିରୁ ବର୍ତ୍ତିବା ପାଇଁ ବନୀକରଣର ଉନ୍ନତ ଜ୍ଞାନକୌଶଳ ସିଡବଲ ମାଧ୍ୟମରେ କରାଯାଉଛି ବୃକ୍ଷରୋପଣ । ଏହି ମଞ୍ଜିଗୋଳା ଫିଙ୍ଗାଯାଇ ଲଗାଯାଉଛି ଗଛ । ଦେଖନ୍ତୁ ଏହି ରିପୋର୍ଟ

କଟକ: ବଦଳୁଛି ସମୟ । ଆଉ ସମୟ ବଦଳିବା ସହ ଅଧୁନିକତାର ପରିସର ମଧ୍ୟ ଦିନକୁ ଦିନ ହେଉଛି ବ୍ୟାପ୍ତ । ତେବେ ଏହି ନୂତନତା ମଧ୍ୟରେ ସମାଜରୁ ଧୀରେ ଧୀରେ ଲୋପ ପାଉଛି ଅମୂଲ୍ୟ ସମ୍ପଦ ବୃକ୍ଷ । କାହିଁକି ନା ବଡ଼ ବଡ଼ କମ୍ପାନୀ, ଅନେକ ପ୍ରୋଜେକ୍ଟ ନିର୍ମାଣ ପାଇଁ ଗଛ କାଟୁଛନ୍ତି । ତେବେ ସୁସ୍ଥ ସମାଜ ଗଠନ ପାଇଁ ବୃକ୍ଷର ଆବଶ୍ୟକତା ରହିଥିବା ବେଳେ ଜଙ୍ଗଲ କ୍ଷୟରୁ ରୋକିବା ଲାଗି ନିଆରା ପ୍ରୟାସ କରିଛନ୍ତି କଟକର ଏହି ସାମାଜିକ ସଂଗଠନ ସିଲଭରସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ । ସେମାନେ ସିଡବଲ ଦ୍ବାରା ବୃକ୍ଷରୋପଣ (Plantation through Seed Balls) ଆରମ୍ଭ କରିଛନ୍ତି ।

ବୃକ୍ଷରୋପଣର ନୂତନ ଜ୍ଞାନକୌଶଳ, ସିଡବଲ୍‌ ଫିଙ୍ଗାଯାଇ ଲଗାଯାଉଛି ଗଛ

ସିଡବଲ ଏକ ସହଜ ଉପାୟ । ଏହି ପ୍ରକ୍ରିୟା ଆପଣେଇବା ଦ୍ୱାରା ନାଁ ଗଛ ପୋତିବା ପାଇଁ ମାଟି ଖୋଳିବାକୁ ପଡିବ ନାଁ ପାଣି ଦେବାକୁ ପଡିବ । ଏହି ବଲକୁ ଫିଙ୍ଗିବା ଦ୍ୱାରା ସ୍ୱତଃପ୍ରୋତ ଭାବେ ଗଛ ଉଠିବ । ଏହାଛଡା ବର୍ଷା ଦିନେ ସିଡବଲ ଗଛରେ ପରିଣତ ହେବା ପାଇଁ ବେଶି ଦିନ ସମୟ ନେଇନଥାଏ । ସେଥିପାଇଁ ବର୍ଷା ଋତୁ ସିଡବଲ ପାଇଁ ଏକ ଅନୁକୂଳ ପରିବେଶ । ତେବେ ଯେଉଁଠି ଜଙ୍ଗଲ କ୍ଷୟ ହୋଇଛି ଓ ଶିଳ୍ପ ଅଞ୍ଚଳରେ ଏହି ସିଡବଲ ବ୍ୟବହାର ହେଲେ ପରିବେଶ ଆହୁରି ସବୁଜ ସୁନ୍ଦର ହୋଇ ପାରିବ ବୋଲି କହିଛନ୍ତି ପରିବେଶବିତ ।


ପରିବେଶ ବଞ୍ଚାଇବା ପାଇଁ ଉଭୟ ସରକାରୀ ଓ ଘରୋଇ ଦିଗରେ ଜାରି ରହିଛି ପ୍ରୟାସ । ଆଧୁନିକତାର ଛାପ ଯେତେ ଅଧିକ ହେଉଛି ସେହି ଅନୁସାରେ ସମାଜରୁ ଗଛ ସଂଖ୍ୟା ଧୀରେ ଧୀରେ କମିବାର ଲାଗିଛି । ଏଣୁ ଏହି ବଡ଼ ସମସ୍ୟାର ସମାଧାନ କରିବା ପାଇଁ କଟକରେ ଏହି ସମାଜିକ ସଙ୍ଗଠନ ଏଭଳି ନିଆରା ପ୍ରୟାସ ଆରମ୍ଭ କରାଯାଇଛି । ସିଡ ବଲ ମାଧ୍ୟମରେ ଗଛ ଲଗାଇବା । ତେବେ କେବଳ ନିମ୍ବ ଓ ଓସ୍ତ ଗଛର ଚାରା ଆଣି ଏହାକୁ ମାଟିରେ ମିଶାଯାଉଛି, କାରଣ ଏହି ଗଛ ଗୁଡ଼ିକର ବଞ୍ଚିବାର ସମ୍ଭାବନା ଅଧିକ । ଏହାପରେ ମାଟିକୁ ଛୋଟ ଛୋଟ ବଲ ଆକାର କରି ଏହାପରେ ଯେଉଁଠି ଗଛ ନାହିଁ ସେହି ସ୍ଥାନରେ ଫିଙ୍ଗୁଛନ୍ତି ସଙ୍ଗଠନ ସଦସ୍ୟ ।

