ବିଧାୟକଙ୍କ ନାମରେ ଠକେଇ ଅଭିଯୋଗ, ସମନ ଜାରି କଲେ କୋର୍ଟ

author img

By

Published : Sep 21, 2021, 11:12 AM IST

ବିଧାୟକଙ୍କ ନାମରେ ଠକେଇ ଅଭିଯୋଗ, ସମନ ଜାରିକଲେ କୋର୍ଟ

ବାଲେଶ୍ବର ଜିଲ୍ଲା ରେମୁଣା ବିଧାୟକ ସୁଧାଂଶ ଶେଖର ପଡିଡାଙ୍କ ନାମରେ ଠକେଇ ଅଭିଯୋଗ । ପକ୍ଷ ରଖିବାକୁ ସମନ ଜାରି କଲେ ବାଲେଶ୍ବର କୋର୍ଟ । ଅଧିକ ପଢନ୍ତୁ...

ବାଲେଶ୍ଵର: ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ବାଲେଶ୍ବର କୋର୍ଟ ସମନ୍ ଜାରି କରିଛି । ଅଭିଯୋଗକାରୀଙ୍କ ଅଭିଯୋଗକୁ ଆଧାର କରି ବାଲେଶ୍ବର ଜେଏମ୍ଏଫସି(ଆର୍) କୋର୍ଟ ଆସନ୍ତା ଅକ୍ଟୋବର ୨୧ ତାରିଖ ପୂର୍ବରୁ କୋର୍ଟରେ ହାଜର ହୋଇ ଉତ୍ତର ରଖିବାକୁ ନୋଟିସ୍ ଜାରି କରିଛନ୍ତି ।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ରଣସାହି ଅଞ୍ଚଳର ତନୟ କୁମାର ମହାନ୍ତି ରେମୁଣା ବିଧାୟକଙ୍କ ନିଗମାନନ୍ଦ ଆସୋସିଏଟ୍ କମ୍ପାନିରୁ ଧାନକଟା ମେସିନ୍ କିଣିବା ପାଇଁ ପ୍ରଥମେ ୭ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିଲେ । ପରବର୍ତ୍ତୀ ସମୟରେ ବ୍ୟାଙ୍କରୁ ଋଣ ହୋଇପାରିବ ନାହିଁ ବୋଲି କହି ୩୦ ହଜାର ଟଙ୍କା ନେଇଥିଲେ । ଏମିତି କରି ପାଖାପାଖି ୧୩ ଲକ୍ଷ ଟଙ୍କା ତନୟ ଜମା କରିଥିଲେ ମଧ୍ୟ ତାଙ୍କୁ କୌଣସି ମେସିନ୍ ମିଳିନଥିଲା । ବାଧ୍ୟ ହୋଇ ତନୟ ଜମାକରିଥିବା ଟଙ୍କା ଫେରାଇବାକୁ ଅନୁରୋଧ କରିଥିଲେ । ମାତ୍ର ବିଧାୟକ ତାଙ୍କୁ ୫ ଲକ୍ଷ ଟଙ୍କା ଫେରସ୍ତ କରିଥିଲେ ।

ବାକି ଟଙ୍କା ଫେରାଇ ନଥିବାବେଳେ ପରବର୍ତ୍ତୀ ସମୟରେ ୬ ଲକ୍ଷ ଟଙ୍କା ଜରୁରୀ ଅଛି ଓ କାମ ହୋଇଗଲେ ଫେରାଇ ଦେବେ କହି ପୁଣିଥରେ ତନୟଙ୍କ ଠାରୁ ଟଙ୍କା ନେଇ ଆଉ ଫେରାଇ ନଥିଲେ । ଏପରିକି ବିଧାୟକ ତନୟଙ୍କୁ ଟଙ୍କା କି ମେସିନ କିଛି ବି ଫେରସ୍ତ କରି ନଥିଲେ । ଏହାକୁ ନେଇ ତନୟ ଥାନାରେ ବିଧାୟକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ସେଥିରେ ମଧ୍ୟ ତାଙ୍କୁ ବିଫଳ ହେବାକୁ ପଡିଥିଲା । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ବାଧ୍ୟହୋଇ ସେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତାଙ୍କ ପାଖରେ ସମସ୍ତ ପ୍ରମାଣ ଯଥା ଯେଉଁ ଯେଉଁ ବ୍ୟାଙ୍କ ଆକାଉଣ୍ଟରୁ ପଇସା ପଠାଇଥିଲେ ତାହା ନକଲ କୋର୍ଟରେ ଦାଖଲ କରିଥିଲେ । ପରବର୍ତ୍ତୀ ସମୟରେ ବାଲେଶ୍ବର କୋର୍ଟ ବାଚସ୍ପତିଙ୍କ ଅନୁମତି ପାଇବା ପରେ ଠକେଇ ଅଭିଯୋଗରେ କୋର୍ଟରେ ହାଜର ହୋଇ ଉତ୍ତର ରଖିବାକୁ ଗତକାଲି(ସୋମବାର) ବିଧାୟକଙ୍କୁ କୋର୍ଟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.