ଆସୁଛନ୍ତି ମା', ପୁରୁଣା ଷ୍ଟେସନ ବଜାରରେ ଆକର୍ଷଣ ସାଜିବ ବନାରସ ଗଙ୍ଗା ଘାଟ ତୋରଣ

author img

By

Published : Sep 22, 2022, 7:55 PM IST

ଆସୁଛନ୍ତି ମା', ପୁରୁଣା ଷ୍ଟେସନ ବଜାରରେ ଆକର୍ଷଣ ସାଜିବ ବନାରସ ଗଙ୍ଗା ଘାଟ ତୋରଣ

ଧରାବତରଣ କରିବେ ଜଗତ ଜନନୀ, ସଜେଇ ହେଲାଣି ରାଜଧାନୀର ପୂଜା ମଣ୍ଡପ । ଚଳିତ ବର୍ଷ ପୁରୁଣା ଷ୍ଟେସନ ବଜାରର ଆକର୍ଷଣ ସାଜିବ ବନାରସ ଗଙ୍ଗା ଘାଟ ତୋରଣ । ଏହାର ଉଚ୍ଚତା ୪୦ ଫୁଟ ରହିଥିବା ବେଳେ ଚଉଡା ୧୨୦ ଫୁଟ ରହିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସୁଛନ୍ତି ମା'... ଦିନ କେଇଟା ପରେ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଜଗତଜନନନୀ ମା' ଦୁର୍ଗା । ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ଧୂମ ଧାମରେ ରାଜ୍ୟବାସୀ ପାଳିବେ ଦୂର୍ଗା ପୂଜା । ଏନେଇ ବେଶ ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱର । ରାଜଧାନୀରେ ତୋରଣକୁ ଅଧିକ ଆକର୍ଷଣୀୟ କରାଯାଉଥିବା ବେଳେ ଚଳିତ ବର୍ଷ ଦଶହରା ପୂଜାରେ ଚମକିବ ପୁରୁଣା ଷ୍ଟେସନ ବଜାର(Old Station Bazar ) ର ସାର୍ବଜନୀନ ଦୁର୍ଗାପୂଜା ସମିତିର ମେଢ଼ । ଚଳିତ ବର୍ଷ ଏଠାରେ ବନାରସ ଗଙ୍ଗା ଘାଟର ଅବିକଳ ତୋରଣ(Banaras Ganga Ghat Gate) କରାଯାଉଛି । ତୋରଣର ଉଚ୍ଚତା ୪୦ ଫୁଟ ରହିଥିବା ବେଳେ ଚଉଡା ୧୨୦ ଫୁଟ ରହିଛି । ଏଥି ସହ ମଣ୍ଡପ ଭିତରେ ବିଭିନ୍ନ ଦେବଦେବୀଙ୍କ ପ୍ରତିମୂର୍ତ୍ତି ଶୋଭାପାଇବ ।

ଆସୁଛନ୍ତି ମା', ପୁରୁଣା ଷ୍ଟେସନ ବଜାରରେ ଆକର୍ଷଣ ସାଜିବ ବନାରସ ଗଙ୍ଗା ଘାଟ ତୋରଣ

ଚଳିତ ବର୍ଷ କଟକଣା ମୁକ୍ତ ଦୁର୍ଗାପୂଜା ହେଉଥିବାରୁ ଭକ୍ତଙ୍କ ଭିଡ ହେବା ସମ୍ଭାବନା ରହିଛି । ତେଣୁ ବିଭିନ୍ନ ପୂଜା ଆୟୋଜନ କମିଟି ମଧ୍ୟରେ ପ୍ରତିଯୋଗୀତାମୂଳକ ମନୋଭାବ ପରିଲକ୍ଷିତ ହୋଇଛି । ସୁନା ଓ ଚାନ୍ଦି ଗହଣାରେ ବିଶେଷ ଆକର୍ଷଣ ସାଜିଥାଏ ଏଠାକାର ମୂର୍ତ୍ତି । ତେଣୁ ଷ୍ଟେସନ ବଜାରରେ ନିଆରା ତୋରଣ ସାଙ୍ଗକୁ ମା'ଙ୍କ ମୂର୍ତ୍ତି ୨ କ୍ୱିଣ୍ଟାଲ ୭ ଶହ ଗ୍ରାମ ଓଜନର ଚାନ୍ଦି ଓ ୭ ଶହ ଗ୍ରାମ ଓଜନର ସୁନା ମୁକୁଟ ଲାଗି ହେବ । ଚଳିତ ବର୍ଷ ୪୦ ଲକ୍ଷ ଟଙ୍କାର ବଜେଟ କରାଯାଇଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ ଓ ଶୃଙ୍ଖଳିତ ପୂଜା ଆୟୋଜନ ପାଇଁ ୫୦ଟି ସିସିଟିଭି ଓ ୨ ସହ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ ।

