Cyclone ‘Gulab’ LIVE Updates: ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

author img

By

Published : Sep 26, 2021, 4:19 PM IST

Updated : Sep 26, 2021, 6:42 PM IST

Cyclone ‘Gulab’ LIVE Updates

18:18 September 26

ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ  । ପ୍ରାୟ ତିନି ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ ପ୍ରକ୍ରିୟା  । ଗୋପାଳପୁର-କଳିଙ୍ଗପଟନମ୍ ମଝିରେ କରୁଛି ଲ୍ୟାଣ୍ଡଫଲ୍  । ଏନେଇ କେନ୍ଦ୍ର ପାଣିପାଗ ବିଭାଗ ପକ୍ଷରୁ ସୂଚନା  । 

ଲ୍ୟାଣ୍ଡଫଲ ପ୍ରକ୍ରିୟା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି  । ସମୁଦାୟ ୩ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା  । ଆନ୍ଧ୍ରପ୍ରଦେଶ କଳିଙ୍ଗପାଟନମଠାରୁ ୨୫ କିଲୋମିଟର ଦୂରରେ ଉପକୂଳ ଅତିକ୍ରମ କରିବ ବାତ୍ୟା ଗୁଲାବ  ।

18:09 September 26

ମାଡିଆସୁଛି ବାତ୍ୟା ଗୁଲାବ, ଗୋପାଳପୁରରେ ଅଶାନ୍ତ ସମୁଦ୍ର

ମାଡିଆସୁଛି ବାତ୍ୟା ଗୁଲାବ, ଗୋପାଳପୁରରେ ଅଶାନ୍ତ ସମୁଦ୍ର

ବ୍ରହ୍ମପୁର: ମାଡିଆସୁଛି ବାତ୍ୟା ଗୁଲାବ  । ଏହାପ୍ରଭାବରେ ଗୋପାଳପୁରରେ ଅଶାନ୍ତ ରହିଛି ସମୁଦ୍ର  । ପବନର ବେଗ ମଧ୍ୟ ଧିରେ ଧିରେ ବଢୁଥିବା ଦେଖଇବାକୁ ମିଳିିଛି

18:04 September 26

ଗୁଲାବ ମୁକାବିଲା ପାଇଁ ସଜାଗ କଳାହାଣ୍ଡି ଜିଲ୍ଲା ପ୍ରଶାସନ

କଳାହାଣ୍ଡି: ବାତ୍ୟା ମୁକାବିଲାନେଇ ଜିଲ୍ଲାପାଳ ଗାଭାଳି ପରାଗ ହର୍ଷଦଙ୍କ ଅଧକ୍ଷତାରେ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ ଏହି ଯୋଗ ଦେଇଥିଲେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ କଳାହାଣ୍ଡି ଜିଲ୍ଲାକୁ ୟେଲ୍ଲୋ ଓ୍ବାର୍ନିଂ ଜାରି କରାଯାଇଥିବା ବେଳେ ଜିଲ୍ଲାର ୧୩ଟି ବ୍ଲକର ବିଡିଓ ଏବଂ ତହସିଲଦାରମାନଙ୍କୁ ସତର୍କ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ପ୍ରାଥମିକତା ଭିତ୍ତିରେ ଆବଶ୍ୟକୀୟ ସତର୍କତା ମୂଳକ ପଦକ୍ଷେପ ନେବାକୁ କୁହାଯାଇଛି  ।


ବିଭିନ୍ନ ବ୍ଲକଗୁଡିକରେ ବାତ୍ୟା ନେଇ ସତର୍କ ରହିବା ପାଇଁ ଲୋକଙ୍କୁ ମାଇକ ଯୋଗେ ପରାମର୍ଶ ଦିଆଯାଉଛି । ବର୍ତ୍ତମାନ ଯାଏଁ ଜିଲ୍ଲାରେ ବାତ୍ୟାର ପ୍ରଭାବ ଅନୁଭୂତ ହୋଇନାହିଁ ।  ଅଗ୍ନିଶମ ବିଭାଗ ପକ୍ଷରୁ ଜିଲ୍ଲାର ୧୩ ଗୋଟି ବ୍ଲକରେ ଟିମ ଆଲର୍ଟ ରହିଥିବା ବେଳେ ଜିଲ୍ଲାରୁ ୫ ଗୋଟି ଟିମକୁ ଗଜପତି ଜିଲ୍ଲାକୁ ପଠାଯାଇଥିବା ସୂଚନା ମିଳିଛି।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

18:01 September 26

ବାତ୍ୟା ମୁକାବିଲା ପାଇ ସୋରଡା ପ୍ରଶାସନ ପ୍ରସ୍ତୁତି

ବାତ୍ୟା ମୁକାବିଲା ପାଇ ସୋରଡା ପ୍ରଶାସନ ପ୍ରସ୍ତୁତି

ଗଞ୍ଜାମ: ଆଉ କିଛି ସମୟ ପରେ ଲ୍ୟାଣ୍ଡ୍‌ଫଲ କରିବ ବାତ୍ୟା ଗୁଲାବ  । ଏନେଇ ସୋରଡା ବିଡ଼ିଓ ,ତହସିଲଦାର ,ସୋରଡା ଥାନା ଅଧିକାରୀ ,ବଡଗଡ ଥାନା ଅଧିକାରୀ ପଞ୍ଚାଯତ କର୍ମଚାରୀଙ୍କ ସହ ଏକ ବୈଠକ କରାଯାଇ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି । ସୋରଡାରେ ଏକ NDRF ଟିମ ଆସି ପହଞ୍ଚି ନଦୀ କୂଳିଆ ଲୋକଙ୍କୁ ସଚେତନ କରାଇଛନ୍ତି । 

