ଭବିଷ୍ୟତ ସହ ଖେଳ ! ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟରେ ଆଡମିଶନ, କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ ଖବର

author img

By

Published : Jan 11, 2022, 10:02 PM IST

Updated : Jan 12, 2022, 6:31 AM IST

ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟରେ କଲେଜରେ ଆଡମିଶନ

ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ପିଲାଙ୍କ ଭବିଷ୍ୟତ ସହିତ ଚାଲିଛି ଖେଳ । ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ ବଳରେ ଚାଲିଛି ଆଡମିଶନ । ଯାହାକୁ ନେଇ ଅନିଶ୍ଚିତତା ମଧ୍ୟରେ ଆଡମିଶନ ନେଇଥିବା ଛାତ୍ରଛାତ୍ରୀ । ଏପଟେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଅଧିକ ପଢନ୍ତୁ

ଭଦ୍ରକ: ଶିକ୍ଷା ମନ୍ଦିରରେ ଚରମ ଅବହେଳା । ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ପିଲାଙ୍କ ଭବିଷ୍ୟତ ସହିତ ଚାଲିଛି ଖେଳ । ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ ବଳରେ ଚାଲିଛି ଆଡମିଶନ । ଯାହାକୁ ନେଇ ଏକ ଅନିଶ୍ଚିତତା ମଧ୍ୟରେ ଆଡମିଶନ ନେଇଥିବା ଛାତ୍ରଛାତ୍ରୀ (fake disability certificate issue in bhadrak autonomous college ) । ଏନେଇ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । କେମିତି ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ କଲେଜରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ଦେଖନ୍ତୁ ଭଦ୍ରକ ଜିଲ୍ଲାରୁ ଏହି ରିପୋର୍ଟ ।

ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟରେ ଆଡମିଶନ, କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ ଖବର

2004 ମସିହାରେ ଭଦ୍ରକ ସ୍ଵଂୟଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇଥିଲା । କଲେଜରେ ବିଭିନ୍ନ ଶ୍ରେଣୀ ଏବଂ ବିଭାଗରେ 7000ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ବର୍ତ୍ତମାନ ଏହି ସ୍ଵଂୟଶାସିତ ମହାବିଦ୍ୟାଳୟ ବିରୋଧରେ ଆସିଛି ଏକ ସଙ୍ଗୀନ ଅଭିଯୋଗ। ଖବର ଅନୁଯାୟୀ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଆଡମିଶନ ପାଇଁ ଆବେଦନ ସମୟରେ ସଂରକ୍ଷଣ ବ୍ୟବସ୍ଥା ରହିଛି। ବିଭିନ୍ନ ବର୍ଗରେ ସଂରକ୍ଷଣ ପାଇବା ପାଇଁ ଆବେଦନ କରିବାକୁ ପଡିଥାଏ । ତେବେ ଆବେଦନ ବେଳେ ସଂରକ୍ଷଣର ସୁବିଧା ନେଇ ଆଡମିଶନ ପାଇଁ ଆବଶ୍ୟକୀୟ କାଗଜପତ୍ର ଜମା କରିବା ପାଇଁ ପଡେ । ଅନଲାଇନ୍‌ରେ କାଗଜପତ୍ର ଦେଇ କେତେକ ସଂରକ୍ଷଣର ସୁବିଧା ପାଉଛନ୍ତି କିନ୍ତୁ ସେହି ସଂରକ୍ଷିତ ସ୍ଥାନ ପାଇଁ ଜଣେ ଯୋଗ୍ୟ ଆବେଦନକାରୀ ବାଦ ପଡ଼ୁଛନ୍ତି । ସୂଚନାଧିକାର ଆଇନ ବଳରେ ଏହି ମହାବିଦ୍ୟାଳୟର ଜଣେ ପୁରାତନ ଛାତ୍ର ଏନେଇ ହସ୍ତଗତ ହୋଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ମିଳିଥିବା ତଥ୍ୟ କହୁଛି ମହାବିଦ୍ୟାଳୟରେ କେତେକ ଛାତ୍ର ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ବଳରେ ଆଡମିଶନ ନେଇଛନ୍ତି । ଆଡମିଶନ ପରେ ସେମାନଙ୍କ ଦିବ୍ୟାଙ୍ଗ ସଂରକ୍ଷଣର ତାଲିକା ଦେଖିବା ପରେ ଏହି ପୂରାତନ ଛାତ୍ର ଜଣକ ସୂଚନା ଅଧିକାର ଆଇନ୍ ବଳରେ ମହାବିଦ୍ୟାଳୟକୁ ସେମାନଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ମାଗିଥିଲେ । ଆଉ ସେହି ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇବା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସେଗୁଡିକ ଯାଞ୍ଚ ପାଇଁ ଦିଆଯାଇଥିଲା କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଥିଲା ସାଂଘାତିକ । କାରଣ ସେହି ବିଦ୍ୟାଙ୍ଗ ପ୍ରମାଣପତ୍ର ମେଡିକାଲ ତରଫରୁ ଯୋଗାଇ ଦିଆଇଯାଇନଥିବା କୁହାଯାଇଛି । ସେଗୁଡିକ ନକଲି ହୋଇଥିବା ସ୍ପଷ୍ଟ ହୋଇଛି ।

