ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଅଡିଓ ଭାଇରାଲ, ତଦନ୍ତ ପରିସରଭୁକ୍ତ ହେବେ କି ମନ୍ତ୍ରୀ ?

author img

By

Published : Sep 28, 2022, 8:53 PM IST

Updated : Sep 28, 2022, 9:35 PM IST

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଅଡିଓ ଭାଇରାଲ, ତଦନ୍ତ ପରିସରଭୁକ୍ତ ହେବେ କି ମନ୍ତ୍ରୀ ?

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯଦି ତାଙ୍କର ମୃତ୍ୟୁ ହୁଏ, ସେଥିପାଇଁ ସମୀର ଦାସ ଦାୟୀ ରହିବେ ବୋଲି ସେ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ କହୁଥିବା ଶୁଣିବାକୁ ମିଳିଛି । ଏହାପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ବଢ଼ୁଛି ସସ୍‌ପେନ୍ସ । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପୂର୍ବର ଭିଡିଓ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ ସାମ୍ନାକୁ ଆସିଛି ଏକ ଫୋନ କଲ ରେକର୍ଡ଼ିଂ । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପୂର୍ବର ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯଦି ତାଙ୍କର ମୃତ୍ୟୁ ହୁଏ, ସେଥିପାଇଁ ମନ୍ତ୍ରୀ ସମୀର ଦାସ ଦାୟୀ ରହିବେ ବୋଲି ସେ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ କହୁଥିବା ଶୁଣିବାକୁ ମିଳିଛି । ଏହାକୁ ନେଇ ତେଜିବାରେ ଲାଗିଛି ରାଜନୀତି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । ଏପଟେ ଭାଇରାଲ ଅଡିଓ କଲ ନେଇ ମନ୍ତ୍ରୀ ସମୀର ଦାସଙ୍କ ପ୍ରତିକ୍ରିୟା ଆସିନାହିଁ ।

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଅଡିଓ ଭାଇରାଲ, ତଦନ୍ତ ପରିସରଭୁକ୍ତ ହେବେ କି ମନ୍ତ୍ରୀ ?

ସମୀର ଦାସଙ୍କ ଘରକୁ ଅଣ୍ଡା ମାଡ଼

ଭାଇରାଲ ହେଉଥିବା ଅଡିଓରେ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପୂର୍ବରୁ ମନ୍ତ୍ରୀ ସମୀର ଦାସଙ୍କ ନାଁ ନେବା ପରେ ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ଗିରଫ ଦାବିରେ ବିରୋଧ ପ୍ରଦର୍ଶନ କରାଯାଇଛି । ଅଣ୍ଡା ଓ ଟମାଟୋ ମାଡ କରି ପ୍ରତିବାଦ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । କିଛି ସମୟ ପାଇଁ ପୋଲିସ ସହିତ ଛାତ୍ର କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ଛାତ୍ର କଂଗ୍ରେସର ନେତା ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଛାତ୍ର କଂଗ୍ରେସର ଦାବି ମନ୍ତ୍ରୀଙ୍କୁ ଗିରଫ କରାଯାଉ ଏବଂ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ । ସେପଟେ ପୁରୀ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ଦାସ କହିଛନ୍ତି, "ପୋଲିସ ଯଦି ଏହାର ତଦନ୍ତରେ କୌଣସି ଟାଳଟୁଳ ନୀତି ଅବଲମ୍ବନ କରେ, ତେବେ କଂଗ୍ରେସ ଆନ୍ଦୋଳନକୁ ବ୍ୟାପକ କରିବ ।"

ଏହା ମଧ୍ୟ ପଢ଼ନ୍ତ...ମୁଁ ମଲେ ସମୀର ଦାସ ଦାୟୀ, ଶୁଣନ୍ତୁ ଧର୍ମେନ୍ଦ୍ରଙ୍କ ଭାଇରାଲ ଅଡିଓ

'ମୁଁ ମଲେ ମନ୍ତ୍ରୀ ସମୀର ଦାସ ଦାୟୀ'