ସୋରଡା ବ୍ଲକର ବିଭିନ୍ନ ତଳିଆ ଗାଁରେ 920 ଜଣ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥଆନାନ୍ତରିତ କରାଯାଇଛି । ସୋରଡା ଜଳଭଣ୍ଡାରରେ ପାଣି କମ ଅଛି ଏବଂ ଉପର ମୁଣ୍ଡରୁ ପାଣିକୁ ନଦୀରେ ଛଡ଼ାଯାଇଛି ତେଣୁ ଜଳଭଣ୍ଡାରର ବିପଦ କିଛି ନାହିଁ l ଆଜି ଦିନ ତମାମ ଝିପଝିପ ବର୍ଷା ଲାଗିରହିଛି l ଅଙ୍ଗନବାଡି ଦିଦିମାନେ ଘରକୁଘର ବୁଲି ସଚେତନ କରୁଥିବାବେଳେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି l 

ଗଞ୍ଜାମ ଜିଲ୍ଲାକୁ ପ୍ରତେକ ବର୍ଷ ବନ୍ୟା ବାତ୍ୟା ଲାଗିରହିଛି । ବହୁ ଧନ ଜୀବନ ଏଥିରେ ହାନି ହେଉଛି । ସୋରଡା ବ୍ଲକର ବହୁ ଛୋଟ ଓ ବଡ ନଦୀ ଋଷିକୁଲ୍ୟାରେ ମିଶିଥିବାବେଳେ କନ୍ଧମାଳ ଓ ଗଜପତି ଜିଲ୍ଲା ନଦୀ ଗୁଡିକ ମଧ୍ୟ ସଂଯୋଗ ହୋଇଛି l ଅତ୍ୟଧିକ ବର୍ଷା ହେଲେ ବନ୍ୟା ହୋଇ ନଦୀ କୂଳିଆ ଲୋକଙ୍କ କ୍ଷୟ କ୍ଷତି ହୋଇଥାଏ । ସୋରଡା ଋଷିକୁଲ୍ୟା ନଦୀ ତଟରେ 50 ଖଣ୍ଡ ଗ୍ରାମ ଥିବାରୁ ବହୁ ବିପଦ ହୋଇଥାଏ । 

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

17:01 September 26

ଗୋପାଳପୁରଠାରୁ ୯୫ କିମି ଦୂରରେ 'ଗୁଲାବ', ସଂଧ୍ୟା ୬ରେ ଆରମ୍ଭ ହେବ ଲ୍ୟାଣ୍ଡ୍‌ଫଲ୍‌ ପ୍ରକ୍ରିୟା

ଭୁବନେଶ୍ବର: ଗୋପାଳପୁରର ନିକଟତର ହେଉଛି ବାତ୍ୟା ଗୁଲାବ । ପାଣିପାଗ ବିଭାଗର ତାଜା ସୂଚନା ଅନୁଯାୟୀ, ଏବେ ଗୁଲାବ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ଓ ପୂର୍ବ ଦିଗରୁ ୯୫ କିଲୋମିଟର ଦୂରରେ ରହିଛି । ସନ୍ଧ୍ୟା ସମୟରେ ଆରମ୍ଭ ହେବ ‘ବାତ୍ୟା ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ସେହିପରି କଳିଙ୍ଗପାଟନମର ପୂର୍ବ ଓ ଉତ୍ତର ପୂର୍ବ ଦିଗକୁ ୮୫ କିଲୋମିଟର ଦୂରରେ ରହିଛି ଗୁଲାବ  ।

ବାତ୍ୟା ଗୁଲାବ କଳିଙ୍ଗପାଟନମ୍ ଏବଂ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି  । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତାଜା ବୁଲେଟିନ ଅନୁଯାୟୀ, ସନ୍ଧ୍ୟା ସମୟରେ ଆରମ୍ଭ ହେବ ‘ବାତ୍ୟା ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଲ୍ୟାଣ୍ଡଫଲ ପ୍ରଭାବରେ ପବନର ବେଗ ୭୫ରୁ ୮୫ କିଲୋମିଟର ରହିବ । ସମୟ ସମୟରେ ୯୫ କିଲୋମିଟର ବେଗରେ ଝଟକା ଅନୁଭୂତ ହେବ । ଏହାର ପ୍ରଭାବ ଗଜପତି ଓ ଗଞ୍ଜାମ ଉପରେ ପବନର ବେଗ ଅଧିକ ରହିବ ।

