କାହିଁକି ଏ ଚରମ ନିଷ୍ପତ୍ତି ? ବାଏ ଲେଖି ଦୁନିଆରୁ ବିଦାୟ ନେଲେ ରାଇମୋହନ

author img

By

Published : Jun 24, 2022, 9:01 PM IST

ଓଲିଉଡ଼ ଖତରନାକ ଖଳନାୟକଙ୍କ ଆତ୍ମହତ୍ୟା, ପରିବାରକୁ ପଠାଇଥିଲେ ଶେଷ ମେସେଜ

ରିଲ୍‌ରେ ଥିଲେ ସେ ଖତରନାକ ଖଳନାୟକ । ଦମଦାର ସଂଳାପ ସାଙ୍ଗକୁ ଚମତ୍କାର ଅଭିନୟ ତାଙ୍କୁ ସଜାଇଥିଲା ଓଲିଉଡର ବେତାଜ୍‌ ବାଦଶାହ । ଯାତ୍ରା ମଞ୍ଚରୁ ଓଲିଉଡ୍‌ର ବଡ଼ ପରଦା ପର୍ଯ୍ୟନ୍ତ ସବୁଠି ହିଟ୍‌ ଥିଲେ ରାଇମୋହନ । ହେଲେ ଆଜି ସମସ୍ତଙ୍କୁ ଚକିତ କରି ଆତ୍ମହତ୍ୟା କରି ଆରପାରିକୁ ଚାଲିଯାଇଛନ୍ତି ଏହି ବର୍ଷିୟାନ କଳାକାର । ରାଇଙ୍କ ବିୟୋଗରେ ଇଟିଭି ଭାରତ ଜଣାଇଛି ଶ୍ରଦ୍ଧାଞ୍ଜଳି । ଦେଖନ୍ତୁ ଏହି ରିପୋର୍ଟ

ଭୁବନେଶ୍ବର: ଓଡ଼ିଆ ସିନେ ଜଗତକୁ ଲାଗିଛି ଶକ୍ତ ଝଟକା । ବୟସର ଅପରାହ୍ନରେ ସଭିଙ୍କଠୁ ବିଦାୟ ନେଇଛନ୍ତି ଓଲିଉଡ଼ର ଖତରନାକ ଖଳନାୟକ ରାଇମୋହନ ପରିଡ଼ା । ପ୍ରାଚୀ ବିହାର ସ୍ଥିତ ତାଙ୍କ ବାସଭବନରୁ ପୂର୍ବାହ୍ନ ୧୧ଟା ୪୫ ମିନିଟରେ ମିଳିଛି ଝୁଲନ୍ତା ମୃତଦେହ । ରାଇମୋହନ ୫୮ ବର୍ଷ ବୟସରେ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି । ଏହି ଘଟଣାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ତାଙ୍କ ପ୍ରଶଂସକଙ୍କଠୁ ଆରମ୍ଭ କରି ସିନେ ଜଗତ । ରାଇଙ୍କ ଏହି ଚରମ ନିଷ୍ପତ୍ତି ଆଜି ସମସ୍ତଙ୍କୁ ଶୋକର ସାଗରରେ ବୁଡାଇ ଦେଇଛି । ମନ ମାନୁନଥିଲେ ମଧ୍ୟ ଏହା ସତ ଯେ ରାଇ ସଭିଙ୍କଠୁ ବିଦାୟ ନେଇଛନ୍ତି ।

ଓଲିଉଡ଼ ଖତରନାକ ଖଳନାୟକଙ୍କ ଆତ୍ମହତ୍ୟା, ପରିବାରକୁ ପଠାଇଥିଲେ ଶେଷ ମେସେଜ

ରିଲ୍‌ରେ ଥିଲେ ସେ ଖତରନାକ ଖଳନାୟକ । ଦମଦାର ସଂଳାପ ସାଙ୍ଗକୁ ଚମତ୍କାର ଅଭିନୟ ତାଙ୍କୁ ସଜାଇଥିଲା ଓଲିଉଡର ବେତାଜ୍‌ ବାଦଶାହ । ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ନିକଟରେ ସେ ବେଶ ପରିଚିତ ଥିଲେ । ଜୀବନ୍ତ ଖଳନାୟକ ଅଭିନୟ ଯୋଗୁଁ ପିଲାମାନେ ତାଙ୍କ ଚେହେରା ଦେଖି ଭୟଭୀତ ହେଉଥିଲେ । ଯାତ୍ରା ମଞ୍ଚରୁ ଓଲିଉଡ୍‌ର ବଡ଼ ପରଦା ପର୍ଯ୍ୟନ୍ତ ସବୁଠି ହିଟ୍‌ ଥିଲେ ରାଇମୋହନ । ଓଲିଉଡ୍‌ର ଖଳନାୟକ ସାଜିଥିବା ରାଇ ରିଅଲ ଲାଇଫରେ ଖୁବ ଭଦ୍ର ଥିଲେ ।

