କଏଦୀଙ୍କ ତୂଳୀରେ ଚମକୁଛି ଉପକାରାଗାର କାନ୍ଥ

author img

By

Published : Aug 18, 2021, 4:00 PM IST

କଏଦୀଙ୍କ ତୁଳୀରେ ଚମକୁଛି ଉପକାରାଗାର କାନ୍ଥ

ଛତ୍ରପୁର ଉପକାରାଗାରର କାନ୍ଥରେ ଭଳିକି ଭଳି ଚିତ୍ର ଆଙ୍କିଛନ୍ତି କଏଦୀ ଆର ଚିତ୍ତରଞ୍ଜନ । କଳସୀରେ କରିଛନ୍ତି ମନଲୋଭା ଚିତ୍ର । ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହରଣ । ଅଧିକ ପଢନ୍ତୁ....

ବ୍ରହ୍ମପୁର : କାନ୍ଥରେ ଅଙ୍କା ହୋଇଛି ଭଳିକି ଭଳି ଚିତ୍ର । ମହାପୁରୁଷଙ୍କ ଠାରୁ ଆରମ୍ଭ କରି ରାଧାକୃଷ୍ଣ ପ୍ରେମର ଝଲକ କାନ୍ଥରେ ଝଟକୁଛି । ଭାରତ ମାନଚିତ୍ର ଠାରୁ ଆରମ୍ଭ କରି ଅଶୋକ ସ୍ତମ୍ଭ ,ତରୁଣୀଙ୍କ ଫଟୋଚିତ୍ର ଶୋଭାବର୍ଦ୍ଧନ କରୁଛି । ମନ୍ଦିରର ଭ୍ରମ ସୃଷ୍ଟି କଲାଭଳି ତୋରଣ ମଧ୍ୟ କରାଯାଇଛି । ଯେଉଁଥିରେ ଶିବ ଲିଙ୍ଗ ସ୍ଥାନିତ ହୋଇଛି । ଏଭିଳି ଚିତ୍ର ଦେଖିଲେ ଆଖି ଲାଖି ଯାଉଛି । ଆପଣ ଭାବୁଥିବେ ଏ କୌଣସି ପାର୍କ କି ରାସ୍ତା କଡ କାନ୍ଥର ଦୃଶ୍ୟ ହୋଇଥିବ ନିଶ୍ଚୟ । କିନ୍ତୁ ନା । ଏ ହେଉଛି ଛତ୍ରପୁର ଉପକାରାଗାରର କାନ୍ଥ । ଆଉ ଏହାକୁ କରିଛନ୍ତି ଜଣେ ବିଚାରଧୀନ କଏଦୀ ଆର ଚିତ୍ତରଞ୍ଜନ ଓରଫ ଚିଟ୍ଟି । କେବଳ ସେତିକି ନୁହେଁ କଳସୀରେ ଚିତ୍ର ଆଙ୍କି ସମସ୍ତଙ୍କ ମନ କିଣିଛନ୍ତି ସେ।

କଏଦୀଙ୍କ ତୁଳୀରେ ଚମକୁଛି ଉପକାରାଗାର କାନ୍ଥ
ଚିଟ୍ଟି ଏକ ମାମଲାରେ ଛନ୍ଦି ହୋଇ ୨୦୧୭ ମସିହା ଜାନୁଆରୀ ୬ ତାରିଖରୁ ବିଚାରଧୀନ କଏଦୀ ଭାବେ ସଜା କାଟୁଛନ୍ତି । ଦୁଃଚିନ୍ତାରୁ ଦୂରେଇବା ପାଇଁ ପ୍ରଥମେ ପେପର ଓ ପେନସିଲରେ ସେ ଚିତ୍ର ଆଙ୍କିଥିଲେ । ଆଉ ଏହି ଚିତ୍ରରେ ଜେଲ କର୍ତ୍ତୃପକ୍ଷଙ୍କ ନଜର ପଡିଥିଲା । ଚିଟ୍ଟିଙ୍କ ଚିତ୍ର ତାଙ୍କୁ ବେଶ ପସନ୍ଦ ଆସିଥିଲା । କାଗଜ ବଦଳରେ ଉପ କାରାଗାର ପାଚେରୀରେ ଚିତ୍ର ଆଙ୍କିବାକୁ ଅନୁମତି ଦେଇଥିଲେ। ହଠାତ ଉପକାରାଗାରକୁ ଜିଲ୍ଲାପାଳ ପରିଦର୍ଶନ କରିବାକୁ ଆସିଥିଲେ । କାନ୍ଥରେ ହୋଇଥିବା ଚିଟ୍ଟିଙ୍କ ଚିତ୍ର ଉପରେ ଜିଲ୍ଲାପାଳଙ୍କ ନଜର ଯାଇଥିଲା । ଯାହା ତାଙ୍କ ମନକୁ ଛୁଇଁବା ପରେ SSG ମହିଳା ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ହୋଇ ବିକ୍ରି ହେଉଥିବା ଗୁଡ ହାଣ୍ଡି ଗୁଡିକୁ ଚିତ୍ରିତ କରିବା କାମ ଜିଲ୍ଲାପାଳ ଚିଟ୍ଟିଙ୍କୁ ଦେଇଥିଲେ । ଆଉ ଚିଟ୍ଟି ମଧ୍ୟ ହାଣ୍ତି ଗୁଡିକୁ ଚିତ୍ରିତ କରି ଦେଉଛନ୍ତି । ଏ ବାବଦରେ କିଛି ପ୍ରାପ୍ୟ ମଧ୍ୟ ତାଙ୍କୁ ମିଳୁଛି ।ରୋବର୍ଟ ଫିଲ୍ମର ଚିଟ୍ଟି ଚରିତ୍ର ଭଳି ଛତ୍ରପୁର ଉପକାରାଗାରରେ ମଧ୍ୟ ସମସ୍ତଙ୍କ ମନ ଜିଣୁଛନ୍ତି ରିଅଲ ଚିଟ୍ଟି । ତେବେ ଜେଲରେ ସଜା କାଟୁଥିବା ବିଚାରଧୀନ କଏଦୀଙ୍କ ପାଇଁ ଚିଟ୍ଟି ନିହାତି ଭାବେ ଉଦାହରଣ ଏଥିରେ ସନ୍ଦେହ ନାହିଁ ।ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.