ବିରୋଧୀଙ୍କୁ କେମିତି ମ୍ୟାନେଜ କରୁଛନ୍ତି ନବୀନ !

author img

By

Published : Jun 6, 2022, 10:32 PM IST

Updated : Jun 7, 2022, 3:36 PM IST

ବିରୋଧୀଙ୍କୁ କେମିତି ମ୍ୟାନେଜ କରୁଛନ୍ତି ନବୀନ !

ନବୀନଙ୍କ ରାଜନୀତି ସୂତ୍ର ହେଲା ବିରୋଧୀ ଶିବିରକୁ ଭାଗ ଭାଗ କର ! ଆଉ ପ୍ରଭାବଶାଳୀ ନେତାଙ୍କୁ ଦଳରେ ସାମିଲ କର । ଯାହାର ପ୍ରୟୋଗ ନବୀନ ଆଜି ପର୍ଯ୍ୟନ୍ତ ସଠିକ ଢଙ୍ଗରେ କରିଆସିଛନ୍ତି । ଆଉ ଜଣେ ନବୀନଙ୍କ ସୂତ୍ରରୁ ଶିକାର ହୋଇଥିବା ନେତା ହେଲେ ରାଜ କିଶୋର ଦାସ । ମୟୁରଭଞ୍ଜର ମୋରଡାର ବିଜେପିର ଜଣେ ଦକ୍ଷ ନେତା ଥିଲେ ରାଜକିଶୋର ଦାସ। ତାଙ୍କୁ ମଧ୍ୟ ସୁଯୋଗ ଦେଖି ନବୀନ ନିଜ ପକ୍ଷକୁ ଆଣି ସିଧା ବିଧାୟକ ଟିକେଟ ଦେଇଦେଲେ । ଆଉ ସେଠି ବିଜେଡି ଗଡ ଜଗିଥିବା ରାଜା ପ୍ରବୀଣ ଚନ୍ଦ୍ରଭଞ୍ଜଦେଓ ଅଲୋଡା ହୋଇପଡିଲେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜୁ ଜନତା ଦଳର 4 ଜଣ ରାଜ୍ୟସଭା ସାଂସଦ ପ୍ରାର୍ଥୀ । ଆଉ କେହି ପ୍ରାର୍ଥୀ ନଥିବାରୁ ନିର୍ବାଚନର ଆବଶ୍ୟକତା ପଡିନଥିଲା । ଫଳରେ ରିଟର୍ଣ୍ଣିଂ ଅଫିସର ପୂର୍ବରୁ 3 ଜଣ ଓ ଆଜି ଜଣେ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରିବା ସହ ବିଜୟୀ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ଉପନିର୍ବାଚନ ଜରିଆରେ ରାଜ୍ୟସଭା ଯାଉଥିବା ବିଜେଡିର ଚତୁର୍ଥ ପ୍ରାର୍ଥୀ ନିରଞ୍ଜନ ବିଶିଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । କାହିଁକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦ୍ୟ ଦଳରେ ସାମିଲ ହୋଇଥିବା ଜଣେ ନେତାଙ୍କୁ ସିଧା ରାଜ୍ୟସଭା ଟିକେଟ ଦେଇଦେଲେ । ଏହା ପଛରେ ରଣନୀତି ରହିଛି ନା ଆବଶ୍ୟକତା ଥିଲା? ଏହା ମଧ୍ୟ ପ୍ରଶ୍ନ ଉଠୁଛି ନିରଞ୍ଜନଙ୍କ ଜରିଆରେ ବିଜେଡି କେଉଁ ରାଜନୈତିକ ସ୍ବାର୍ଥ ସାଧନ ପାଇଁ ଅଙ୍କ କଷିଛି । ପାଟଣାଗଡର ନିରଞ୍ଜନଙ୍କୁ ସିଧା ପାର୍ଲାମେଣ୍ଟ ପଠାଇ ନବୀନ ବଲାଙ୍ଗୀର ସମେତ ପଶ୍ଚିମ ଓଡିଶା ରାଜନୀତିରେ କଣ ସନ୍ଦେସ ଦେବାକୁ ଚାହିଁଛନ୍ତି । ନା ଏହା ବିରୋଧୀଙ୍କୁ ବଶ କରିବାର ଏକ ସୁଚିନ୍ତିତ ଯୋଜନା ।

