ସକ୍ରିୟ ହେଉଛି ଲଘୁଚାପ, ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା

author img

By

Published : Aug 5, 2022, 11:05 PM IST

heavy rainfall alert due to low pressure in odisha

ରାଜ୍ୟରେ ବଢି଼ିବ ବର୍ଷା । ସପ୍ତାହକ ମଧ୍ୟରେ ୨ଟି ଲଘୁଚାପ ଉପକୂଳ ମୁହାଁ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ରାଜ୍ୟରେ ବଢ଼ିବ ବର୍ଷାର ପ୍ରକୋପ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ପାଶ୍ବବର୍ତ୍ତୀ ଆନ୍ଧ୍ର ଉପକୂଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୭ରୁ ପୁଣି ରାଜ୍ୟରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ସକ୍ରିୟ ହେଉଛି ଲଘୁଚାପ

କିଛି ଦିନର ବ୍ୟବଧାନ ପରେ ବଦଳୁଛି ପାଣିପାଗ । ସପ୍ତାହକ ମଧ୍ୟରେ ଉପକୂଳ ମୁହାଁ ହେବ ୨ଟି ଲଘୁଚାପ । ଏହା ପ୍ରଭାବରେ ଆସନ୍ତା ୭, ୮, ୯ ତିନିଦିନ ଧରି ପ୍ରବଳ ବର୍ଷା ହେବାର ଆଶଙ୍କା କରି ପାଣିପାଗ ବିଭାଗ ସତର୍କ ଜାରି କରିଛି । ୯ତାରିଖ ଯାଏ ୩୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ବର୍ତ୍ତମାନ ମୌସୁମୀ ନିମ୍ନ ଚାପ ରେଖା ଓଡିଶା ନିକଟବର୍ତ୍ତୀ ଅଞ୍ଚଳ ଦୀଘା ଦେଇ ଗତି କରୁଛି । ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଫଳରେ ଆସନ୍ତା ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା ଓ ଭଦ୍ରକରେ ପ୍ରବଳ ବର୍ଷା ହେବ। ୭ ତାରିଖରେ ଉତ୍ତର ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ତେଣୁ ରାଜ୍ୟରେ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ୭ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି ଓ ପୁରୀରେ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ସେହିପରି ନୂଆପଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ତେବେ ୮ ଓ ୯ ତାରିଖ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ୯ ତାରିଖରେ ସାରା ରାଜ୍ୟରେ ଭାରି ବର୍ଷା ନେଇ ଆକଳନ ହୋଇଛି । ବିଶେଷ କରି ଦକ୍ଷିଣ ଉପକୂଳରେ ଅତି ପ୍ରବଳ ବର୍ଷା ହେବ । ମାଲକାନଗିରିରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିବା ନେଇ ମଧ୍ୟ ଆଶଙ୍କା କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଉପକୂଳ ଜିଲ୍ଲାରେ ଅନ୍ୟ ଜିଲ୍ଲା ତୁଳନାରେ କମ ବର୍ଷା ହେବ । କ୍ରମେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଯାହାର ପ୍ରଭାବରେ ୧୭ ତାରିଖ ପର୍ଯ୍ୟନ୍ତ ଭଲ ବର୍ଷା ହେବ। ଲଘୁଚାପ ଆସିଲେ ମୌସୁମୀ ସକ୍ରିୟ ହୁଏ । ଏଣୁ ଅଗଷ୍ଟ ମାସରେ ଭଲ ବର୍ଷା ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ଓ ମହାନଦୀ ଅବବାହିକାରେ ବର୍ଷା ଅଧିକ ରହିବା ନେଇ ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ସମୁଦ୍ର ଭିତରେ ଓ ଉପକୂଳରେ ପବନର ବେଗ ୪୫ ରୁ ୫୫ କିମି ଘଣ୍ଟା ପ୍ରତି ରହିବ । ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ୭ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.