ଖଳନାୟକ ଭୂମିକାରେ ସେ ସ୍ବତନ୍ତ୍ର ଛାପ ଛାଡିଥିଲେ ସତ, କିନ୍ତୁ ପଜିଟିଭ କ୍ୟାରେକ୍ଟରରେ ମଧ୍ୟ ସେ ଦର୍ଶକଙ୍କ ମନ ଜିଣିଥିଲେ । ତାଙ୍କ ଡାଏଲଗ ଏତେ ହିଟ୍‌ ଥିଲା ଯେ ବିଭିନ୍ନ କାର୍ଯ୍ୟକ୍ରମରେ ଦର୍ଶକ ତାଙ୍କଠୁ ବାରମ୍ବାର ଶୁଣିବାକୁ ଚାହୁଁଥିଲେ । ହେଲେ ଆଉ ଶୁଭିବନି ଏଇ ଅନାନି, ମୋ ନାଁ ନାଗିନା.. ଭଳି ଦମଦାର ଡାଏଲଗ । ଜିରୋରୁ ହିରୋ ସାଜିଥିବା ଏହି କଳାକାର ନିଜ ଭୁବନେଶ୍ବରସ୍ଥିତ ବାସଭବନରେ କରିଛନ୍ତି ଆତ୍ମହତ୍ୟା । ସୁଇସାଇଡକୁ ଘୃଣା କରୁଥିବା ବ୍ୟକ୍ତିଙ୍କ ଆତ୍ମହତ୍ୟା ଖବର ଆଜି ସମସ୍ତଙ୍କୁ ଦେଇଛି ଶକ୍ତ ଝଟକା ।

୧୯୬୩ ମସିହା କେନ୍ଦୁଝର ଜିଲ୍ଲା ଉଦୟପୁର ଗ୍ରାମରେ ଜନ୍ମ ନେଇଥିବା ରାଇଙ୍କ ୫୮ ବର୍ଷ ବୟସରେ ଲିଭିଗଲା ଜୀବନ ଦୀପ । ପିଲାବେଳୁ ଅଭିନୟକୁ ଭଲ ପାଉଥିଲେ ସେ । ସ୍କୁଲ କଲେଜ ପାଠପଢା ଶେଷ ପରେ ଭୁବନେଶ୍ବର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଭର୍ତ୍ତି ହୋଇଥିଲେ । ଏଠାରୁ ହିଁ ଆରମ୍ଭ ହୋଇଥିଲା ରାଇମୋହନ ପରିଡାଙ୍କ ଅଭିନୟ ଜୀବନ । ସେ ୯୦ଟି ଓଡ଼ିଆ ଚଳଚ୍ଚିତ୍ର, ୧୫ଟି ବଙ୍ଗଳା ଫିଲ୍ମ ସହ ୪୦ରୁ ଅଧିକ ନାଟକରେ ଅଭିନୟ କରିଥିଲେ । ୧୯୮୭ରେ 'ସାଗର' ଫିଲ୍ମରୁ ଓଲିଉଡ଼ର ପାଦ ଦେବା ପରେ ଆଉ ପଛକୁ ଚାହିଁନାହାନ୍ତି ।

ସତମିଛ, ଆସିବୁ କେବେ ତୁ ସାଜି ମୋ ରାଣୀ, ଉଦଣ୍ଡୀସୀତା, ତୁ ଥିଲେ ମୋ ଡର କାହାକୁ, ସିଂହବାହିନୀ, କୁଳନନ୍ଦନ, କଣ୍ଢେଇ ଆଖିରେ ଲୁହ ଭଳି ଚଳଚ୍ଚିତ୍ରରେ ସେ ଦେଖାଇଥିଲେ ନିଜ ଅଭିନୟର ଯାଦୁ । ଆଉ ଜିତିଥିଲେ ଅନେକ ପୁରସ୍କାର । ସାଥୀ କଳାକାରଙ୍କ ଆଖି ଓଦା ହୋଇଛି । ସିନେ ଜଗତ ଶାନ୍ତ ପଡିଛି । ସମସ୍ତେ ଆଚମ୍ବିତ । ରାଇଙ୍କ ଏଭଳି ଚରମ ନିଷ୍ପତ୍ତି ସବୁଠି ଖେଳାଇଛି ଶୋକର ଛାୟା । ମନ ମାନୁନଥିଲେ ମଧ୍ୟ ଶେଷରେ ସରିଯାଇଛି ଏହି ବର୍ଷିୟାନ କଳାକାରଙ୍କ ଜୀବନ ଯାତ୍ରା । ସମସ୍ତଙ୍କୁ ଅଲବିଦା କରି ଆରିପାରିରେ ସଭିଙ୍କ ପ୍ରିୟ ରାଇମୋହନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.