କାରଣ ନବୀନଙ୍କ ରାଜନୀତି ସୂତ୍ର ହେଲା ବିରୋଧୀ ଶିବିରକୁ ଭାଗ ଭାଗ କର ! ଆଉ ପ୍ରଭାବଶାଳୀ ନେତାଙ୍କୁ ଦଳରେ ସାମିଲ କର । ଯାହାର ପ୍ରୟୋଗ ନବୀନ ଆଜି ପର୍ଯ୍ୟନ୍ତ ସଠିକ ଢଙ୍ଗରେ କରିଆସିଛନ୍ତି । ଯେଉଁ ରାଜନେତା ମାନେ ନବୀନଙ୍କ କଟ୍ଟର ବିରୋଧୀ ତାଙ୍କୁ ନବୀନ ସୁଯୋଗ ଆଉ ସମ୍ମାନ ଦେଇ ନିଜ ପକ୍ଷକୁ ଆଣି ଦଳ ଓ ସରକାର ସମସ୍ୟାକୁ ସଫା କରିଥାନ୍ତି । ଆଉ ଯାହାର ସଦ୍ୟତମ ଉଦାହରଣ ହେଲେ ନିରଞ୍ଜନ ବିଶି । ନିରଞ୍ଜନ ପଶ୍ଚିମ ଓଡିଶା ଆଦିବାସୀ ମହାସଂଘର ସମ୍ପାଦକ । ନବୀନଙ୍କ କଟ୍ଟର ବିରୋଧୀ । ନିଜ ଆଦିବାସୀ ସମ୍ପ୍ରଦାୟର ଅଧିକାର ହକ ପାଇଁ ଅନେକ ଆନ୍ଦୋଳନ କରିବା ସହ ସରକାରଙ୍କ ବିରୋଧରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରି ଲଢେଇ କରିଛନ୍ତି । ଗତ ପଞ୍ଚାଯତ ନିର୍ବାଚନ ବେଳେ ମଧ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିଛନ୍ତି । ଯାହା ନବୀନ ସରକାର ଓ ବିଜେଡି ପାଇଁ ସମସ୍ୟା ଥିଲା । ଫଳରେ ନିରଞ୍ଜନଙ୍କୁ ନବୀନ ରାଜ୍ୟସଭା ଥୋପ ଦେଇ ନିଜ ପଟକୁ ଟାଣି ଆଦିବାସୀ ଆନ୍ଦୋଳନକୁ ପ୍ରଶମତି କରିବାକୁ ଚେଷ୍ଟା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ସେହିଭଳି ଅତିତୀରେ ନବୀନଙ୍କ ଘୋର ବିରୋଧୀ ଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକ ନିଜ ଗଣମାଧ୍ୟମ ଓ ପ୍ରଭାବ ବଳରେ ସରକାରଙ୍କୁ ଅଡୁଆରେ ପକାଇବାକୁ ସଫଳ ହେଉଥିଲେ । ଏପରିକି ଚାଷୀ ଆନ୍ଦୋଳନ ଓ ଚିଟଫଣ୍ଡ ଠକେଇ ଆନ୍ଦୋଳନର ନେତୃତ୍ବ ନେଇ ସରକାରଙ୍କ ଚିନ୍ତା ବଢାଇ ଦେଇଥିଲେ । ଫଳରେ ନିର୍ବାଚନ ଆସିବା ପୂର୍ବରୁ ତାଙ୍କୁ ଦଳ 2018 ରେ ନିଜ ସପକ୍ଷକୁ ଆଣିବାରେ ସଫଳ ହେଲା । ଆଉ ସିଧା ରାଜ୍ୟସଭା ଟିକେଟ ଦେଇଦେଲା । ପରେ 2019 ରେ ବିଧାୟକ ଭାବେ ଲଢି ରାଜ୍ୟସଭା ଛାଡିଲେ । ଆଉ ସରକାରଙ୍କ ସୌମ୍ୟ ସମସ୍ୟା ଶେଷ ହୋଇଥିଲା ।

