ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ ପଟ୍ଟନାୟକ

author img

By

Published : Dec 7, 2021, 7:55 PM IST

Pcc President

ବାତ୍ୟା ଜୱାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ଅଧିକ ପଢନ୍ତୁ

ଭୁବନେଶ୍ବର: ବାତ୍ୟା ଜୱାଦ (Cyclone Jawad) ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ (PCC President Niranjan Patnaik) । ନିରଞ୍ଜନ ନିଜ ଚିଠିରେ ଉଲ୍ଲେଖ କରି କହିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣାରୁ ‘ବାତ୍ୟା ଜୱାଦ’ ଓଡିଶାର ସ୍ଥଳ ଭାଗ ଛୁଇଁ ନାହିଁ ସତ, କିନ୍ତୁ ଏହି ବାତ୍ୟା ଓ ଲଗାଣ ବର୍ଷା ଜନିତ କ୍ଷୟକ୍ଷତିର ପରିଣାମକୁ ଦେଖି ଯେଉଁ କେତୋଟି ପ୍ରସଙ୍ଗ ମୋତେ ଆନ୍ଦୋଳିତ କରୁଛି, ତାହାର ସମାଧାନ ପାଇଁ ମୁଁ ଆପଣଙ୍କୁ ଏ ପତ୍ର ଲେଖୁଛି । ଦୈବି ଦୁର୍ବିପାକ କାହା ହାତର କଥା ନୁହେଁ । ତେଣୁ ଏଥିପାଇଁ କାହାକୁ ଦାୟୀ କରିହେବ ନାହିଁ । କିନ୍ତୁ ଦୁର୍ବିପାକ ପରବର୍ତ୍ତୀ ପ୍ରସଙ୍ଗର ସୁପରିଚାଳନା ଦାୟିତ୍ବ ସରକାରଙ୍କର ।

ଏଥିରେ ସାମାନ୍ୟ ଅଦୂରଦର୍ଶିତା ବା ଦାୟିତ୍ବହୀନତା ରହିଲେ ତାହା ଦୁର୍ବିପାକର ଦୁଃଖଠାରୁ ଅଧିକ ହୋଇଯାଏ । ଆମ ଉପକୂଳ ଅଞ୍ଚଳରେ ଚାଷୀମାନେ ସାଧାରଣତଃ ଲମ୍ବା ଧାନ ଚାଷ କରନ୍ତି । ଏହି ଧାନ କଟା ଡିସେମ୍ବର ମାସରୁ ଆରମ୍ଭ ହୁଏ । କିନ୍ତୁ ଚଳିତବର୍ଷ ଅନାବୃଷ୍ଟି ଯୋଗୁଁ ଧାନ ଚାଷ ପ୍ରାୟ ବିଳମ୍ବ ହୋଇଥିଲା । ମରୁଡିରେ ପ୍ରାୟ ୭୦ ଭାଗ ଧାନ ଫସଲ ନଷ୍ଟ ହୋଇଯିବାପରେ ୩୦ ଭାଗ ଫସଲ ଏଇ ଡିସେମ୍ବର ଶେଷ ସପ୍ତାହରେ ଅମଳ ହୋଇଥାନ୍ତା । କିନ୍ତୁ ଜୱାଦ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଧାନ କ୍ଷେତରେ ବଳିପଡିଥିବା ଧାନ ଏବେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଯେଉଁ କେତୋଟି ପ୍ରଶ୍ନ ମୋତେ ଆନ୍ଦୋଳିତ କରୁଛି, ତାହା ଆପଣଙ୍କ ସାମ୍ନାରେ ମୁଁ ଉପସ୍ଥାପନ କରି ତାହାର ଉତ୍ତର ଆଶା କରୁଛି ବୋଲି ନିରଞ୍ଜନ କହିଛନ୍ତି । ଆପଣଙ୍କ ନେତୃତ୍ବାଧିନ ସରକାରର ଆନ୍ତରିକତା ଅଭାବରୁ ଓ ଭୁଲ କୃଷିନୀତି ଯୋଗୁଁ ଏ ପର୍ଯ୍ୟନ୍ତ ଓଡିଶାର ଭାଗଚାଷୀମାନଙ୍କୁ ଚିହ୍ନଟ କରାଯାଇ ପାରିଲା ନାହିଁ । ଯାହାଫଳରେ ଚାଷ ଜମିରେ ମାଲିକ ପରିବର୍ତ୍ତେ ପ୍ରକୃତ ଭାଗଚାଷୀ ଚାଷ କରୁଥିଲେ ମଧ୍ୟ ସେ ସମସ୍ତ ଯୋଜନାରେ ସୁଫଳ ପାଇବାରୁ ବଞ୍ଚିତ ହେଉଛି । ପ୍ରଥମତଃ ଫସଲବୀମା କଥା ବିଚାର କରାଯାଉ । ଶତକଡା ମାତ୍ର ୨ ଭାଗ ପ୍ରିମିୟମ ଦେବାକୁ ପଡୁଥିଲେ ମଧ୍ୟ ଫସଲବୀମା କରିବାକୁ ଚାଷୀ ଆଗ୍ରହ ପ୍ରକାଶ କରୁନାହିଁ କାହିଁକି? କାରଣ, ଭାଗଚାଷୀଙ୍କ ପାଇଁ ଏଥିରେ କୌଣସି ସୁବିଧା ନାହିଁ ଓ ପ୍ରକୃତ ଚାଷୀ ତା’ର କ୍ଷୟକ୍ଷତିକୁ ଦର୍ଶାଇବାରେ କରିବାରେ ଯେଉଁ ପ୍ରକାର ଜଟିଳ ନିୟମ ଅଛି, ସେଥିପାଇଁ ଚାଷୀ ଫସଲବୀମା ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ସମସ୍ତ ଚାଷୀ କିପରି ଫସଲବୀମାର ସୁଯୋଗ ସହଜରେ ପାଇପାରିବ, ସେ ଦିଗରେ ଆପଣଙ୍କ ସରକାରର କିଛି ଯୋଜନା ଅଛି କି? ଦ୍ବିତୀୟତଃ ବାରମ୍ବାର ବନ୍ୟା ବାତ୍ୟାରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବା ସେସବୁ ରିଲିଫ କୋଡରେ ଆବଶ୍ୟକ ବ୍ୟବସ୍ଥା କରାଯାଉନି ।

