ଅଜଣା ଗାଡ଼ି ଧକ୍କାରେ ଦୁଇ ମହିଳା ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

author img

By

Published : Sep 17, 2021, 3:45 PM IST

ଅଜଣା ଗାଡ଼ି ଧକ୍କାରେ ଦୁଇ ମହିଳା ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ଅଜଣା ଗାଡି ଧକ୍କାରେ ଚାଲିଗଲା ୨ ଜୀବନ । ଘଟଣାସ୍ଥଳରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

ବ୍ରହ୍ମପୁର: ଅଜଣା ଗାଡି ଧକ୍କାରେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମ ନିକଟସ୍ଥ ହାରିଣୀନାଳ ଅଞ୍ଚଳରେ । ସୂଚନାନୁସାରେ ଆଜି (ଶୁକ୍ରବାର) ସ୍ନାନ ପାଇଁ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କାରେ ଘଟଣାସ୍ଥଳରେ ୨ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡିଟି ଘଟଣାସ୍ଥଳରୁ ଚମ୍ପଟ ମାରିଛି । ତେବେ ମୃତ ଦୁଇ ମହିଳା ହେଲେ ଗୋକର୍ଣ୍ଣପୁର ଗ୍ରାମର ତମାଳ ବିନ୍ଧାଣୀ ଓ ଚିନାରୀ ବାଙ୍ଗାରୀ ପାତ୍ର ବୋଲି ଜଣାପଡିଛି ।

କିଛି ସମୟ ପରେ ଏହି ଘଟଣା ପ୍ରଘଟ ହେବା ପରେ ପରେ ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁଙ୍କ ସମେତ ଗ୍ରାମବାସୀ ଓ ପରିବାର ଲୋକେ ଦୁର୍ଘଟଣା ସ୍ଥାନକୁ ଯାଇ ଦେଖିବା ବେଳେ ଦୁଇ ମହିଳାଙ୍କ ମୃତଦେହ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିରହିଥିବା ଦେଖିବାକୁ ପାଇଥିଲେ । ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀ ମାନେ ରାସ୍ତାରେ ଟାୟାର ଜାଳି ୩ ଘଣ୍ଟା ରାସ୍ତାରୋକ କରିଥିଲେ । l ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ମାନେ ରାସ୍ତାରେ ଟାୟାର ଜାଳି ଦିଗପହଣ୍ଡି - ବ୍ରହ୍ମପୁର ରାସ୍ତା ଅବରୋଧ କରିଥିବା ଜଣାପଡିଛି ।

ଯାହାଫଳରେ ଦିଗପହଣ୍ଡି - ବ୍ରହ୍ମପୁର ରାସ୍ତାର ଉଭୟ ପାର୍ଶ୍ବରେ ଯାତାୟାତ ବନ୍ଦ ରହିଥିଲା । ଖବରପାଇ ଦିଗପହଣ୍ଡି ପୋଲିସ ଥାନାଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ବରେ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିବା ବେଳେ ଗାଡ଼ି ଚଳାଚଳ ସ୍ବାଭାବିକ ରହିଥିଲା ।

ଏନେଇ ଦିଗପହଣ୍ଡି ପୋଲିସ ଦୁଇ ମହିଳାଙ୍କ ମୃତଦେହ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର MKCGକୁ ପଠାଇଥିବା ଜଣାପଡିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.