ସେହିପରି ଜଣେ ନେତା ହେଲେ ତତ୍କାଳୀନ ବିରୋଧୀ ଦଳନେତା ଭୂପିନ୍ଦର ସିଂ । ତାଙ୍କୁ ମଧ୍ୟ ନବୀନ ବଶ କରିବାରେ ସଫଳ ହେଲେ । ନିଜ ବିରୋଧୀ ଦଳ ନେତା ସମୟରେ ଭୂପିନ୍ଦର ତଥ୍ୟଭିତ୍ତିକ ଆକ୍ରମଣ ସହ ସରକାରଙ୍କୁ ବେଶ ଅଡୁଆରେ ପକାଉଥିଲେ । ହେଲେ 2014 ନିର୍ବାଚନ ପୂର୍ବରୁ ବିରୋଧୀ ଦଳନେତା ପଦରେ ଥାଇ ବିଜେଡିରେ ସାମିଲ ହେଲେ । ଆଉ ରାଜ୍ୟସଭା ଗଲେ । ପରେ 2019 ରେ ନିଜ ନିର୍ବାଚନ ମଣ୍ଡଳୀ ନର୍ଲାରୁ ବିଧାୟକ ଅଛନ୍ତି । ଆଉ ଭୂପିନ୍ଦରଙ୍କ ନବୀନ ବିରୋଧୀ ସ୍ବର ମଧ୍ୟ ଭୁଷୁଡିଗଲା ।

ଆଉ ଜଣେ ବାମପନ୍ଥୀ ନେତା ଭାବେ ପରିଚିତି ସୁବାସ ସିଂ ମଧ୍ୟ ନିଜର ଶ୍ରମିକ ସଂଗଠନ ବଳରେ ବେଶ ପ୍ରଭାବ ରଖିଥିଲେ । ବିଭିନ୍ନ ଶ୍ରମିକ ସଂଗଠନ ଜରିଆରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିଲେ । ତାଙ୍କୁ ମଧ୍ୟ ନବୀନ ଦଳକୁ ଆଣି ପ୍ରଥମ ଦଳୀୟ ଦାୟିତ୍ବ ପରେ ରାଜ୍ୟସଭା ଟିକେଟ ଦେଇଥିଲେ । ଆଉ ଏବେ କଟକ ମେୟର ହୋଇଛନ୍ତି । ଫଳରେ ସୁବାସଙ୍କ ପଟୁ ଥିବା ସଂକଟ ମଧ୍ୟ ଶେଷ କରିଥିଲେ ନବୀନ।

ପଶ୍ଚିମ ଓଡିଶାର ଅନ୍ୟତମ ବିତ୍ତଶାଳୀ ପ୍ରଭାବଶାଳୀ ନେତା ହେଉଛନ୍ତି ନବ କିଶୋର ଦାସ । ପଶ୍ଚିମ ଓଡିଶାରେ ପ୍ରଭାବ ରଖୁଥିବା କଂଗ୍ରେସର ଏହି ଟାଣୁଆ ନେତାଙ୍କୁ ମଧ୍ୟ ନବୀନ 2017 ପଞ୍ଚାୟତ ନିର୍ବାଚନରେ ଝଟକା ଖାଇବା ପରେ ନିଜ ସପକ୍ଷକୁ ଆଣିବାକୁ ଗୋଟି ଚାଳନା କଲେ । ଆଉ ନବ ମଧ୍ୟ ନବୀନଙ୍କ ରଣନୀତିରେ ଫସିଗଲେ । 2019 ନିର୍ବାଚନ ପୂର୍ବରୁ ଶଙ୍ଖ ଫୁଙ୍କିଲେ । ନବ ଦଳ ପୁରା ପଶ୍ଚିମାଞ୍ଚଳରେ ସଂଗଠନକୁ ଆହୁରି ସୁଦୃଢ କରିବା ସହ ଗତ ପଞ୍ଚାୟତ ନିର୍ବାଚନରେ ଦଳକୁ ବିପୁଳ ସଫଳତା ଦେବାରେ ବଡ ଭୂମିକା ନେଇଥିଲେ ।

