ଶିଶୁ ସୁରକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ସମନ୍ୱିତ ପ୍ରୟାସ ଆବଶ୍ୟକ

author img

By

Published : Jun 8, 2022, 10:45 PM IST

ଶିଶୁ ସୁରକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ସମନ୍ୱିତ ପ୍ରୟାସ ଆବଶ୍ୟକ

ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ଦିନିକିଆ କର୍ମଶାଳା ଅନୁଷ୍ଠିତ । ଅଧିକ ପଢନ୍ତୁ

ଭୁବନେଶ୍ବର: ଶିଶୁ ହେଉଛନ୍ତି ସମାଜର ସବୁଠାରୁ ସମ୍ବେଦନଶୀଳ ବର୍ଗ । ସେମାନଙ୍କର ଅଧିକାର ସମୂହର ସୁରକ୍ଷା ଆବଶ୍ୟକ ରହିଛି । ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଏକାନ୍ତ ଆବଶ୍ୟକ । ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ଦିନିକିଆ କର୍ମଶାଳାରେ ଅତିଥିମାନେ ମତପ୍ରକାଶ କରିଛନ୍ତି ।

ଶ୍ରମ ନିର୍ଦ୍ଦେଶକ ଡ. ଏନ୍‌. ତିରୁମାଳା ନାୟକ କହିଛନ୍ତି ଯେ, ‘‘ରାଜ୍ୟରେ ଶିଶୁ ଶ୍ରମ ଆଇନ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉଛି । ଯେଉଁଠି ଶିଶୁମାନେ ଅବହେଳିତ ବା ଶୋଷିତ ହେବାର ନଜିର ଆସୁଛି । ଶ୍ରମ ବିଭାଗ ସେମାନଙ୍କୁ ତୁରନ୍ତ ଉଦ୍ଧାର କରୁଛି । ଏହାପରେ ଏହି ଶିଶୁମାନଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଦକ୍ଷତା ବିକାଶ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ଥଇଥାନ କରାଯାଉଛି ।’’

ଓଡ଼ିଶା ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ଯେ, ‘‘ସମାଜରେ ତାଙ୍କ ପାଇଁ ଥିବା ଅଧିକାରରୁ ବଞ୍ଚିତ ଶିଶୁମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ଏଥି ପାଇଁ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅଧିକ ସଚେତନ କରିବା ଆବଶ୍ୟକ । ଏହା ଦ୍ୱାରା ବିଶେଷ କରି, ଗ୍ରାମାଞ୍ଚଳରେ ହେଉଥିବା ବାଲ୍ୟବିବାହ, ଶିଶୁ ନିର୍ଯାତନାକୁ ରୋକାଯାଇପାରିବ ।’’

ରାଜ୍ୟ ଶିଶୁ ସୁରକ୍ଷା ସମିତିର ଅତିରିକ୍ତ ନିର୍ଦ୍ଦେଶିକା ତଥା ବିଭାଗୀୟ ଅତିରିକ୍ତ ଶାସନ ସଚିବ ଗୀତାରାଣୀ ପଟ୍ଟନାୟକ ଶିଶୁ ସୁରକ୍ଷା ପାଇଁ ସବୁ ବିଭାଗ ସଂଯୋଜନ ମଡେଲ୍‌ରେ କାମ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ବିଶିଷ୍ଟ ଶିଶୁ ସୁରକ୍ଷା ବିଶେଷଜ୍ଞ ତଥା ‘ଦିବ୍ୟଦିଶା’ର ନିର୍ଦ୍ଦେଶକ ଇଶିଡ଼ୋର ଫିଲିପ୍‌ ଶିଶୁ ସୁରକ୍ଷା ଓ ବିଭିନ୍ନ ବିଭାଗର ଉତ୍ତରଦାୟିତ୍ୱ ସଂପର୍କରେ ସବିଶେଷ ଆଲୋକପାତ କରିଛନ୍ତି । ରାଜ୍ୟ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକ୍ରମ ପରିଚାଳକ ପ୍ରୀତିକାନ୍ତ ପଣ୍ଡା ଶିଶୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର, ଶୋଷଣ, ପୋଷ୍ୟସନ୍ତାନ ଗ୍ରହଣ ପାଇଁ ଥିବା ଆଇନ, ଆଶୀର୍ବାଦ ଯୋଜନା ଓ ରାଜ୍ୟ ସରକାରଙ୍କ ଦ୍ୱାରା ଶିଶୁମାନଙ୍କ ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ, ଆଇନ, ସୂଚନା ଓ ଲୋକସଂପର୍କ, ବିଦ୍ୟାଳୟ ଓ ଗଣଶିକ୍ଷା, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଗୃହ, ରାଜସ୍ୱ ଓ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଶିଶୁ ସୁରକ୍ଷା ପାଇଁ ନିଜ ନିଜ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.