ଅଯୋଗ୍ୟ ପିଲାଙ୍କ ଆଡମିଶନ ଯୋଗୁଁ ଯୋଗ୍ୟ ପିଲା ଆଡମିଶନରୁ ବାଦ ପଡୁଛନ୍ତି । ତେବେ ଏହି ଜାଲ ପ୍ରମାଣପତ୍ର କେମିତି ପ୍ରସ୍ତୁତ ହେଲା ଓ କିଏ କଲା ସେ ନେଇ ତଦନ୍ତ କରିବାକୁ ଦାବି ହୋଇଛି । ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି। ଅନ୍ୟ ପକ୍ଷରେ ଯେଉଁମାନେ ଏହି ଦିଵ୍ୟାଙ୍ଗ ପ୍ରମାଣପତ୍ରର ଜାଲିଆତି କରିଛନ୍ତି ବୋଲି ଜଣାପଡିଛି, ସେମାନେ ଏହା ଜାଣି ନଥିବା କହିଛନ୍ତି। ଆଡମିଶନ କରିଦେବା ପାଇଁ କିଛି ଅସାଧୁ ବ୍ୟକ୍ତି ସେମାନଙ୍କୁ ପ୍ରଲୋଭିତ କରି ଏହି କାର୍ଯ୍ୟ କରିଥିବା ସେମାନେ କହିଛନ୍ତି। ତେବେ ବର୍ତ୍ତମାନ ଏହି ଦିଵ୍ୟାଙ୍ଗ ପ୍ରମାଣପତ୍ର ଜାଲିଆତି ବୋଲି ସେମାନେ ସ୍ଵୀକାର କରିଛନ୍ତି। ତେବେ ଏହା ତାଙ୍କ ଅଜାଣତରେ ହୋଇଥିବାରୁ ସେମାନେ ଦୋଷୀ ନୁହଁନ୍ତି ବୋଲି କହିଛନ୍ତି । ସେମାନଙ୍କ ଭବିଷ୍ୟତ ପାଇଁ କର୍ତ୍ତୃପକ୍ଷ ସଦୟ ହେବା ସହ ପ୍ରକୃତ ଦୋଷୀକୁ ଦଣ୍ଡ ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି।

ଏପଟେ କଲେଜ ଅଧକ୍ଷ ମଧ୍ୟ ସମାନ କଥା କହିଛନ୍ତି । ତାଙ୍କ କହିବା କଥା ଯେ ଏହି ଘଟଣା ନେଇ ତାଙ୍କ ନିକଟରେ କୌଣସି ଅଭିଯୋଗ ହୋଇନାହିଁ କି ସୂଚନା ନାହିଁ । ଯଦି ଅଭିଯୋଗ ଆସିଛି ତେବେ ସେ ନେଇ ସରକାରଙ୍କୁ ଜଣାଇବୁ । ଅନଲାଇନରେ ଆଡମିସନ ହେଉଥିବାରୁ ତାଙ୍କର କୌଣସି ଭୂମିକା ନଥିବା କହିଛନ୍ତି। ଶିକ୍ଷାନୁଷ୍ଠାନରେ ଜାଲିଆତି ପ୍ରମାଣପତ୍ର ଏକ ସମ୍ବେଦନଶୀଳ ପ୍ରସଙ୍ଗ ନିଶ୍ଚିତ । ଯେଉଁଠି ନୀତି, ଆଦର୍ଶ ଓ ନୈତିକତାର ଶିକ୍ଷା ଦିଆଯାଏ ସେଠାରେ ଯଦି ଜାଲିଆତିର ଘଟଣା ସାମ୍ନାକୁ ଆସିବା ଶିକ୍ଷା ବ୍ୟବସ୍ଥା ପାଇଁ ନିଶ୍ଚିତ ଉଦବେଗଜନିତ ପରିସ୍ଥିତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର ,ଇଟିଭି ଭାରତ

Last Updated :Jan 12, 2022, 6:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.