ରାଜ୍ୟ ରାଜନୀତିର ଅନ୍ୟତମ ଟାଣୁଆ ଆଦିବାସୀ ନେତା ପ୍ରଦୀପ ମାଝୀ । ତାଙ୍କର ପ୍ରଭାବ ପୁରା ଦକ୍ଷିଣ ଓଡିଶା ସମେତ ଆଦିବାସୀ ସମ୍ପ୍ରଦାୟରେ ରହିଛି । ତାଙ୍କର ଗୋଟିଏ ଆହ୍ବାନରେ ଆଦିବାସୀ ଲୋକେ ଓ ରାଜନେତା ମାନେ ରାଜରାସ୍ତାକୁ ଓହ୍ଲାଇ ଆସୁଥିଲେ। ଆଉ ନବୀନ ପଟ୍ଟନାୟକଙ୍କୁ କଡା ବିରୋଧ ସହ ବିଜେଡି ପାଇଁ ବଡ ଆହ୍ବାନ ପାଲଟିଥିଲେ ପ୍ରଦୀପ। ତାଙ୍କୁ ମଧ୍ୟ ସମୟକ୍ରମେ ନବୀନ ନିଜ ପକ୍ଷକୁ ଆଣିବାରେ ସଫଳ ହୋଇଛନ୍ତି । ଏହାସହ ନିକଟ ଭବିଷ୍ୟତରେ ତାଙ୍କୁ ମଧ୍ୟ କୌଣସି ଗୁରୁତ୍ବପୂର୍ଣ୍ଣ ପଦ ପଦବୀ ଦେବାର ସମ୍ଭାବନା ରହିଛି । ଆଉ ବିଜେଡି ପ୍ରତି ପ୍ରଦୀପଙ୍କ ପଟୁ ଥିବା ପ୍ରତିଆକ୍ରମଣ ଆଶଙ୍କାରେ ମଧ୍ୟ ପୂର୍ଣ୍ଣଛେଦ ପଡିଛି ।

ଖାଲି ଏତିକି ନୁହେଁ ଦକ୍ଷିଣ ଓଡିଶାର ଆଉ ଜଣେ ଅନୁଭବୀ ରାଜନେତା ହେଉଛନ୍ତି ଚନ୍ଦ୍ର ଶେଖର ସାହୁ । କଂଗ୍ରେସ ଟିକେଟରେ ଲୋକସଭା ଯାଇଥିବା ଏହି ରାଜନେତାଙ୍କୁ ମଧ୍ୟ 2019 ପୂର୍ବରୁ ଦଳକୁ ଆଣିବାକୁ ନବୀନଙ୍କ ବିଗ୍ରେଡିୟର ପ୍ରୟାସ କରିଥିଲେ । ଆଉ ଚନ୍ଦ୍ର ଶେଖର ସାହୁ ମଧ୍ୟ ନିଜ ସୈନ୍ୟ ସାମନ୍ତ ନେଇ ବିଜେଡିରେ ମିଶିଲେ । ଆଉ ଏବେ ବ୍ରହ୍ମପୁର ଲୋକସଭା ଆସନରୁ ସାଂସଦ ଥିବାବେଳେ ତାଙ୍କର ସହଯୋଗୀ ବିକ୍ରମ ପଣ୍ଡା ଏବେ ବ୍ରହ୍ମପୁରରୁ ବିଧାୟକ ଅଛନ୍ତି ।

ଆଉ ଜଣେ ନବୀନଙ୍କ ସୂତ୍ରରୁ ଶିକାର ହୋଇଥିବା ନେତା ହେଲେ ରାଜ କିଶୋର ଦାସ । ମୟୁରଭଞ୍ଜର ମୋରଡାର ବିଜେପିର ଜଣେ ଦକ୍ଷ ନେତା ଥିଲେ ରାଜକିଶୋର । ତାଙ୍କୁ ମଧ୍ୟ ସୁଯୋଗ ଦେଖି ନବୀନ ନିଜ ପକ୍ଷକୁ ଆଣି ସିଧା ବିଧାୟକ ଟିକେଟ ଦେଇଦେଲେ । ଆଉ ସେଠି ବିଜେଡି ଗଡ ଜଗିଥିବା ରାଜା ପ୍ରବୀଣ ଚନ୍ଦ୍ରଭଞ୍ଜଦେଓ ଅଲୋଡା ହୋଇପଡିଲେ । ଆଉ ଶେଷରେ ପ୍ରବୀଣ ମଧ୍ୟ ଦଳ ଛାଡିଲେ ।