ଗୋପାଳପୁର ବନ୍ଦର ପାଇଁ ବିପଦ ସଂକେତ 7 , ପୁରୀ ପାଇଁ ବିପଦ ସଂକେତ 6 ଓ ପାରାଦ୍ୱୀପ ଏବଂ ଧାମରା ବନ୍ଦର ଗୁଡିକ ପାଇଁ ବିପଦ ସଂକେଟ 3 ଜାରି କରାଯାଇଛି। ମାତ୍ର ମଧ୍ୟରାତ୍ର ସୁଦ୍ଧା ଶେଷ ହେବ ଲ୍ୟାଣ୍ଡ୍‌ଫଲ ପ୍ରକ୍ରିୟା । 

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

17:00 September 26

ବାତ୍ୟା ଗୁଲାବର ମୁକାବିଲା ପାଇଁ ପ୍ରସ୍ତୁତ ଚିଲିକା ନୌସେନା

ଖୋର୍ଦ୍ଧା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଗୁଲାବ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ଏହି ବାତ୍ୟା ପାଇଁ ଭାରତୀୟ ନୌସେନା ଏହାର ଗତିବିଧି ଉପରେ ନଜର ରଖିଛି । ଆଇଏନଏସ ଚିଲିକା କମୋଡ଼ର ଏନ. ପି ପ୍ରଦୀପ ମିଳିତ ଭାବେ ବାତ୍ୟା ‘ଗୁଲାବ’ର ପ୍ରଭାବକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ଏବଂ ଆବଶ୍ୟକ ଅନୁଯାୟୀ ସହାୟତା ପ୍ରଦାନ ପାଇଁ ରାଜ୍ୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

16:56 September 26

ଆସୁଛି ଗୁଲାବ, ରାମେୟାପାଟଣାରେ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ

ବ୍ରହ୍ମପୁର ଜିଲ୍ଲାପାଳଙ୍କ ଗୁଲାବ ସମୀକ୍ଷା
ବ୍ରହ୍ମପୁର ଜିଲ୍ଲାପାଳଙ୍କ ଗୁଲାବ ସମୀକ୍ଷା

ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲାର ରାମେୟାପାଟଣା ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଉପଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସମେତ ଜିଲ୍ଲାପ୍ରଶାସନ ଓ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ସମୁଦ୍ର ଉପକୂଳବର୍ତ୍ତୀ ରହିଥିବା ରାମେୟାପାଟଣାରେ ପହଞ୍ଚି ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏପରିକି ସେଠାରେ ଉପସ୍ଥିତ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସମେତ ଅଞ୍ଚଳ ବାସିନ୍ଦାଙ୍କ ସହିତ ସମ୍ଭାବ୍ୟ ବାତ୍ୟା ମୁକାବିଲା ଉପରେ ଆଲୋଚନା କରି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ଜିଲ୍ଲାପାଳ । 

ଆବଶ୍ୟକ ସ୍ଥଳେ ସ୍ଥାନୀୟ ଅଞ୍ଚଳରେ ରହିଥିବା ବାତ୍ୟା ଆଶ୍ରୟସ୍ଥଳକୁ ଚାଲିଯିବା ପାଇଁ କୁହାଯାଇଛି । ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସତର୍କ ସୂଚନା ମଧ୍ୟ ଦିଆଯାଇଛି । ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ସମୟରେ ସ୍ଥାନୀୟ ଲୋକେ ଗାର୍ଡ ୱାଲ ନିର୍ମାଣ ବିଷୟକୁ ଦୃଷ୍ଟି ଆକର୍ଷଣ କରିଥିଲେ ।
 

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

16:49 September 26

ରାୟଗଡାରେ ଗୁଲାବର ପ୍ରଭାବ ଆରମ୍ଭ

ରାୟଗଡାରେ ଗୁଲାବ ପ୍ରଭାବ

ରାୟଗଡା: ଲଘୁଚାପ ପରେ ଅବପାତ ରୂପ ନେଇଥିବା ବାତ୍ୟା 'ଗୁଲାବ'ର ପ୍ରଭାବ ଧିରେଧିରେ ରାୟଗଡାରେ ଜିଲ୍ଲାରେ ଦେଖିବାକୁ ମିଳିଲାଣି । ଯଦିଓ ପବନ ନାହିଁ ତଥାପି ବର୍ଷା ଆରମ୍ଭ ହୋଇଯାଇଛି । ଏହି ସମ୍ଭାବ୍ୟ ବାତ୍ୟା ଫଳରେ ରାୟଗଡା ଜିଲ୍ଲାରେ ପାହାଡ଼ ଧସିବା ସହ ମାଟି ଅତଡା ଖସିବା ଆଶଙ୍କl କରି ଏହାର ମୁକାବିଲା କରିବା ପାଇଁ 6ଟି ୟୁନିଟ ଓଡ୍ରାଫ ଟିମ ସାଙ୍ଗକୁ 2ଟି ୟୁନିଟ NDRF ଟିମ ଜିଲ୍ଲାରେ ପହଞ୍ଚିଛନ୍ତି । 

