କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣା, ଆଜି ଆସିବ ତଦନ୍ତ ରିପୋର୍ଟ

author img

By

Published : Sep 21, 2022, 7:49 AM IST

Updated : Sep 21, 2022, 7:55 AM IST

director of health service bijay mohapatra say on babies death case in keonjhar

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ ଘଟଣା । ତଦନ୍ତ ରିପୋର୍ଟ ଆସିବା ପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲାରେ ଶିଶୁ ମୃତ୍ୟୁ ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଖୁବ ଶୀଘ୍ର ସ୍ପଷ୍ଟ ହେବ । କେଉଁ କାରଣରୁ ଏଭଳି ଘଟଣା ଘଟିଲା ଏହି ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ମୋଟ ଉପରେ ଏହି ଘଟଣାକୁ ସରକାର ଗୁରୁତର ସହ ବିଚାର କରୁଛନ୍ତି । ଯଦି କୌଣସି ଏଭଳି କିଛି ଘଟଣା ସାମ୍ନାକୁ ଆସେ ତେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣା

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ୨୪ ଘଣ୍ଟାରେ ୪ ଶିଶୁଙ୍କ ମୃତ୍ୟୁକୁ ନେଇ ତନାଘନା ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ପେଶାଲ ନ୍ୟୁବର୍ଣ୍ଣ କେୟାର ୟୁନିଟରେ ୨୪ ଘଣ୍ଟାରେ ୪ ଶିଶୁଙ୍କ ମୃତ୍ୟୁକୁ ଗୁରୁତର ସହ ନେଇଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, "ଏହି ଘଟଣାର ଅନୁଶୀଳନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗର ୨ଜଣିଆ ଟିମ୍ ଏସଏନସିୟୁରେ ପହଞ୍ଚି ତଦନ୍ତ କରିଛନ୍ତି । ଟିମରେ ଅଛନ୍ତି ରାଜ୍ୟ ଶିଶୁ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ରଶ୍ମିରଂଜନ ଶତପଥୀ ଓ ଶିଶୁ ପରାମର୍ଶଦାତା ଡାକ୍ତର ଆରଏନ ପଣ୍ଡା । ଏହି ଟିମ୍ ତଦନ୍ତ ଶେଷ କରିଛନ୍ତି ଏବଂ ଚିକିତ୍ସାଳୟର ସମସ୍ତ କାର୍ଯ୍ୟରତ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ବୁଧବାର ସୁଦ୍ଧା ସେମାନେ ରିପୋର୍ଟ ଦାଖଲ କରିବେ ।" ପ୍ରକୃତରେ ଅବହେଳା କାରଣରୁ ମୃତ୍ୟୁ ଘଟିଛି ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଛି ତାହା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ଏହାପରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: 18 ଦିନରେ 13ଟି ଶିଶୁ ମୃତ୍ୟୁ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ସୂଚନା ଯୋଗ୍ୟ, କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଚଳିତ ମାସ 13 ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଘଟଣା ନେଇ ଅଧିକ ତଦନ୍ତ ଦାବି କରିଛନ୍ତି ବୁଦ୍ଧିଜୀବୀ । 24 ଘଣ୍ଟାରେ 4 ଜଣ ଶିଶୁଙ୍କ ମୃତ୍ୟୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା । ଏନେଇ ଖବର ପାଇ ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ । ଚିକିତ୍ସା ପାଇଁ ଡାକ୍ତର ନ ଆସିବାରୁ ଏଭଳି ପରିସ୍ଥିତି ଉପୁଜି ଥିଲା ବୋଲି ମୃତ ଶିଶୁଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି । ଏଣୁ ଏହାର ତଦନ୍ତ ହେଲେ ଘଟଣାଟି ଜଣାପଡ଼ିବ ବୋଲି କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 21, 2022, 7:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.