ମଦ ପାଇଁ ଗଲା ଚାକିରି, ଶିକ୍ଷା ବିଭାଗ କାର୍ଯ୍ୟାଳୟର ସମସ୍ତ ସାମଗ୍ରୀ ବିକି ପିଅନ ଗିରଫ

author img

By

Published : Sep 26, 2022, 10:46 PM IST

ପିଅନଙ୍କ ଜଘନ୍ୟ କାଣ୍ଡ, ମଦ ପାଇଁ ବିକିଲେ ଶିକ୍ଷା ବିଭାଗ କାର୍ଯ୍ୟାଳୟର ସମସ୍ତ ସାମଗ୍ରୀ

ନିଶା ପାଇଁ ଗଲା ପିଅନଙ୍କ ଚାକିରି । ମଦ ପାଇଁ ଶିକ୍ଷା ବିଭାଗ କାର୍ଯ୍ୟାଳୟର ସମସ୍ତ ସାମଗ୍ରୀ ବିକ୍ରି କରିବା ପରେ ତାଙ୍କୁ ଗିରଫ କରିଛି ପୋଲିସ । ଘଟଣା ଗଞ୍ଜାମ ବ୍ରହ୍ମପୁର ଡି.ଆଇଙ୍କ କାର୍ଯ୍ୟାଳୟ ତଥା ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଶାଖା କାର୍ଯ୍ୟାଳୟରେ ଘଟିଛି । ଅଧିକ ପଢନ୍ତୁ

ବ୍ରହ୍ମପୁର: ସାମାନ୍ୟ ମଦ ପିଇବା ପାଇଁ ଶିକ୍ଷା ବିଭାଗର କାର୍ଯ୍ୟାଳୟରୁ ସମସ୍ତ ସାମଗ୍ରୀ ସହିତ ଶିକ୍ଷକଙ୍କ ସର୍ଭିସ ବୁକ୍ ବିକ୍ରି କରିଦେଲେ ପିଅନ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ପୁରୁଣା ଡି.ଆଇଙ୍କ କାର୍ଯ୍ୟାଳୟ ତଥା ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଶାଖା କାର୍ଯ୍ୟାଳୟରୁ ସବୁ ଜିନିଷ ଗାଏବ ହୋଇଥିଲା । ତେବେ ତଦନ୍ତ ପରେ ପିଅନକୁ ଗିରଫ କରାଯିବା ସହିତ ତାକୁ ପଦବୀରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି । ଏଥିରେ ସମ୍ପୃକ୍ତ କବାଡିବାଲାଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଶିକ୍ଷା ବିଭାଗ କାର୍ଯ୍ୟାଳୟର ସମସ୍ତ ସାମଗ୍ରୀ ବିକି ପିଅନ ଗିରଫ

କାର୍ଯ୍ୟାଳୟ ମଧ୍ୟରେ ରହିଥିବା ୨୦ରୁ ଅଧିକ ଆଲମିରା, ଟେବୁଲ, ଚେୟାର, ଝରକା ସହିତ ବ୍ରହ୍ମପୁର ସହର ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଶିକ୍ଷକଙ୍କ ସର୍ଭିସ ବୁକ୍, ରେକର୍ଡ, ରେଜିଷ୍ଟର ସମେତ ସରକାରୀ କାଗଜପତ୍ର ଗାଏବ ରହିଥିବା ନେଇ ଥାନାରେ ଏତଲା ହୋଇଛି । ବ୍ରହ୍ମପୁର ସହରର ଟାଉନ ଥାନା ପାର୍ଶ୍ବରେ ରହିଥିବା ଏହି କାର୍ଯ୍ୟାଳୟ ଦାୟିତ୍ବରେ ରହିଥିବା ପିଅନ ଏମ. ପିତାମ୍ବରଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ସେ ଦାୟିତ୍ବରେ ଥିବା ସମୟରେ ଏପରି ହୋଇଥିବା ଜଣାପଡି଼ଥିଲା ।

ଏହା ବି ପଢନ୍ତୁ- ଦୁର୍ଗା ପୂଜା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ପ୍ରଶାସନ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା

ପରେ ଘଟଣାରେ ଶିକ୍ଷା ବିଭାଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସେକସନ ଅଫିସର ଜୟନ୍ତ କୁମାର ସାହୁ ଟାଉନ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି । ଅନ୍ୟପଟେ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ କରିବା ସହିତ ପିଅନ ଏମ. ପିତାମ୍ବର ଏବଂ ଏଥିରେ ସମ୍ପୃକ୍ତ ଥିବା ତିନି ଜଣ କବାଡି ବାଲାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କହିଛନ୍ତି ବ୍ରହ୍ମପୁର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ରାଜୀବ ଲୋଚନ ପଣ୍ଡା । ବିକ୍ରି ହୋଇଥିବା ରେକର୍ଡ ବୁକ, ସର୍ଭିସ ବୁକ ଓ ରେଜିଷ୍ଟାରରେ ଅନେକ ଶିକ୍ଷକଙ୍କ ଭବିଷ୍ୟତ ନେଇ ଏବେ ଚିନ୍ତାରେ ସହର ସମେତ ଆଖପାଖ ଅଞ୍ଚଳର ଶିକ୍ଷକମାନେ ।

ଏ ନେଇ ଜିଲ୍ଲା ଶିକ୍ଷାଧିକାରିଣୀ ବିନିତା ସେନାପତି କହିଛନ୍ତି, "କାର୍ଯ୍ୟାଳୟର ଆସବାବପତ୍ର ଚୋରି ହୋଇଥିଲା । ଏନେଇ ଆମେ ଥାନାରେ ଅଭିଯୋଗ କରିଥିଲୁ । ଘଟଣାରେ FIR ଦାଏର ହୋଇଛି । ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ପିଅନକୁ ପୋଲିସ ଗିରଫ କରିବା ସହିତ ତାକୁ ଚାକିରିରୁ ମଧ୍ୟ ନିଲମ୍ବିତ କରାଯାଇଛି ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.