ଯାହାଫଳରେ ଚାଷୀମାନଙ୍କର କ୍ଷତିକୁ ଭରଣା କଲାବେଳେ ସେମାନଙ୍କୁ ଦୟା କଲାପରି ସମୁଦ୍ରକୁ ଶଙ୍ଖେ ସହାୟତା ଦିଆଯାଉଛି । ତୃତୀୟତଃ ଚାଷୀମାନଙ୍କର କ୍ଷୟକ୍ଷତିର ଆକଳନ କଲାବେଳେ ଦଳୀୟ ମନୋବୃତ୍ତିରୁ ଉର୍ଦ୍ଧ୍ବକୁ ଯିବା କଥା । କିନ୍ତୁ ଅଧିକାଂଶ କ୍ଷେତ୍ରରେ ତାହାର ବିଡମ୍ବନା ଦେଖାଯାଉଛି । ଯାହାଫଳରେ ଅନେକ କ୍ଷତିଗ୍ରସ୍ତ ଲୋକ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି । ଚତୁର୍ଥରେ କ୍ଷୟକ୍ଷତିର ଆକଳନ ଯୁଦ୍ଧକାଳୀନ ଭିତିରେ ହୋଇ କ୍ଷତିପୂରଣ ତୁରନ୍ତ ଯୋଗାଇ ଦେବା ଆବଶ୍ୟକ । କାରଣ ନଭେମ୍ବର ମାସରୁ ରବି ଋତୁ ଆରମ୍ଭ ହୋଇଗଲାଣି । ମାଟିର ବତ୍ତର ହେବା ମାତ୍ରେ ଚାଷୀ ଡାଲି ଜାତୀୟ ଫସଲ, ବାଦାମ, ପନିପରିବା ଚାଷ ପୁଣିଥରେ ଆରମ୍ଭ କରିପାରନ୍ତେ । କିନ୍ତୁ ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ସହ ମୁଗ, ବିରି, ବାଦାମର ମଞ୍ଜି ମାଗଣା ଯୋଗାଇ ଦେବା ଦରକାର । କିନ୍ତୁ ମୋର ଆଶଂକା ଦୁର୍ବିପାକ ପରବର୍ତ୍ତୀ ପ୍ରସଙ୍ଗ ପରିଚାଳନା ପାଇଁ ଆପଣଙ୍କ ସରକାରର କୌଣସି ସ୍ପଷ୍ଟ ନୀତି ନଥିବାରୁ ଏ କ୍ଷେତ୍ରରେ କ୍ଷତିଗ୍ରସ୍ତ ଚାଷୀମାନେ କେବେ ତାଙ୍କ କ୍ଷତିପୂରଣ ପାଇବେ ତାର ଠିକଣା ନାହିଁ । କାରଣ କ୍ଷୟକ୍ଷତିର ଆକଳନ ଓ କ୍ଷତିପୂରଣ ବଣ୍ଟନ ପାଇଁ କୌଣସି ସ୍ପଷ୍ଟ ନୀତି ନଥିବାରୁ ଫନି ବାତ୍ୟାର କ୍ଷତିଗ୍ରସ୍ତ ଲୋକେ ଆଜି ଯାଏ କ୍ଷତିପୂରଣ ପାଇପାରିଲେ ନାହିଁ ।

