ଜଗତପୁରରେ ହାତୀ ଉପଦ୍ରବ: 2ମୃତ ଓ 3 ଆହତ, ଗୋଟିଏ ହାତୀର ମୃତ୍ୟୁ

author img

By

Published : Sep 28, 2022, 8:19 AM IST

Updated : Sep 28, 2022, 1:10 PM IST

elephant attack in jagatpur one elephant death at jobra barrage cuttack

କଟକ ଜିଲ୍ଲା ଜଗତପୁରରେ ପୁଣି ବଣୁଆ ହାତୀଙ୍କ ଆତଙ୍କ । ହାତୀ ଆକ୍ରମଣରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 3 ଆହତ ହୋଇଛନ୍ତି । ଯୋବ୍ରା ବ୍ୟାରେଜ ନିକଟରେ ଏକ ହାତୀର ମୃତଦେହ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

କଟକ: ଜଗତପୁରରେ ପଶିଲେ ବଣୁଆ ହାତୀ ପଲ । କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ତାଣ୍ଡବ ରଚିଛନ୍ତି ହାତୀପଲ । ଗତ ରାତିରେ ଜଗତପୁର ନିକଟ ବସ୍ତି ଅଞ୍ଚଳକୁ ପଶି ଆସିଥିଲେ ତିନି ବଣୁଆ ହାତୀ । ହାତୀ ଆକ୍ରମଣର ଶିକାର ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 3 ଜଣ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନେକ ଘର ଓ ଗାଡ଼ି ଭାଙ୍ଗି ଦେଇଥିବା ସୂଚନା ମିଳିଛି ।

ଜଗତପୁରରେ ହାତୀ ଉପଦ୍ରବ

ଅନ୍ୟପଟେ ତିନି ହାତୀଙ୍କ ମଧ୍ୟରୁ ଗୋଟିଏ ମାଈ ହାତୀର ମୃତ୍ୟୁ ଘଟିଛି । ନଦୀ ପାର ହେଉଥିବା ବେଳେ ହାତୀର ମୃତ୍ୟୁ ହୋଇଛି । ମହାନଦୀ ବ୍ୟାରେଜ ୧୪ ନମ୍ବର ଗେଟରେ ହାତୀର ମୃତଦେହ ଲାଗି ରହିଥିଲା । ସକାଳୁ ଗେଟ ଖୋଲାଯିବାରୁ ମହାନଦୀରେ ହାତୀର ମୃତଦେହଟି ଭାସିଯାଇଛି । ହାତୀଟିକୁ କୂଳକୁ ଆଣି ବନ ବିଭାଗ ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ପଠାଇଛି। ଅନ୍ୟ ହାତୀମାନେ ସ୍ଥାନୀୟ ଅଞ୍ଚଳରେ ବିଚରଣ କରୁଛନ୍ତି। ୩ଟି ହାତୀ ମଧ୍ୟରୁ ଗୋଟିଏ ଛୁଆ ହାତୀ ରହିଛି। ଉକ୍ତ ଛୁଆ ହାତୀଟି ଜଗତପୁର ପଣ୍ଡା ସାହିରେ ଫସି ରହିଛି। ସେହିପରି ଅଣ୍ଡିରା ହାତୀଟି ଜଗତପୁର ଶିଳ୍ପା ଅଞ୍ଚଳରେ ପଶି ବ୍ୟାପକ କ୍ଷୟ କ୍ଷତି ଘଟାଉଛି। ତେବେ ହାତୀଙ୍କୁ ଘଉଡେଇବା ପାଇଁ ବନ ବିଭାଗର ପ୍ରାୟ ୧୦୦ କର୍ମଚାରୀ ସାମିଲ ହୋଇଛନ୍ତି। ତେବେ ଲୋକ ମାନଙ୍କ ଭିଡ଼ ଯୋଗୁଁ ହାତୀ ଘଉଡାଇବା ସମସ୍ୟା ସୃଷ୍ଟି କରିଛି। ଘଟଣାସ୍ଥଳରେ ବନ ବିଭାଗ ଟିମ ତଦନ୍ତ ଜାରି ରଖିଥିବାବେଳେ ହାତୀଙ୍କ ଉପରେ ନଜର ରଖିଛି । ହାତୀ ଆକ୍ରମଣ ପରେ ସତର୍କତା ଜାରି କରିଛି ବନ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ: ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା, ୨୦ରେ ପରବର୍ତ୍ତୀ ଶୁଣାଣି

ସୂଚନା ଥାଉକି, ଗତ ବର୍ଷ ଯୋବ୍ରା ବ୍ୟାରେଜରୁ ଏକ ହାତୀର ମୃତଦେହ ଠାବ ହୋଇଥିଲା । ତେବେ ଏହି ହାତୀଟି ମୁଣ୍ଡଳି ବ୍ରିଜ୍‌ ନିକଟରେ ଫସି ରହିଥିଲା । ଏହା ପୂର୍ବରୁ ମହାନଦୀରେ ଏକ ଦନ୍ତା ହାତୀ ଦୀର୍ଘ ସମୟ ଧରି ଫସି ରହିଥିଲା । ଏହି ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ୍ ଟିମ୍‌ର ଏକ ବୋଟ୍ ଓଲଟି ପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା । ଏଥିରେ ଗଣମାଧ୍ୟମର ଜଣେ ପ୍ରତିନିଧିଙ୍କ ମୃତ୍ୟୁ ହେବା ସହ ଓଡ୍ରାଫ୍ ଯବାନଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ।

ଇଟିଭି ଭାରତ, କଟକ

Last Updated :Sep 28, 2022, 1:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.