''ସବୁ ବର୍ଷା ପରି ପିଲାଙ୍କ ମନୋରଞ୍ଜନ ପାଇଁ ବିକ୍ରମ ବେତାଳ ଧାରାବାହିକ ଗଳ୍ପର ଲାଇଭ କନସେପ୍ଟର ଆୟୋଜନ କରାଯାଇଛି । ୫ ଦିନ ଧରି ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ରାଜଧାନୀର ଏହି ପୂଜା ଦୀର୍ଘ ୬୭ ବର୍ଷ ପୁରୁଣା । ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରାତିରେ ୧୦ ଟା ପରିବର୍ତ୍ତେ ୧୨ ଟା ପର୍ଯ୍ୟନ୍ତ ଅନୁମତି ମିଳିଥିବାରୁ ବିଏମସି ଓ କମିଶନରେଟ ପୋଲିସକୁ ସମିତି ପକ୍ଷରୁ ଧନ୍ୟବାଦ ଦିଆଯାଇଛି । ଖାଲି ସେତିକି ନୁହେଁ ଏଥର ବାହାରର ଭକ୍ତଙ୍କ ପାଇଁ ଷ୍ଟେସନ ବଜାର ମଣ୍ଡପରେ ରହିବ, ଖାଇବା ଓ ପୂଜାକୁ ଉପଭୋଗ କରିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ସାର୍ବଜନୀନ ଦୁର୍ଗାପୂଜା ସମିତି ଉପସଭାପତି ଅମରେଶ ଜେନା ।''

ଆଉ ମାତ୍ର ହାତ ଗଣତି କେତୋଟି ଦିନ ପରେ ଦୁର୍ଗାପୂଜା ରହିଥିବା ବେଳେ ପୂଜା ମଣ୍ଡପ ଓ ତୋରଣ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି କାରିଗର । ମା'ଙ୍କ ଆଗମନକୁ ନେଇ ମୂର୍ତ୍ତି ନିର୍ମାଣରେ ନିମଗ୍ନ ରହିଛନ୍ତି କାରିଗର । ମା ଜଗତଜନନୀଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ପାଇଁ ଦିନରାତି ଏକା କରିଦେଇଛନ୍ତି । ଯଦିଓ ମୂର୍ତ୍ତି ତିଆରିର ସାମଗ୍ରି ମାହାଙ୍ଗା ହେଲାଣି ତଥାପି ମା'ଙ୍କ ପ୍ରତିମା ତିଆରିରେ ଚଳିତ ବର୍ଷ ଭଲ ବ୍ୟବସାୟ ହେବା ନେଇ ଆଶା ରଖିଛନ୍ତି କାରିଗର । ସେପଟେ ଧୂମଧାମ ପୂଜା ପାଳନ ବେଳେ ବିଏମସି ପାଇଁ ଚ୍ୟାଲେଞ୍ଜିଂ ସାଜିବ ରାସ୍ତା ସମସ୍ୟା । କାରଣ ପୁରୁଣା ଭୁବନେଶ୍ବର ରାସ୍ତା ଅବସ୍ଥା ନ କହିବା ଭଲ । ରାଜଧାନୀର ଓଲ୍ଡ ଟାଉନ ବା ପୁରୁଣା ଭୁବନେଶ୍ୱରର ରାସ୍ତା ଅବସ୍ଥା ଏବେ ସଙ୍ଗୀନ ହୋଇପଡିଛି । କଟକଣା ମୁକ୍ତ ପୂଜାକୁ ନେଇ ସହରରେ ପୂଜା ମଣ୍ଡପରେ ଗହଳିକୁ ନଜରରେ ରଖି ପୂଜା ପୂର୍ବରୁ ବିଏମସି ସମସ୍ତ ରାସ୍ତା କାମ ସାରିବାକୁ କହିଛି । ସେପଟେ ରାସ୍ତା କାମକୁ ପୂଜା ପୂର୍ବରୁ ସାରିବାକୁ କାର୍ଯ୍ୟରେ ନିଯୁକ୍ତ ଠିକାଦାରଙ୍କୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.