ବିଶେଷକରି ଜଙ୍ଗଲ ଅଞ୍ଚଳ, ନଦୀ ପଠା, ରାସ୍ତା କଡ଼ ଆଦି ସ୍ଥାନରେ ଏହି ସିଡବଲକୁ ଫିଙ୍ଗି ସମାଜକୁ ସବୁଜ ସୁନ୍ଦର କରିବା ଦିଗରେ ଜାରି ରଖିଛନ୍ତି ପ୍ରୟାସ । ଚଳିତବର୍ଷ 5 ହଜାରରୁ ଊର୍ଦ୍ଧ୍ବ ସିଡବଲ ଫିଙ୍ଗିବାକୁ ଲକ୍ଷ୍ୟ ରଖିଛି ସଙ୍ଗଠନ । ଏହାସହ ଗତ କିଛି ବର୍ଷ ମଧ୍ୟରେ 100% ମଧ୍ୟରୁ 70 ପ୍ରତିଶତ ସିଡବଲ ଗଛ ହୋଇଛି ବୋଲି କହିଛନ୍ତି ଟ୍ରଷ୍ଟର ସଦସ୍ୟ । ଗଛକଟା ଯେଉଁ ଅନୁପାତରେ ହେଉଛି ସେହି ଅନୁସାରେ ବୃକ୍ଷରୋପଣ କାର୍ଯ୍ୟ ହୋଇପାରୁନାହିଁ । ତେଣୁ ସମାଜରେ ଅମ୍ଳଜାନର ସ୍ତର ଧୀରେ ଧୀରେ କମିବାରେ ଲାଗିଛି । ବୃକ୍ଷରୋପଣ କାର୍ଯ୍ୟକୁ ସହଜ ଉପାୟରେ କରିବା ପାଇଁ ଏହି ସିଡବଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହା ପରିବେଶକୁ ସବୁଜ ସୁନ୍ଦର କରିବା ସହ ଅମ୍ଳଜାନ ସ୍ତର ମଧ୍ୟ ବୃଦ୍ଧି କରିବ ।



ଏ ନେଇ ଟ୍ରଷ୍ଟର ଜଣେ ସଦସ୍ୟ କହିଛନ୍ତି," ଆମେ ଯେତେ ବିକାଶ ପଥରେ ଆଗେଇ ଚାଲିଛୁ, ପରିବେଶର ସେତେ କ୍ଷୟ ହୋଇଚାଲିଛି । ଆପଣ ଦେଖିଥିବେ ଯେକୌଣସି ବିକାଶମୂଳକ କାର୍ଯ୍ୟ ହେଉ ସେଥିଲାଗି ପ୍ରଥମେ ଗଛ କଟା ଯାଉଛି । ମାତ୍ର ସେହି ପରିମାଣରେ ଗଛ ଲଗାଯାଇନଥାଏ । ଆମେ ପିଲାଦିନୁ ପଢି ଆସୁଛି ଗଛ ଲଗାଇବା ଆମ ପରିବେଶ ପାଇଁ ଅନୁକୂଳ । ହେଲେ ତାହା କରାଯାଉନାହିଁ । ସିଡବଲ ଗଛ ଲଗାଇବା ପାଇଁ ସହଜ ଉପାୟ ହୋଇଥିବାରୁ ଏହା ମାଧ୍ୟମରେ ବୃକ୍ଷରୋପଣ କରାଯାଉଛି ।"



ତେବେ ଏହି ସିଡବଲ ପ୍ରକ୍ରିୟା ମାଧ୍ୟମରେ ସମାଜରେ ଦିନକୁ ଦିନ ଅବକ୍ଷୟ ହେଉଥିବା ବୃକ୍ଷ ମାନଙ୍କର ସ୍ଥାନ ପୂର୍ଣ୍ଣ ହୋଇ ପାରିବ ଓ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ଆଶା ରଖିଛି ସାମଜିକ ସଙ୍ଗଠନ ସିଲଭରସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ।

@talktosubhransu
@talktosubhransu

ଏପଟେ ଖାଲି ଏହି ସଂଗଠନ ନୁହେଁ, ଢେଙ୍କାନାଳର ପୁଅ ଶୁଭ୍ରାଂଶୁ ଶତପଥି ମଧ୍ୟ ଆପଣାଇଛନ୍ତି ଏହି ପ୍ରକ୍ରିୟା । ଜଙ୍ଗଲ କ୍ଷୟ ହୋଇଥିବା ଦୁର୍ଗମ ସ୍ଥାନରେ ସେ ଡ୍ରୋନ ସାହାଯ୍ୟରେ ବୁଣୁଛନ୍ତି ସିଡବଲ୍‌ ।



ବ୍ୟୁରୋ ଇନପୁଟ ସହ କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.