ଶସ୍ତା ହେବ ବିଭିନ୍ନ ଔଷଧ, ପେଟ୍ରୋଲ-ଡିଜେଲରେ ଲାଗିବନି GST

author img

By

Published : Sep 17, 2021, 10:04 PM IST

Updated : Sep 17, 2021, 10:25 PM IST

GST କାଉନସିଲ ବୈଠକ: ଶସ୍ତା ହେବ ବିଭିନ୍ନ ଔଷଧ, ପେଟ୍ରୋଲ-ଡିଜେଲରେ ଲାଗିବନି GST

GST କାଉନସିଲ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ଘୋଷଣା । GST ପରିସରଭୁକ୍ତ ହେବନି ପେଟ୍ରୋଲ-ଡିଜେଲ । ଶସ୍ତା ହେବ ବିଭିନ୍ନ ଜୀବନ ରକ୍ଷାକାରୀ ଔଷଧ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଜୀବନ ରକ୍ଷାକାରୀ ଔଷଧ ଉପରେ ଜିଏସଟି ରିହାତି । ଶସ୍ତା ହେବ ବିଭିନ୍ନ ଔଷଧ । ବିଭିନ୍ନ ଔଷଧ ଉପରେ ଲାଗିବ ମାତ୍ର 5 ପ୍ରତିଶତ ଜିଏସଟି । ଏଥିସହ କୋଭିଡରେ ବ୍ୟବହୃତ ଔଷଧରେ ଜିଏସଟି ଅବଧି ବଢାଇଛନ୍ତି କେନ୍ଦ୍ର ସରକାର । ଡିସେମ୍ବର 31 ତାରିଖ ଯାଏଁ ରିହାତି ଅବଧି ବଢିବ । ରେମଡେସିଭିର ଓ ହେରାପିନ ଭଳି ମେଡିସିନ ଉପରେ 12% ରୁ 5%କୁ କମିଛି ଜିଏସଟି । ଜିଏସଟି କାଉନସିଲ ବୈଠକ ପରେ ଏହି ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିସହ ଏବେ ପେଟ୍ରୋଲ ଓ ଡିଜେଲ ଦର ଜିଏସଟି ପରିସରଭୁକ୍ତ ହେବ ନାହିଁ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆହୁରିମଧ୍ୟ ଫୁଡ ଡେଲିଭରୀ ଆପ ଜରିଆରେ ଖାଦ୍ୟ ଅର୍ଡର କରିବା ଉପରେ ଅତିରିକ୍ତ ଟ୍ୟାକ୍ସ ଲାଗିବା ନେଇ ଯେଉଁ ଆଶଙ୍କା ରହିଥିବା ତାହା ଶେଷ ହୋଇଛି । ଜିଏସଟି କାଉନସିଲରେ ଏ ସମ୍ପର୍କିତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଅର୍ଥାତ୍ ଅନଲାଇନ ଫୁଡ ଅର୍ଡର ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ ନାହିଁ । କ୍ୟାନସର ଚିକିତ୍ସାରେ ବ୍ୟବହୃତ ଅନେକ ଔଷଧ ଉପରେ ଜିଏସଟି 12 ପ୍ରତିଶତରୁ ହ୍ରାସ କରାଯାଇ 5 ପ୍ରତିଶତ କରାଯାଇଛି । ରେମିଡେସିଭିର ଉପରେ କେବଳ 5 ପ୍ରତିଶତ ଜିଏସଟି ଲାଗିବ । ସେହିପରି ମାଲଗାଡି ପରିମିଟ ଉପରେ ଜିଏସଟି ନ ଲାଗିବା ନେଇ ନିଷ୍ପତ୍ତି ହୋଇଛି ।

ଏହାବ୍ୟତୀତ ଜୈବବନ୍ଧନ ଉପରେ ଜିଏସଟି 12 ପ୍ରତିଶତରୁ କମ୍ କରାଯାଇ 5 ପ୍ରତିଶତ କରାଯିବ ବୋଲି ବୈଠକରେ ନିର୍ଣ୍ଣୟ ନିଆଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରେସ କନଫରେନ୍ସ ଜରିଆରେ ଜିଏସଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: GST କାଉନସିଲ ବୈଠକ: କମିବ ପେଟ୍ରୋଲ-ଡିଜେଲ ଦର !

ଏଥିସହ ଅର୍ଥମନ୍ତ୍ରୀ କହିଛନ୍ତି ଯେ, କେରଳ ହାଇକୋର୍ଟଙ୍କ ଆଦେଶ ଯୋଗୁଁ ପେଟ୍ରୋଲ-ଡିଜେଲ ବିଷୟରେ ଆଲୋଚନା ହୋଇଥିଲା । ହେଲେ ଏହାକୁ ଜିଏସଟି ପରିସରଭୁକ୍ତ କରାଯିବା ନେଇ ବର୍ତ୍ତମାନ ସମୟ ଆସିନାହିଁ । ଏହାର ଅର୍ଥ ପେଟ୍ରୋଲ-ଡିଜେଲ ଦର ହ୍ରାସ ହେବା ନେଇ ଯେଉଁ ଅନୁମାନ କରାଯାଉଥିଲା ସେଭଳି କିଛି ଘଟିବ ନାହିଁ ।

@ANI

Last Updated :Sep 17, 2021, 10:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.