ଆଉ ଜଣେ ବିଜେପିର ଯୁବ ଉଚ୍ଚଶିକ୍ଷିତ ନେତା ତୁଷାରକାନ୍ତି ବେହେରା ଥିଲେ । ତାଙ୍କୁ ଦଳ ମଧ୍ୟ ଟିକେଟ ଦେଇଥିଲା । ଆଉ ସେ ରାତାରାତି ଟିକେଟ ଫେରାଇ ବିଜେଡିରେ ସାମିଲ ହେଲେ । ଆଉ ଟିକେଟ ନେଇ ନିର୍ବାଚନ ଲଢିଲେ ମନ୍ତ୍ରୀ ହେଲେ ।

ମୁଖ୍ୟମନ୍ତ୍ରୀଙ୍କ ରାଜନୀତି ସୂତ୍ର ଆଧାରରେ ବିରୋଧୀଙ୍କୁ ଦୂର୍ବଳ କର । ଦକ୍ଷ ନେତାଙ୍କୁ ନିଜ ପକ୍ଷରେ ସାମିଲ କରି କିଛି ପଦପଦବୀ ଦିଅ । ଆବଶ୍ୟକତା ସରିଗଲେ ପୁଣି ଥରେ ଦୁର୍ବଳ କରିଦିଅ । ଯାହାର ଉଦାହରଣ ହେଉଛନ୍ତି ବିଜେଡିର ପ୍ରତିଷ୍ଠାତା ସଦସ୍ୟ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ଦାମୋଦର ରାଉତ ବୈଜୟନ୍ତ ପଣ୍ଡା ପ୍ରମୁଖ । ନବୀନ ନିଜ ଦଳର ଯେକୌଣସି ନେତାଙ୍କ ପକ୍ଷରୁ କୌଣସି ବିପଦ ଆସିବାର ସଂକେତ ଆସିଲେ ତାଙ୍କୁ ଦଳରୁ ସିଧା ବାହାର ରାସ୍ତା ଦେଖାଇଛନ୍ତି। ଆଉ ନିଜେ ହୋଇଛନ୍ତି ଅପରାଜୟେ ନେତା ।

ନବୀନଙ୍କ ସୂତ୍ରର ଶିକାର ଖାଲି ରାଜନେତା ହୋଇ ନାହାଁନ୍ତି ଅନେକ ପ୍ରଶାସକ ମଧ୍ୟ ହୋଇଛନ୍ତି । ପୂର୍ବତନ ପ୍ରଶାସକ ଦେବାଶିଷ ନାୟକ, ବିଜୟ ପଟ୍ଟନାୟକ, ପ୍ୟାରୀ ମହାପାତ୍ରଙ୍କ ଭଳି ପ୍ରଶାସକଙ୍କୁ ମଧ୍ୟ ନିୟନ୍ତ୍ରଣ ରେ ରଖି କାମ କରିଛନ୍ତି । ଆଉ ତାଙ୍କରି ମାଧ୍ୟମରେ ଅନେକ ସମସ୍ୟା ସଂକଟ ସମାଧାନ କରି ସମୟକ୍ରମେ ତାଙ୍କୁ ବାହାର କରିଛନ୍ତି। ନିଜ 25 ବର୍ଷର ଲମ୍ବା ରାଜନୀତି ଜୀବନରେ ନବୀନ ବେଶ ଅନୁଭବୀ, ଚତୁର ପ୍ରବୀଣ ହେବା ସହ ବିରୋଧୀଙ୍କ ସହ ସିଧା ସଳଖ ମୁକାବିଲା ପରିବର୍ତ୍ତେ ନିଜ ସୂତ୍ର ପ୍ରୟୋଗ କରି ବିରୋଧୀଙ୍କୁ ମୁକାବିଲା କରିବାରେ ସଫଳ ହୋଇଛନ୍ତି ।

Last Updated :Jun 7, 2022, 3:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.