ସାର୍ବଜନୀନ ହେଲା ମୁଖ୍ୟମନ୍ତ୍ରୀ-ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା, ଜାଣନ୍ତୁ କାହାର କେତେ?

author img

By

Published : Sep 23, 2022, 2:34 PM IST

ସାର୍ବଜନୀନ ହେଲା ସମ୍ପତ୍ତି ତାଲିକା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ କୋଟିପତି ବୋଲି ତାଲିକାରୁ ଜଣାପଡିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ସରକାରୀ ୱେବସାଇଟରେ ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ ଏବଂ ବିଧାୟକଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି ତାଲିକା ସାର୍ବଜନୀନ କରାଯାଇଛି । ୨୦୨୧ ଡିସେମ୍ବର ୩୧ ସୁଦ୍ଧା ନବୀନଙ୍କ ସମ୍ପତ୍ତି ୬୪ କୋଟି ୯୭ ଲକ୍ଷ ଟଙ୍କା ଥିବାବେଳେ ପୂର୍ବ ବର୍ଷ ଏହା ୬୪.୯୮ କୋଟି ଥିଲା । ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କମିଥିବାବେଳେ ସେ ହରିଆଣାରେ ଥିବା ତାଙ୍କର ଫାର୍ମ ହାଉସ ବିକ୍ରି କରିଥିବା ଜଣାପଡିଛି ।

ମୋଟ୍ ବ୍ୟାଙ୍କ ବାଲାନ୍ସ ୯୯,୪୧,୮୪୮.୮୨ ରହିଥିବାବେଳେ ସ୍ଥାବର ସମ୍ପତ୍ତି ୧୨,୦୯,୫୨,୦୩୦ ରହିଛି । ଅସ୍ଥାବର ସମ୍ପତ୍ତି ୫୨,୮୮,୬୪,୧୯୦ ରହିଛି । ସେହିପରି ଦିଲ୍ଲୀ, ଭୁବନେଶ୍ବର, ହିଞ୍ଜଳିକାଟୁ ଏବଂ ବରଗଡ ବ୍ୟାଙ୍କ ଆକାଉଣ୍ଟ ସହିତ ଅଳଙ୍କାର, କାର୍‌କୁ ମିଶାଇ ନବୀନଙ୍କ ସମ୍ପତ୍ତି ୧୨ କୋଟି ୯ ଲକ୍ଷ ୨୫ ହଜାର ୩୧ ଟଙ୍କାର ସମ୍ପତ୍ତି ରହିଛି । ୩.୪୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଏବଂ ପୁରୁଣା ଆମ୍ବାସାଡର କାର୍‌ର ମୂଲ୍ୟ ୬,୪୩୪ ଟଙ୍କା ରହିଛି ।

ରାଜଧାନୀ ଦିଲ୍ଲୀ ସ୍ଥିତ ଜନପଥରେ ଥିବା ଏକ ବ୍ୟାଙ୍କରେ ୭୨ ଲକ୍ଷ ଟଙ୍କା ଏବଂ ଭୁବନେଶ୍ବରରେ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆରେ ୨୧.୭୧ ଲକ୍ଷ ଟଙ୍କା ଜମା ରହିଛି । ୫୨ କୋଟି ୮୮ ଲକ୍ଷ ୬୪ ହଜାର ୧୯୦ ଟଙ୍କାର ସ୍ଥାବର ସମ୍ପତ୍ତି ମଧ୍ୟରେ ଭୁବନେଶ୍ବର ବିମାନବନ୍ଦର ନିକଟରେ ଥିବା ନବୀନ ନିବାସରେ ତାଙ୍କର ଦୁଇ ତୃତୀୟାଂଶ ଅଂଶଧନର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା ଏବଂ ନୂଆଦିଲ୍ଲୀର ଡକ୍ଟର ଏପିଜେ ଅବଦୁଲ କାଲାମ ରୋଡ୍‌ରେ ଥିବା ସମ୍ପତ୍ତିର ୫୦% ଅଂଶଧନର ମୂଲ୍ୟ ପାଖାପାଖି ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା ରହିଛି । ଉଭୟ ସମ୍ପତ୍ତିକୁ ସେ ନିଜ ମାଆଙ୍କ ଠାରୁ ଉତ୍ତରାଧିକାର ସୂତ୍ରରେ ପାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନଙ୍କ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଦ୍ଵିତୀୟ ସର୍ବାଧିକ ଧନୀ ମନ୍ତ୍ରୀ ଥିବା ସମ୍ପତ୍ତି ତାଲିକାରୁ ଜଣାପଡିଛି । ମନ୍ତ୍ରୀ ନବ ଦାସ, ପତ୍ନୀ ମିନତୀ ଦାସ ଓ ଝିଅ ଦୀପାଲି ଦାସଙ୍କ ନାଁରେ ଥିବା ଟଙ୍କା ସାର୍ବଜନୀନ ହୋଇଛି । ମନ୍ତ୍ରୀଙ୍କ ପତ୍ନୀ ନାଁରେ ୬୫ଟି ଗାଡ଼ି ରହିଛି । ସମସ୍ତ ଗାଡ଼ି କମର୍ସିଆଲ୍‌ ବୋଲି ଦର୍ଶାଯାଇଛି । ତେବେ ଏହି ଗାଡ଼ି ମଧ୍ୟରୁ କେବଳ ୨୦୨୧ରେ ୧୮ଟି ଗାଡ଼ି କିଣାଯାଇଛି । ବିଭିନ୍ନ ବ୍ୟାଙ୍କରେ ଫିକ୍ସି ଡିପୋଜିଟ, ବଣ୍ଡ ଆକାରରେ ଟଙ୍କା ରହିଛି । ନଗଦ ଟଙ୍କା ସହିତ ଅଳଙ୍କାର ଓ ସ୍ଥାବର ଏବଂ ଆସ୍ଥାବର ଜମି ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବଙ୍କର ରହିଛି । ସେହିପରି ଅନ୍ୟ ମନ୍ତ୍ରୀମାନେ ମଧ୍ୟ ସେମାନଙ୍କର ସମ୍ପତ୍ତି ତାଲିକା ସାର୍ବଜନୀନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.