Odisha Cabinet Decision: 16 ବିଭାଗର 33 ପ୍ରସ୍ତାବକୁ ମଞ୍ଜୁରୀ

author img

By

Published : Sep 22, 2022, 10:18 PM IST

Odisha cabinet decision: 16 ବିଭାଗର 33 ପ୍ରସ୍ତାବକୁ ମଞ୍ଜୁରି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ( Chief minister Naveen Patnaik) ଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି (Odisha cabinet decision) । ବୈଠକରେ 16ଟି ବିଭାଗର 33ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ( Chief minister Naveen Patnaik) ଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି (Odisha cabinet decision) । ବୈଠକରେ 16ଟି ବିଭାଗର 33ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ତାଲିକାରେ ଜଳ ସମ୍ପଦ, ଆଇନ, ସୂଚନା ଏବଂ ପ୍ରଯ୍ୟୁକ୍ତି ବିଦ୍ୟା, କ୍ରୀଡ଼ା ଏବଂ ଯୁବ ସେବା, ପର୍ଯ୍ୟଟନ, ଶିଳ୍ପ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା, ଅବକାରୀ, ଗୃହ, ପୂର୍ତ୍ତ ଓ ଖଣି ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ ।

Odisha cabinet decision: 16 ବିଭାଗର 33 ପ୍ରସ୍ତାବକୁ ମଞ୍ଜୁରୀ

ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ, ଜଳସମ୍ପଦ ବିଭାଗର 6ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି । ବୈତରଣୀ ନଦୀ ଉପରେ ନିର୍ମାଣ ହେବ ଦୁଇଟି ଆନିକଟ । ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ କୁଟୁରିଆ ଗ୍ରାମ ନିକଟରେ କୋଚିଲା ନଦୀରେ ଓ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅଧିନସ୍ଥ ଧୋବାବୀଲ ଗ୍ରାମ ନିକଟରେ ମିଳିତ ଆନିକଟ ନିର୍ମାଣ ହେବ । ଉକ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ 200 କୋଟି ଟଙ୍କା ଓ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ନିମନ୍ତେ 1 କୋଟି ଟଙ୍କା ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ ଦେଇଛି । ପ୍ରକଳ୍ପଟିକୁ 30 ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି । ଉକ୍ତ ପ୍ରକଳ୍ପଟି କୋଚିଲା ନଦୀରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ସହିତ ବୈତରଣୀ ନଦୀକୁ ପୁନର୍ଜୀବିତ କରିବାରେ ସହାୟତା କରିବ । ଏହା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଓ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ଲୋକ ମାନଙ୍କର ପାନୀୟଜଳ ଓ ଘରୋଇ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ଜଳ ଉପଲବ୍ଧ କରାଇବା ସହିତ ସେମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ସାହାଯ୍ୟ କରିବ ।

ଜଟଣୀ ତହସିଲର ଜାମୁକୋଳିରେ ହେବ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ । ଏଥିପାଇଁ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେବେ 5 ଏକର ଜମି । ଏଥିସହ ରାଜ୍ୟସ୍ତରୀୟ କ୍ରୀଡା ଭିତ୍ତିଭୂମି ବିକାଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିୟମର ଭିତ୍ତିଭୂମି ବିକାଶ ହେବ । ବିଶ୍ୱକପ ପାଇଁ ଭିତ୍ତିଭୂମି ବିକାଶ ବଜେଟ ସଂଶୋଧନକୁ ମଞ୍ଜୁରୀ ମିଳିଛି । ଏଥିସହ 875 କୋଟିର ସଂଶୋଧିତ ପ୍ରକଳ୍ପ ମୂଲ୍ୟକୁ ମିଳିଛି ମଞ୍ଜୁରୀ । କୋଭିଡ ସମୟରେ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଥିଲା । ମନ୍ତ୍ରୀସ୍ତରୀୟ କମିଟି 12 ଥର ବସି ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ଉପରେ ଆଜି କ୍ୟାବିନେଟ ମୋହର ବାଜିଛି । ରାଜ୍ୟର ଶିଳ୍ପାନୁଷ୍ଠାନକୁ ଚୂନ ପଥର ଯୋଗାଣ ଏଣିକି ସୁନିଶ୍ଚିତ ହେବ । ଏହି ଚୁନ ପଥର ଓଏମସି ଜରିଆରେ ଯୋଗାଇ ଦିଆଯିବ । ରାଜ୍ୟର କ୍ରୀଡ଼ା ଛାତ୍ରାବାସରେ ରହି ପଢୁଥିବା ପିଲାମାନଙ୍କ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ 15 ପ୍ରତିଶତ ଆସନ ସରକ୍ଷଂଣ ବ୍ୟବସ୍ଥା କରାଯାଇଛି । ଯାହା ଦ୍ୱାରା ଖେଳ ପ୍ରତି ପିଲାଙ୍କର ରୁଚି ବଢିବାରେ ସହାୟକ ହେବ ।

