କୋର୍ଟକୁ ସାକ୍ଷୀ ଦେବାକୁ ଆସୁଥିବା ବେଳେ ଯୁବକଙ୍କୁ ହତ୍ୟା

author img

By

Published : Sep 13, 2022, 10:56 PM IST

କୋର୍ଟକୁ ସାକ୍ଷୀ ଦେବାକୁ ଆସୁଥିବା ବେଳେ ଯୁବକଙ୍କୁ ସଙ୍ଘବଦ୍ଧ ଭାବେ ହତ୍ୟା

କୋର୍ଟକୁ ସାକ୍ଷୀ ଦେବାକୁ ଆସୁଥିବା ବେଳେ ଯୁବକଙ୍କୁ ହତ୍ୟା । ଏଭଳି ଘଟଣା ଘଟିଛି ବ୍ରହ୍ମପୁର ସହର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ରେଗିଡି ଛକ ନିକଟରେ । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର : ଦିନ ଦ୍ବିପହରରେ ହତ୍ୟା । ବିଚ ରାସ୍ତାରେ ଯୁବକକୁ ନିର୍ମମ ହତ୍ୟା । କୋର୍ଟକୁ ସାକ୍ଷୀ ଦେବାକୁ ଆସୁଥିବା ବେଳେ ଯୁବକଙ୍କୁ ସଙ୍ଘବଦ୍ଧ ଭାବରେ ହତ୍ୟା କଲେ ଦୁର୍ବୃତ୍ତ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବ୍ରହ୍ମପୁର ସହର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ରେଗିଡି ଛକ ନିକଟରେ । ମୃତ ଯୁବକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରାମସା ନାରାୟଣପୁରର ପୂର୍ଣ୍ଣଚନ୍ଦ୍ର ନାୟକ ।

କୋର୍ଟକୁ ସାକ୍ଷୀ ଦେବାକୁ ଆସୁଥିବା ବେଳେ ଯୁବକଙ୍କୁ ସଙ୍ଘବଦ୍ଧ ଭାବେ ହତ୍ୟା

ମଙ୍ଗଳବାର ଏକ ମାମଲାରେ ହତ୍ୟାର ଶିକାର ହୋଇଥିବା ପୂର୍ଣ୍ଣଚନ୍ଦ୍ର ବ୍ରହ୍ମପୁର କୋର୍ଟକୁ ଏକ ମୋଟର ସାଇକେଲ ଯୋଗେ ସାକ୍ଷୀ ଦେବାକୁ ଆସୁଥିଲେ । ପୂର୍ଣ୍ଣଚନ୍ଦ୍ର ଆସୁଥିବା ବେଳେ ତାଙ୍କୁ କିଛି ଯୁବକ ରେଗିଡି ଛକରେ ଅଟକାଇଥିଲେ । ଏହା ପରେ ସଙ୍ଘବଦ୍ଧ ଭାବରେ ବିଭିନ୍ନ ମାରଣାସ୍ତ୍ରରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ ।‌ ଦୁର୍ବୃତ୍ତମାନେ ପୂର୍ଣ୍ଣଚନ୍ଦ୍ରଙ୍କୁ ମାରଣାନ୍ତକ ଆକ୍ରମଣ କରି ରାସ୍ତାକଡ଼ରେ ଫିଙ୍ଗି ଦେଇଥିଲେ । ଗୁରୁତର ପୂର୍ଣ୍ଣଚନ୍ଦ୍ରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ କହିଛନ୍ତି, " କୋର୍ଟକୁ ଯାଉଛି ବୋଲି କହି ଘରୁ ବାହାରିଥିଲେ । ଜଣେ ଫୋନ କରି କହିଲେ ତାକୁ ଆମେ ମାରିକି ପକେଇ ଦେଇଛୁ । ତମ ସ୍ୱାମୀକୁ ଆମେ ହାଣିକି ମାରିକି ପକେଇ ଦେଇଛୁ । ଶୀଘ୍ର ଯାଅ ବୋଲି କହିଲେ । ସ୍ବାମୀ କଣ୍ଟ୍ରାକ୍ଟର କାମ କରୁଥିଲେ । ସେମାନେ ମଦ ବିକ୍ରିକରି, ଅନ୍ୟାୟ କରି ଚଳୁଛନ୍ତି । ଏହାକୁ ମୋ ସ୍ବାମୀ ବିରୋଧ କରୁଥିଲେ । "

ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା । କିଛିଦିନ ପୂର୍ବରୁ କେହି ବ୍ୟକ୍ତି ବିଶେଷ ପୂର୍ଣ୍ଣଚନ୍ଦ୍ରଙ୍କୁ ଫୋନ ଯୋଗେ ହତ୍ୟା ଧମକ ଦେଇଥିବା ବେଳେ ଏଭଳି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି । ଘଟଣା ପରେ ବ୍ରହ୍ମପୁରର ସଦର ଥାନା ପୋଲିସ ଏବଂ ପୁରୁଷୋତ୍ତମପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ସହାୟତାରେ ଘଟଣା ସ୍ଥଳକୁ ପୋଲିସ ଯାଇ ତଦନ୍ତ କରିଛି । ଘଟଣା ସ୍ଥଳରୁ ମୃତ ପୂର୍ଣ୍ଣଚନ୍ଦ୍ରଙ୍କ ମୋଟର ସାଇକେଲକୁ ପୋଲିସ ଉଦ୍ଧାର କରିଛି । ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତି ରହିଥିବା ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ମୃତକଙ୍କ ପରିବାର ବର୍ଗ । ସେପଟେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.