Millet snacks During Officials Meeting: ଏଣିକି ସରକାରୀ ବୈଠକରେ ମିଳିବ ମାଣ୍ଡିଆ ସ୍ନାକ୍ସ

author img

By

Published : Sep 21, 2022, 10:36 PM IST

Etv Bharat

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଆୟୋଜିତ ବୈଠକ ଏବଂ ସମ୍ମିଳନୀରେ ମାଣ୍ଡିଆରୁ ପ୍ରସ୍ତୁତ ସ୍ନାକ୍ସ ପରିବେଷଣ କର । ଏ ଦିଗରେ ବିଚାର କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଆୟୋଜିତ ବୈଠକ ଏବଂ ସମ୍ମିଳନୀରେ ମାଣ୍ଡିଆରୁ ପ୍ରସ୍ତୁତ ସ୍ନାକ୍ସ ପରିବେଷଣ କର । ଏ ଦିଗରେ ବିଚାର କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଚିଠି ଲେଖିଛନ୍ତି (Millet snacks to be served during officials meeting ) । ଏନେଇ ସେ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଏବଂ ସଚିବଙ୍କୁ ଚିଠି ଲେଖିଛନ୍ତି ।

ପୁଷ୍ଟିରେ ଭରପୂର ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟ, ମିକ୍ସଚର, ଖୁରୁମା, ନିମିକି, ସେଉ, ପିଠା, ଛତୁଆ ଆଦି ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ଗ୍ରାହକ ମହଲରେ ଏହା ବହୁଳ ଭାବରେ ଆଦୃତ ହେଉଛି । ଓଡ଼ିଶା ମିଲେଟ ମିଶନ ଦ୍ୱାରା ପ୍ରଶିକ୍ଷିତ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବିଭିନ୍ନ ବିଭାଗକୁ ମାଣ୍ଡିଆ ପ୍ରସ୍ତୁତ ସ୍ନାକ୍ସ ଯୋଗାଣ ଏକ ବଡ଼ ଆର୍ଥିକ ସୁଯୋଗ ସୃଷ୍ଟି କରିବ ବୋଲି ପ୍ରମୁଖ ଶାସନ ସଚିବ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହା ଲଘୁଶସ୍ୟର ଉପକାରିତା ସଂପର୍କରେ ଜନସଚେତନତା ସୃଷ୍ଟି କରିବା ସହିତ ମାଣ୍ଡିଆରୁ ସ୍ନାକ୍ସ ପ୍ରସ୍ତୁତିରେ ଅନେକକୁ ଜୀବିକା ଯୋଗାଇଦେବ ବୋଲି ପ୍ରମୁଖ ଶାସନ ସଚିବ ପତ୍ରରେ ଜଣାଇଛନ୍ତି । ଏଥି ସହିତ ପ୍ରମୁଖ ଶାସନ ସଚିବ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରାଜ୍ୟ ସରକାରଙ୍କ ଫ୍ଲାଗସିପ ଯୋଜନା ଓଡ଼ିଶା ମିଲେଟ ମିଶନକୁ ରାଜ୍ୟର ୧୯ଟି ଜିଲ୍ଲାରେ କାର୍ଯ୍ୟକାରୀ କରୁଛି ।

ମାଣ୍ଡିଆ ଏବଂ ଲଘୁଶସ୍ୟ ଅତ୍ୟନ୍ତ ପୁଷ୍ଟିକର ଏବଂ ଏହା ଜଳବାୟୁ ସହନଶୀଳ । ବର୍ଷାପୁଷ୍ଟ ଅଞ୍ଚଳର ସମ୍ବେଦନଶୀଳ କୃଷକମାନଙ୍କ ଜୀବିକାର ଉନ୍ନତି ନିମନ୍ତେ ଓଡ଼ିଶା ମିଲେଟ ମିଶନ ମାଣ୍ଡିଆକୁ ଚାଷରେ ଏବଂ ଜନସାଧାରଣଙ୍କ ଖାଦ୍ୟଥାଳିରେ ପୁନଃପ୍ରଚଳନ କରିବାକୁ ଲକ୍ଷ୍ୟ ରଖିଛି । ମିଲେଟ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ମିଲେଟ ମିଶନ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସର୍ବୋତ୍ତମ ମଡ଼େଲ୍‌ ମଧ୍ୟରୁ ଗୋଟିଏ । ଏନେଇ ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି । ଭାରତ ସରକାର ମିଲେଟର ପ୍ରୋତ୍ସାହନ ପାଇଁ ଓଡ଼ିଶା ମଡେଲକୁ ଆପଣେଇବା ପାଇଁ ଅନ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଜାତିଂସଘ ଦ୍ୱାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଛି ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମିଲେଟ ବର୍ଷକୁ ସକ୍ରିୟ ଭାବରେ ପାଳନ କରିବା ସହିତ ମିଲେଟ ବ୍ୟବହାରର ପୁନଃମୂଲ୍ୟାୟନ ଦିଗରେ ପଦକ୍ଷେପ ନିଆଯାଇଛି । ଓଡ଼ିଶା ମିଲେଟ ମିଶନ ପକ୍ଷରୁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ମିଶନ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ମୂଲ୍ୟଯୁକ୍ତ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମିଲେଟ ଶକ୍ତି ଆଉଟ ଲେଟ ଖୋଲାଯାଉଛି । ମା’ଶକ୍ତିମୟୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କୃଷିଭବନ ପରିସରରେ ମିଲେଟ ଶକ୍ତି ଆଉଟ ଲେଟ ପରିଚାଳିତ ହେଉଛି । ଏହି ଆଉଟ ଲେଟକୁ ସଂପ୍ରତି ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚରାଲ ରିସର୍ଚ୍ଚ ଏବଂ ଭାରତ ସରକାରଙ୍କ ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମିଲେଟକୁ ମୂଲ୍ୟଯୁକ୍ତ କରିବା ଦିଗରେ ସର୍ବୋତ୍ତମ ଉପକ୍ରମ ବୋଲି ସ୍ୱୀକୃତି ମିଳିଛି । ଏଥି ସହିତ କୃଷିଭବନରେ ଆୟୋଜିତ ସମସ୍ତ ବୈଠକରେ ମିଲେଟରୁ ପ୍ରସ୍ତୁତ ସ୍ନାକ୍ସ ପରିବେଷଣ ଆରମ୍ଭ ହୋଇସାରିଛି ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.