ସେହିପରି 9ଟି ମେଗା ଲିଫ୍ଟ ପ୍ରୋଜେକ୍ଟକୁ ମୋହର ମାରିଛନ୍ତି କ୍ୟାବିନେଟ । 36 ମାସ ଭିତରେ କାର୍ଯ୍ୟକ୍ଷମ ହେବ ଏହି ପ୍ରକଳ୍ପ । ସେହିପରି କେନ୍ଦୁଝର ଜିଲ୍ଲାରେ 14ଟି ମେଗା ଲିଫ୍ଟ ପ୍ରୋଜେକ୍ଟ ହେବ । 17 ହଜାର ହେକ୍ଟର ଜମି ଜଳସେଚିତ ହେବ । ଯେଉଁ ସଂସ୍ଥା ଏହାକୁ ନିର୍ମାଣ କରିବ, ସେହି ସଂସ୍ଥା ଏହାର 15 ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବେ । ପୂର୍ତ୍ତ ବିଭାଗର ସୁବର୍ଣ୍ଣପୁର - ବିନିକା ରାସ୍ତାକୁ ଉନ୍ନତିକରଣ ଓ ଭୁବନେଶ୍ୱରରେ ବିଧାୟକଙ୍କ ଗୃହ ନିର୍ମାଣ ପାଇଁ ଟଙ୍କା ଅନୁମୋଦନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ସୁବର୍ଣ୍ଣପୁର-ବିନିକା-ରାମପୁର-ଡୁଙ୍ଗୁରିପାଲ୍ଲୀ ରାସ୍ତାର 21.800 କି.ମି. ଠାରୁ 54.200 କି.ମି. ଦୀର୍ଘ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ପ୍ରକଳ୍ପ ଦ୍ବାରା ସୁବର୍ଣ୍ଣପୁର ଜିଲ୍ଲାରେ ଯାତାୟାତ ଜନିତ ଭିଡ କମାଇବା ସହିତ ଉତ୍ତମ ଗମନାଗମନ ସୁବିଧା ପହଞ୍ଚାଇବ । ଏହି ରାସ୍ତାର ଉନ୍ନତିକରଣ କାର୍ଯ୍ୟ କରିବ Ashirbad Eng & Construction Pvt.Ltd । ଏଥିପାଇଁ ଆବଶ୍ୟକ 87 କୋଟି 7 ଲକ୍ଷଙ୍କର ମଞ୍ଜୁରୀ ଦେଇଛି କ୍ୟାବିନେଟ । ଏହି କାର୍ଯ୍ୟ 18 ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଭୁବନେଶ୍ବରରେ ବିଧାୟକ ଏବଂ ସରକାରୀ କର୍ମଚାରୀ ମାନଙ୍କ ରହଣି ସୁବିଧା ନିମନ୍ତେ 195ଟି ଟାଇପ - 6 ଏବଂ 105ଟି ଟାଇପ - 7 ସରକାରୀ ବାସଗୃହ ନିର୍ମାଣ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ନିର୍ମାଣ ଲାଗି 510 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି କାର୍ଯ୍ୟକୁ 30 ମାସ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.