ସକାଳୁ ଜିଲ୍ଲାର 11ଟି ବ୍ଲକର ବିଡିଓ ଓ ତହସିଲଦାର ନାଗାବଳୀ ଏବଂ ବଂଶଧାରା ନଦୀର ତଳି ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରୁଛନ୍ତି । ଜିଲ୍ଲାପାଳଙ୍କ ସୂଚନା ମୁତାବକ ଜିଲ୍ଲାର ୧୦୧ଟି ଗାଁକୁ ଅତି ସଂବେଦନ ଭାବେ ଚିହ୍ନଟ କରାଯାଇଛି । ପରିସ୍ଥିତିକୁ ଦେଖି ଧିରେଧିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବା ଜିଲ୍ଲାପାଳ କହିଛନ୍ତି । ପାଣିପାଗ ବିଭାଗର ସୂତ୍ର ଆଧାରରେ ରାୟଗଡା ଜିଲ୍ଲାରେ ପ୍ରବଳ ବେଗରେ ପବନ ବହିବା ସହ ୨୦୦ରୁ ୩୦୦ ମିଲିମିଟର ବର୍ଷା ହେବାର ଅନୁମାନ ରହିଛି  l 

ସମ୍ଭାବ୍ୟ ବାତ୍ୟାର ମୁକlବିଲା ପାଇଁ ରାୟଗଡାରେ ୪ଟି NDRF ଟିମ ଏବଂ ୬ଟି ଓଡ୍ରାଫ୍ଟ ଟିମ ପହଞ୍ଚିଛନ୍ତି । ୪ଟି NDRF ଟିମ ଓ ୩ଟି ODRF ଟିମକୁ ଗୁଣପୁର ଠାରେ ମୁତୟନ କରାଯାଇଥିବା ବେଳେ ବାକି ୩ଟି ODRF ଟିମ ଜିଲ୍ଲା ସଦର ମହକୁମାରେ ମୁତୟନ ହୋଇଛନ୍ତି । ଜିଲ୍ଲାରେ ବାତ୍ୟାର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ ହେଇଛି । ରାୟଗଡା ବ୍ଲକର କେରେଡା ପଞ୍ଚାୟତର ନାଗାବଳୀ ନଦୀ କୁଳିଆ ଗାଁଗୁଡ଼ିକରେ ବସବାସ କରୁଥିବା ବୟସ୍କ ଲୋକଙ୍କୁ ନିକଟସ୍ଥ ସ୍କୁଲ ଓ ବନ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି । 

ବାତ୍ୟାର ମୁକାବିଲା କରିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ରାୟଗଡା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜରୁରୀ ବୈଠକ ସହ ଡାକିଜନ୍ତ୍ର ସାହାଯ୍ୟରେ ସମସ୍ତଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦେଶ ଦେଇଛନ୍ତି ରାୟଗଡା ଜିଲ୍ଲାପାଳ l ସେପଟେ ଜିଲ୍ଲାରୁ ବ୍ଲକ ପର୍ଯ୍ୟନ୍ତ କଣ୍ଟ୍ରୋଲରୁମ ଖୋଲାଯlଇ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

15:50 September 26

ଗୋପାଳପୁରରୁ ୧୨୫ କି.ମି ଦୂରରେ 'ଗୁଲାବ', ଶ୍ରୀକାକୁଲମରେ ହେବ ଲ୍ୟାଣ୍ଡ୍‌ ଫଲ୍

ଭୁବନେଶ୍ବର: ବର୍ତ୍ତମାନ ବାତ୍ୟା ଗୁଲାବ ଗୋପାଳପୁର ଠାରୁ ପୂର୍ବ ଓ ଦକ୍ଷିଣ ପୂର୍ବକୁ ୧୨୫ କିମି ଦୂରରେ ରହିଥିବାବେଳେ କଳିଙ୍ଗପାଟନମର ପୂର୍ବ ଉତ୍ତର ପୂର୍ବକୁ 180 କିମି ଦୂରରେ ରହିଛି । ଘଣ୍ଟାପ୍ରତି 16 କିମି ବେଗରେ ଗତି କରୁଛି ଗୁଲାବ । ଏହା ପଶ୍ଚିମ ଦିଗକୁ ଯାଇ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ କାଲିଙ୍ଗାପାଟନମ୍ ଏବଂ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବାର ଆଶଙ୍କା ରହିଛି । 

ବାତ୍ୟା ଗୁଲାବ ସ୍ଥଳ ଭାଗ ଅତିକ୍ରମ ସମୟରେ ପବନର ବେଗ ୭୫-୮୫ କିଲୋମିଟର ଏବଂ ଝଟକା ପବନର ବେଗ ୯୫ କିଲୋମିଟର ରହିବ । ରବିବାର(ଆଜି) ସନ୍ଧ୍ୟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ । ଗଞ୍ଜାମ, ଗଜପତିରେ ଦେଖିବାକୁ ମିଳିବ ବାତ୍ୟାର ଅଧିକ ପ୍ରଭାବ । ସୋମବାର ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି  । ଗୋପାଳପୁର ବନ୍ଦର ପାଇଁ ବିପଦ ସଙ୍କେତ ୭, ପୁରୀ ପାଇଁ ବିପଦ ସଂକେତ ୬ ଓ ଅନ୍ୟ ବନ୍ଦର ଗୁଡିକ ପାଇଁ ବିପଦ ସଙ୍କେତ ୩ ଜାରି କରାଯାଇଛି । 

28ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି । ଯାହାକି ଲଘୁଚାପର ରୂପ ନେଵ ଏହାରି ପ୍ରଭାବରେ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ମଧ୍ୟ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ପ୍ରଭାବରେ ୨୬ ଓ ୨୭ ଦୁଇ ଦିନ ବର୍ଷା ରହିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

15:48 September 26

ବାତ୍ୟା 'ଗୁଲାବ'ର ମୁକାବିଲା ପାଇଁ ପ୍ରସ୍ତୁତ ନୌସେନା

ଭୁବନେଶ୍ବର: 'ଗୁଲାବ' ଆସନ୍ତା କିଛି ଘଣ୍ଟା ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ସ୍ଥଳଭାଗ ଅତ୍ରିକମ କରିବ । ଭାରତୀୟ ନୌସେନା ଘୂର୍ଣ୍ଣିଝଡର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି । ପୂର୍ବାଞ୍ଚଳ ନାଭାଲ କମାଣ୍ଡ ଏବଂ ଓଡିଶା ଉପକୂଳ ଦାୟିତ୍ୱରେ ଥିବା ନୌସେନା ଅଧିକାରୀ ଘୂର୍ଣ୍ଣିଝଡର ପ୍ରଭାବକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି କାର୍ଯ୍ୟ କରିଆସୁଛନ୍ତି । ଆବଶ୍ୟକ ଅନୁଯାୟୀ ସହାୟତା ପ୍ରଦାନ ପାଇଁ ରାଜ୍ୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ।

ପ୍ରସ୍ତୁତିର ଏକ ଅଂଶ ଭାବରେ ବନ୍ୟା ରିଲିଫ୍ ଦଳ ଏବଂ ବୁଡାଳି ଦଳ ତୁରନ୍ତ ସହାୟତା ଯୋଗାଇବାକୁ ଓଡିଶା ଏବଂ ବିଶାଖାପଟନମରେ ପ୍ରସ୍ତୁତ ହୋଇ ଅଛନ୍ତି । ନୌସେନାର ଦୁଇଟି ଜାହାଜ ମାନବିକ ସହାୟତା ଏବଂ ବିପର୍ଯ୍ୟୟ ପ୍ରଶମନ (ଏଚ୍‍ଏଡିଆର) ସାମଗ୍ରୀ ଏବଂ ଡାକ୍ତରୀ ଦଳ ସହିତ ଅଧିକ ପ୍ରଭାବିତ ଅଞ୍ଚଳରେ ସହାୟତା କରିବାକୁ ସମୁଦ୍ରରେ ରହିଛନ୍ତି । ପ୍ରଭାବିତ ଅଞ୍ଚଳରେ ଆକାଶ ମାର୍ଗରୁ ସର୍ଭେ, ଆହତଙ୍କୁ ଉଦ୍ଧାର ଏବଂ ରିଲିଫ୍ ସାମଗ୍ରୀ ଯୋଗାଣ ପାଇଁ ନାଭାଲ୍ ଏୟାର ଷ୍ଟେସନ୍‌, ବିଶାଖାପାଟନମରେ ଆଇଏନ୍‍ଏସ୍‍ ଡେଗା ଏବଂ ଚେନ୍ନାଇ ନିକଟ ଆଇଏନ୍‍ଏସ୍‍ ରାଜଲିରେ ନୌସେନାର ବିମାନ ପ୍ରସ୍ତୁତ ହୋଇ ରହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

15:41 September 26

ଜିରୋ କାଜୁଆଲିଟି ଉପରେ ବ୍ରହ୍ମପୁର ଜିଲ୍ଲାପାଳଙ୍କ ଗୁରୁତ୍ବାରୋପ, NDRF ଓ ODRAF ଟିମ୍ ମୁତୟନ

ବ୍ରହ୍ମପୁରରେ ଗୁଲାବର ସ୍ଥିତି

ବ୍ରହ୍ମପୁର: ବାତ୍ୟା ଗୁଲାବ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଆଜି ଦିନ ତମାମ ବର୍ଷା ହେବ । ସନ୍ଧ୍ୟା ସମୟଠାରୁ ଅଧିକରୁ ଅଧିକ ବର୍ଷା ସହ ପବନର ବେଗ ବୃଦ୍ଧି ହୋଇ ରାତିରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରବିବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭିଡିଓ କନଫରେନ୍ସ ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ପୋଲିସ୍ ବିଭାଗ, ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍କୁ‌ ସତର୍କ ରହିବା ସହ ପୂର୍ବ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 