ସେହିପରି ନିରଞ୍ଜନ ଲେଖିଛନ୍ତି ଚାଷୀମାନେ ଓଡିଶା ବିକାଶର ମେରୁଦଣ୍ଡ । କରୋନା କାରଣରୁ ଦୀର୍ଘ ଦୁଇବର୍ଷ ହେଲା ସେମାନେ କ୍ଷତି ସହୁଛନ୍ତି । ତା ସାଙ୍ଗକୁ ଅନାବୃଷ୍ଟି, ଅତିବୃଷ୍ଟି ଓ ରୋଗପୋକ ସେମାନଙ୍କ ଆର୍ଥିକ ଅବସ୍ଥାକୁ ରସାତଳକୁ ନେଲାଣି । କେବଳ ଧାନ ଚାଷୀ ନୁହଁନ୍ତି, କପା, ମକା ଓ ଡାଲି ଜାତୀୟ ଫସଲ ଚାଷ କରୁଥିବା ଚାଷୀମାନେ ମଧ୍ୟ ଅନେକ କ୍ଷତି ସହିଲେଣି । ଏହି ପରିପ୍ରେକ୍ଷୀରେ ମୋର ପ୍ରସ୍ତାବ ହେଲା, କ୍ଷୟକ୍ଷତି ଆକଳନ କଲାବେଳେ ଭାଗଚାଷୀ କିପରି ଉପକୃତ ହେବେ, ତାହା ପ୍ରତି ଦୃଷ୍ଟି ଦିଅନ୍ତୁ । ଚାଷୀମାନଙ୍କୁ ଯେତେଶୀଘ୍ର ସମ୍ଭବ ସେମାନଙ୍କ କ୍ଷତିପୂରଣ ଦିଅନ୍ତୁ । ଫସଲବୀମା କମ୍ପାନୀମାନେ କିପରି ସରଳ ମାର୍ଗରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମାରାଶି ଫେରାଇବେ, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ରବିଫସଲ ପାଇଁ ଚାଷୀମାନଙ୍କୁ ମାଗଣା ବିହନ ଓ ସାର, କୀଟନାଶକ ଯୋଗାଇ ଦିଅନ୍ତୁ । ଏଥିସହ ଏ ବର୍ଷର କୃଷିଋଣକୁ ସମ୍ପୂର୍ଣ୍ଣ ଛାଡ କରାଗଲେ ଚାଷୀମାନେ ଆଶ୍ବସ୍ତି ଲାଭ କରିବେ । ଏ ଦିଗରେ ଆପଣଙ୍କର ତ୍ବରିତ ପଦକ୍ଷେପ ଆଶା କରୁଛି ବୋଲି ନିରଞ୍ଜନ ଲେଖିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.