ଭାଇରାଲ ହୋଉଥିବା ଏହି ଅଡିଓରେ ସେ ମଲେ କେଉଁମାନେ ଦାୟୀ ରହିବେ ସେ କଥା କହୁଛନ୍ତି । ଧର୍ମେନ୍ଦ୍ର ନେଇଥିବା ନାଁ ଭିତରେ ରହିଛି ମନ୍ତ୍ରୀ ସମୀର ଦାସଙ୍କ ନାଁ । ସମୀର ଦାସ ଏବଂ ଅନ୍ୟ 4ଜଣ ତାଙ୍କ ମୃତ୍ୟୁ ପାଇଁ ଦାୟୀ ରହିବେ ବୋଲି ଖୋଲାଖୋଲି ଧର୍ମେନ୍ଦ୍ର କହିଛନ୍ତି । ଏହି ଖବରକୁ ଲୋକଲୋଚନକୁ ଆଣିବାକୁ ସେ ବାରମ୍ବାର କହୁଛନ୍ତି । ଏନେଇ ଆମେ ସାମ୍ବାଦିକ ଅକ୍ଷୟ ନାୟକଙ୍କ ସହିତ କଥା ହୋଇଥିଲୁ । ତାଙ୍କର କହିବା ଥିଲା ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ତାଙ୍କ ସହିତ କଥା ହୋଇ ମନ୍ତ୍ରୀଙ୍କ ନାଁ ନେଇଥିଲେ । ରାଜନୀତି କାରଣରୁ ପରିବାରରେ କେମିତି ଝଡ ଆସିଛି ସେକଥା ମଧ୍ୟ କହିଥିଲେ । ତାଙ୍କର ଯଦି ମୃତ୍ୟୁ ହୋଇଯାଏ ତେବେ କିଏ କିଏ ଦାୟୀ ରହିବେ ଗୋଟି ଗୋଟି କରି ନାଁ ନେଇଥିଲେ ।

ସମୀର ଦାସଙ୍କ ଗିରଫ ଦାବି କଲା ବିଜେପି

ଏପଟେ ଧର୍ମେନ୍ଦ୍ର ମୃତ୍ୟୁ ଘଟଣାକୁ ନେଇ ଏବେ ଜୋର ଧରିଛି ରାଜନୀତି । ବିଜେପିର ଦାବି ହେଲା ମନ୍ତ୍ରୀ ସମୀର ଦାସ ଏବଂ ଅନ୍ୟ 4 ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଉ । ଏନେଇ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, "ଭାଇରାଲ ହେଉଥିବା ଅଡିଓ ଟେପରୁ ଜଣାପଡୁଛି ଧର୍ମେନ୍ଦ୍ର ମନ୍ତ୍ରୀଙ୍କ ନାଁ ନେଇଛନ୍ତି । କେଉଁଠି ନା କେଉଁଠି ଏହି ପୁରା ଘଟଣାରେ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ରହିଛି । ଓଡ଼ିଶାବାସୀ ମଧ୍ୟ ଜାଣି ସାରିଲେଣି ଏଥିରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ରହିଛି । ତେଣୁ ତୁରନ୍ତ ମନ୍ତ୍ରୀଙ୍କୁ ଗିରଫ କରାଯାଉ ।"

ଏବେ ପ୍ରଶ୍ନ ଉଠୁଛି, ଅଡିଓ ଟେପରେ ଯେଉଁମାନଙ୍କ ନାଁ ନେଇଛନ୍ତି ଧର୍ମେନ୍ଦ୍ର, ସେମାନଙ୍କର କଣ ସମ୍ପୃକ୍ତି ରହିଛି ତାହା ତଦନ୍ତ ପରିସରଭୁକ୍ତ ହେବ ନା ନାହିଁ ? ଅଡିଓ ଟେପକୁ ପୋଲିସ ପ୍ରମାଣ ଭାବେ ଗ୍ରହଣ କରିବ କି ନାହିଁ ? ଧର୍ମେନ୍ଦ୍ରଙ୍କୁ ବ୍ଲାକମେଲ କରି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରାଯାଇ ନାହିଁ ତ ? ଏ ତମାମ ଦିଗ ଉପରେ ପୋଲିସ କିପରି ତଦନ୍ତ କରୁଛି ଏବଂ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତା ଉପରେ ଏବେ ରାଜ୍ୟବାସୀଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 28, 2022, 9:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.