ଗଞ୍ଜାମ ଜିଲ୍ଲାରେ ସମୁଦାୟ ୬୧୮୭୫ରୁ ଊର୍ଦ୍ଧ୍ବ ଲୋକଙ୍କୁ ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର କରି ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଉଚ୍ଚ ସ୍ଥାନରେ ଥିବା ବିଦ୍ୟାଳୟଗୁଡିକରେ ଲୋକଙ୍କୁ ରହିବା ଏବଂ ରନ୍ଧା ଖାଦ୍ୟ ଯୋଗାଇବା ନେଇ କୁହାଯାଇଛି । ଜିଲ୍ଲାରେ ୩୩୩ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ ଚିକିତ୍ସାଳୟ କିମ୍ବା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ନଦୀ ଅଞ୍ଚଳ, ତଳିଆ ଓ ଖାଲୁଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ଦିଗରେ ତତ୍ପରତା ଦେଖାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । 

ବିପଦପୂର୍ଣ୍ଣ ଅଞ୍ଚଳର ୧୦ରୁ ୧୨ ଜଣ ଗାଁ ଲୋକଙ୍କର ଟେଲିଫୋନ ନମ୍ବର ରଖିବାକୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ସେମାନଙ୍କ ସହିତ ଯୋଗାଯୋଗ କରି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖାଯାଇପାରିବ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆସିଥିବା ଏନଡିଆରଏଫ ଓ ଓଡ୍ରାଫଟିମକୁ ପାତ୍ରପୁର, ସୋରଡା, ଆସିକା, ପୁରୁଷୋତ୍ତମପୁର, ଶେରଗଡ, ଗଞ୍ଜାମ, ଗୋପାଳପୁର ପ୍ରଭୃତି ଅନ୍ୟାନ୍ୟ ଅଞ୍ଚଳରେ ମୁତୟନ କରି ସେମାନଙ୍କୁ ପୂର୍ବ ପ୍ରସ୍ତୁତି କରି ରଖିବାକୁ କୁହାଯାଇଛି । ଲାଇଭ ଜ୍ୟାକେଟ ଯଥେଷ୍ଟ ପରିମାଣରେ ନଥିବା ଯୋଗୁଁ ବହୁ ପରିମାଣରେ ଟ୍ୟୁବ୍ ମହଜୁଦ୍ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 ମହଜୁଦ୍ ରହିଥିବା ବୋର୍ଟ ଗୁଡିକର ଯାଞ୍ଚ କରି ପୂର୍ବ ପ୍ରସ୍ତୁତି କରି ରଖିବା ପାଇଁ ଜଣାଇ ଦିଆଯାଇଛି । ବିଦ୍ୟୁତ୍ ସରବରାହ ବ୍ୟାଘାତ ହୋଇପାରେ । ଏଣୁ ସମସ୍ତ ପେଟ୍ରୋଲ ପମ୍ପ ଗୁଡିକରେ ପୂର୍ବ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି  । ଏହାଦ୍ବାରା ଜରୁରୀକାଳୀନ ସ୍ଥିତିରେ ତାହାର ଉପଯୋଗ ହୋଇପାରିବ । ଖାଲୁଆ ବା ତଳିଆ ଅଞ୍ଚଳରେ ଜଳମଗ୍ନ ହେବାର ସମ୍ଭାବନା ରହିଥିବାରୁ ସେହି ସ୍ଥାନକୁ ଯିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି । ଏହାସହିତ ଯାତାୟତ ବିଚ୍ଛିନ୍ନ ହୋଇଯିବା ସମ୍ଭାବନା ଥିବା ସ୍ଥାନ ଅଞ୍ଚଳରେ ଲୋକଙ୍କ ଯାତାୟତ ରୋକିବା ପାଇଁ କୁହାଯାଇଛି । ସେହି ବିପଦପୂର୍ଣ୍ଣ ଅଞ୍ଚଳକୁ ଲୋକଙ୍କୁ ନ ଛାଡିବାକୁ ପୋଲିସ୍ ବିଭାଗକୁ ଜିଲ୍ଲାପାଳ ଜଣାଇଛନ୍ତି । 

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

15:38 September 26

ସାମ୍ଭାବ୍ୟ ବାତ୍ୟା ପାଇଁ ବ୍ରହ୍ମପୁରରେ ଅଗ୍ନିଶମ ବିଭାଗର ତତ୍ପରତା

ବ୍ରହ୍ମପୁର: ସାମ୍ଭାବ୍ୟ ବାତ୍ୟା ଗୁଲାବକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ଦେଖିବାକୁ ମିଳିଛି ତତ୍ପରତା । ଏହି ଅବସରରେ ପୂର୍ବ ପ୍ରସ୍ତୁତି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୋପାଳପୁରଠାରୁ ବ୍ରହ୍ମପୁର ସହରକୁ ରହିଥିବା ମୁଖ୍ୟ ରାସ୍ତା କଡରେ ରହିଥିବା ବଡବଡ ଗଛ ମଧ୍ୟରୁ ଯେଉଁଗୁଡିକ ଭାଙ୍ଗିଯିବାର ଆଶଙ୍କା ରହିଛି ତାହାକୁ ବିଭାଗ ପକ୍ଷରୁ ସର୍ତକତା ଦୃଷ୍ଟିରୁ କାଟି ଦିଆଯାଉଛି । ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଏବଂ ସ୍ବେଚ୍ଛାସେବୀଙ୍କ ସହାୟତାରେ ଏହି ଗଛ କଟା କାର୍ଯ୍ୟ ଜାରି ରହିଥିବାବେଳେ ଅଗ୍ନିଶମ ବିଭାଗର ଅଧିକାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ରିପୋର୍ଟର ସମୀର ଆଚାର୍ଯ୍ୟ..

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

15:30 September 26

ବାତ୍ୟା ଗୁଲାବ: କୋରାପୁଟରେ ୨ଟି NDRF ଟିମ ମୁତୟନ

କୋରାପୁଟରେ ଗୁଲାବ ମୁକାବିଲା ପ୍ରସ୍ତୁତି

କୋରାପୁଟ: ବାତ୍ୟା ଗୁଲାବର ମୁକାବିଲା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି  । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅବଦଲ ଅକ୍ତର  । କୋରାପୁଟରେ ୨ଟି NDRF ଟିମ ପହଞ୍ଚିଥିବାବେଳେ ଗୋଟିଏ ଟିମକୁ ଲକ୍ଷ୍ମୀପୁରରେ ଓ ଅନ୍ୟଟିକୁ ପଟାଙ୍ଗିରେ ମୁତୟନ କରାଯାଇଛି । ସେହିଭଳି ୩ଟି ଓଡ୍ରାଫ ଟିମ ମଧ୍ୟରୁ ଗୋଟାଏ ଟିମକୁ ନାରାୟଣପାଟାଣାରେ ମୁତୟନ କରାଯାଇଥିବାବେଳେ ଅନ୍ୟ ୨ଟିକୁ ଜିଲ୍ଲା ମୁଖ୍ୟାଳୟରେ ରିଜର୍ଭ ରଖାଯାଇଛି । 

ଓଡିଶାର ଗୋପାଳପୁର ଓ ଆନ୍ଧ୍ରର କଳିଙ୍ଗପଟନମ ମଧ୍ୟରେ ବାତ୍ୟା ସ୍ଥଳଭାଗକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଆନ୍ଧ୍ର ସୀମାନ୍ତବର୍ତି ଅଞ୍ଚଳ ନାରାୟଣପାଟଣା ବନ୍ଧୁଗାଁ, ଲକ୍ଷ୍ମୀପୁର ଓ ପଟାଙ୍ଗି ବ୍ଲକ ପ୍ରତି ଜିଲ୍ଲା ପ୍ରଶାସନ ଅଧିକା ଗୁରୁତ୍ବ ଦେଇଛି । ଏହି ବ୍ଲକଗୁଡିକର ତହସିଲଦାର, ବିଡିଓ, ଥାନା , ସ୍ବାସ୍ଥ୍ୟ ବିଭାଗ, ଅଙ୍ଗନୱ୍ବାଡି, ଯୋଗାଣ ବିଭାଗକୁ ଅଧିକ ସଜାଗ ରଖିଛି । ଜିଲ୍ଲାର ପାହାଡିଆ ଅଞ୍ଚଳର ଦଶମନ୍ତପୁର ବ୍ଲକରେ ଭୁସ୍ଖଳନ ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନକୁ ଆଲର୍ଟ ରଖାଯାଇଛି । 

କୋରାପୁଟ ଜିଲାରେ 14 ବ୍ଲକ ଓ 4ଟି ପୌରାଞ୍ଚଳରୁ 957 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବାବେଳେ 165 ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ଜାଗାରେ ରଖାଯାଇଛି । ଏଥି ସହିତ 115ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି । ସେହିଭଳି ଜିଲ୍ଲାର ତଳ ଅଞ୍ଚଳରେ ଥିବା କୋଟପାଡ ଓ ବୋରିଗୁମା ବ୍ଲକକୁ ଆଲର୍ଟରେ ସଜାଗ ରଖାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

15:23 September 26

ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ପୁରୀ ଜିଲ୍ଲା ପ୍ରଶାସନ

ପୁରୀରେ ଗୁଲାବ ପ୍ରସ୍ତୁତି

ପୁରୀ: ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଅନୁଯାୟୀ ଜିଲ୍ଲାର କୃଷ୍ଣ ପ୍ରସାଦ ବ୍ଳକ ଓ ବ୍ରହ୍ମଗିରି ବ୍ଳକକୁ ବିଶେଷ ଭାବେ ଆଲର୍ଟ କରାଯାଇଛି । ରବିବାର(ଆଜି) ମଧ୍ୟ ରାତ୍ରିରେ ବାତ୍ୟା ଗୁଲାବ ଲ୍ୟାଣ୍ଡଫଲ ହେବାର ଆଶଙ୍କା ଥିବାବେଳେ ଏହି ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ପବନର ବେଗ ଯଦି ଅଧିକ ରୁହେ, ତାହେଲେ ଗଛ ଭାଙ୍ଗିବାର ଆଶଙ୍କା ଥିବା କୁହାଯାଉଛି  । 

ବାତ୍ୟା ପରବର୍ତୀ କ୍ଷୟକ୍ଷତି ପରିସ୍ଥିତିକୁ ସୁଧାରିବା ପାଇଁ ବ୍ଳକର ବିଡିଓ , ତହସିଲଦାର ଓ ଥାନା ଅଧିକାରୀଙ୍କୁ ଆଲର୍ଟ କରାଯାଇଛି । ବିଦ୍ୟୁତ ବ୍ୟବସ୍ଥା , ପାନୀୟ ଜଳ , ଯୋଗାଯୋଗ ବ୍ୟବସ୍ଥା ସଂଗେ ସଂଗେ ପୁନରୁଦ୍ଧାର ନେଇ ସମସ୍ତ ବ୍ୟବସ୍ଥା ହୋଇଛି। ସେହିପରି ପରିସ୍ଥିତି ଉପରେ ନଜର ରଖାଯାଇଛି । ଏସଆରସି ପକ୍ଷରୁ ନିର୍ଦ୍ଦେଶ ଆସିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ରନ୍ଧା ଖାଦ୍ୟ , ଶୁଖିଲା ଖାଦ୍ୟ ଯୋଗାଇ ଦେବା ନେଇ ବ୍ୟବସ୍ଥା କରାଯାଇଛି । ସେହିପରି ସମୁଦ୍ର ଭିତରକୁ ମତ୍ସ ଯିବି ଙ୍କୁ ଯିବା ପାଇଁ କଟକଣା ଲଗାଯାଇଛି। ପୁରୀ ବେଳାଭୂମିରେ କୌଣସି ପର୍ଯ୍ୟଟକଙ୍କୁ ରହିବା ପାଇଁ ପ୍ରଶାସନ ବାରଣ କରିଛି ।


ଶନିବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ଭର୍ଚ୍ୟୁଆଲ ମାଧ୍ୟମରେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇ ରହିଛି । ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ, ପଶୁ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ହୋଇ ରହିଛି । ଆବଶ୍ୟକ ସ୍ଥଳେ ନିରବଚ୍ଛିନ୍ନ ଯୋଗାଯୋଗ ନିମନ୍ତେ ଅଗ୍ନିଶମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଜରୁରୀକାଳୀନ ସେବା ଯେପରି ଅବ୍ୟାହତ ରହିବ ସଜାଗ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । 

ପ୍ରତି ବ୍ଲକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବ ଓ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳ, କଚ୍ଚାଘରୁ ଲୋକ ମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତରିତ କରିବା ନିମନ୍ତେ ପ୍ରସ୍ତୁତ ରହିବା ଏବଂ କ୍ଷୟକ୍ଷତି ରିପୋର୍ଟ ସଠିକ ଭାବେ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି । ଜିଲ୍ଲାରେ ଘଣ୍ଟାପ୍ରତି ୫୫ ରୁ ୬୦ କି.ମି. ବେଗରେ ପବନ ବହିବା ଆଶଙ୍କା ଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ଦିଆଯାଇଛି ପରାମର୍ଶ  ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

14:50 September 26

ମାଡି ଆସୁଛି ବାତ୍ୟା ଗୁଲାବ

ଗୁଲାବ ବାତ୍ୟା ନେଇ ପାଣିପାଗ ବିଭାଗ ସୂଚନା

ଭୁବନେଶ୍ବର: ଘୁଘୁ ଗର୍ଜନ କରି ଉପକୂଳ ଆଡ଼କୁ ମାଡି ଆସୁଛି ବାତ୍ୟା ‘ଗୁଲାବ’ । ରାତି ୯ ଟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ତେବେ ଏହି ପ୍ରକ୍ରିୟା ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ପବନର ବେଗ ୭୦ ରୁ ୮୦ କିମି ରହିବା ବେଳେ ସର୍ବାଧିକ ୯୦ କିମି ପର୍ଯ୍ୟନ୍ତ ରହିବ । ବାତ୍ୟା ପ୍ରଭାବରେ ପବନର ବେଗ ସେତେ ଅଧିକ ନରହିଲେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ରହିଛି ଆଶଙ୍କା  । ଲ୍ୟାଣ୍ଡଫଲର ୧୨ ଘଣ୍ଟା ପର୍ଯ୍ୟନ୍ତ ଅବପାତ ରୂପରେ ରହିବ ଗୁଲାବ ।

ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ଗଞ୍ଜାମ, ଶ୍ରୀକାକୁଲମ ଓ ବିଜୟନଗରମ ଜିଲ୍ଲାର ଉପକୂଳରେ ଅଧମିଟର ପର୍ଯ୍ୟନ୍ତ ଜୁଆର ଉଠିପାରେ । ତେଣୁ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଗଞ୍ଜାମର ଗୋପାଳପୁରଠାରୁ 270 କିମି ଦୂରରେ ଏହି ବାତ୍ୟା କେନ୍ଦ୍ରୀଭୂତ ହେବ । ଏନେଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ପାଇଁ ଜାରି କରାଯାଇଛି ଅରେଞ୍ଜ ୱାର୍ଣ୍ଣିଂ  । ସେପଟେ ବାତ୍ୟା ଯୋଗୁଁ ଅଧିକ ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ  ।

Last Updated :Sep 26, 2021, 6:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.